ଜେରୁସାଲେମ: ଇସ୍ରାଏଲରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଏକ ବଡ଼ ଘଟଣାକ୍ରମ ଦେଖିବାକୁ ମିଳିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଦେଶରେ ଏକ “ମିଳିତ ସରକାର” ଗଠନ କରିବା ପାଇଁ ବିରୋଧୀ ଦଳର ନେତାମାନଙ୍କୁ ଆହ୍ୱାନ ଦେଇଛନ୍ତି। ସୋମବାର ଜାରି କରାଯାଇଥିବା ଏକ ଭିଡିଓ ବାର୍ତ୍ତାରେ ନେତାନ୍ୟାହୁ କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ ଏହା ହେଉଛି “ସମୟର ଆବଶ୍ୟକତା”।
ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ, ଯେକୌଣସି ଜାୟୋନିଷ୍ଟ ଦଳ ତାଙ୍କ ସହ ସରକାରରେ ସାମିଲ ହୋଇପାରିବେ ଏବଂ ସେ କାହାକୁ ଏଥିରୁ ବାଦ୍ ଦେଉନାହାନ୍ତି। ତେବେ ସର୍ବବୃହତ ଦଳର ମୁଖ୍ୟ ଭାବେ ସେ ନିଜେ ଏହି ମିଳିତ ସରକାରର ନେତୃତ୍ୱ ନେବା ଉଚିତ ବୋଲି ଦାବି କରିଛନ୍ତି। ସେ କହିଛନ୍ତି, “ଏହି ସରକାରରେ ଜାତୀୟ ଶିବିରର ସମସ୍ତ ଦଳ ସାମିଲ ହେବା ଆବଶ୍ୟକ, ଦେଶ ସମ୍ମୁଖରେ ଥିବା ବଡ଼ ବଡ଼ ଆହ୍ୱାନଗୁଡ଼ିକର ମୁକାବିଲା କରିବା ପାଇଁ ସମସ୍ତ ଦଳ ଏକାଠି ହେବା ଜରୁରୀ ବୋଲି ସେ ଯୁକ୍ତି ବାଢ଼ିଛନ୍ତି।
ବିରୋଧୀ ଦଳଙ୍କୁ କଡ଼ା ଚେତାବନୀ ଦେଇ ନେତାନ୍ୟାହୁ କହିଛନ୍ତି ଯେ, ହମାସ ସମର୍ଥକଙ୍କ ସହ ମିଶି କେବେ ବି ସରକାର ଗଠନ କରାଯାଇପାରିବ ନାହିଁ । ଏହାପୂର୍ବରୁ ଶନିବାର ମଧ୍ୟ ନିର୍ବାଚନ ପରେ ପ୍ରଥମ ଥର ପାଇଁ ସେ ଏକତା ସରକାର ଗଠନ କରିବାକୁ ଅପିଲ କରିଥିଲେ। ସେତେବେଳେ ସେ କହିଥିଲେ ଯେ, ଆତଙ୍କବାଦର ସମର୍ଥକଙ୍କ ଉପରେ ନିର୍ଭର କରୁଥିବା କୌଣସି ସରକାର ଆତଙ୍କବାଦ ବିରୋଧରେ ଲଢ଼ିପାରିବ ନାହିଁ।
ବିରୋଧୀ ଦଳ ଯଦି କଠୋରପନ୍ଥୀ ଦଳଙ୍କ ସହ ମିଶି ସରକାର ଗଠନ କରନ୍ତି, ତେବେ ଇସ୍ରାଏଲ ତିଷ୍ଠି ରହିପାରିବ ନାହିଁ ଏବଂ ଏଭଳି ସରକାର ଦେଶକୁ ଭିତରୁ ଧ୍ୱଂସ କରିଦେବ ବୋଲି ନେତାନ୍ୟାହୁ ଆଶଙ୍କା ପ୍ରକାଶ କରିଛନ୍ତି। ଦେଶବାସୀଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ଏକ ସ୍ଥିର ଓ ସୁରକ୍ଷିତ ସରକାର ଗଠନ ପାଇଁ ସେ ପୁଣିଥରେ ସମସ୍ତ ଜାତୀୟ ଦଳଙ୍କୁ ଏକଜୁଟ ହେବାକୁ ନିମନ୍ତ୍ରଣ ଜଣାଇଛନ୍ତି।
