Latest Odisha News

ମିନି-ମୁନ୍ କଣ ? ଖୁବଶୀଘ୍ର ପୃଥିବୀକୁ ମିଳିବ ଦ୍ଵିତୀୟ ଚନ୍ଦ୍ର

ନୂଆଦିଲ୍ଲୀ: ଆମ ଆକାଶରେ ସୂର୍ଯ୍ୟ ଏବଂ ଚନ୍ଦ୍ର ହେଉଛନ୍ତି ସବୁଠାରୁ ଅନନ୍ୟ। ଆମର ଦିନ ଏବଂ ରାତି, ପର୍ବପର୍ବାଣି ସୂର୍ଯ୍ୟ-ଚନ୍ଦ୍ର ଉପରେ ଆଧାରିତ। ସୂର୍ଯ୍ୟ ସ୍ଥିର ଏବଂ ପୃଥିବୀ ଏହାର ଚତୁର୍ଦ୍ଦିଗରେ ବୁଲେ। ସେହିପରି ଚନ୍ଦ୍ର ପୃଥିବୀ ଚାରିପଟେ ବୁଲେ। ତେଣୁ ବିଜ୍ଞାନ ଭାଷାରେ ଏହାକୁ ପ୍ରାକୃତିକ ଉପଗ୍ରହ କୁହାଯାଏ। ବିଜ୍ଞାନ କହିଛି ଯେ ଯେତେବେଳେ କୌଣସି ବସ୍ତୁ ଗ୍ରହକୁ ପରିକ୍ରମା କରେ, ଏହାକୁ ଉପଗ୍ରହ ଭାବରେ ବିବେଚନା କରାଯାଏ। ଆମର ଗୋଟିଏ ଉପଗ୍ରହ ଚନ୍ଦ୍ର ଅଛି। ହେଲେ ଖୁବଶୀଘ୍ର ଆଉ ଏକ ଚନ୍ଦ୍ର ବି ପୃଥିବୀ କକ୍ଷପଥରେ ଘୂର୍ଣ୍ଣନ କରିବ।

ଏହା ପୃଥିବୀ ପାଇଁ ହେବ ୨ୟ ଚନ୍ଦ୍ର। ତେବେ ଏହା ଆମ ପାରମ୍ପରିକ ଚନ୍ଦ୍ର ପରି ଆମକୁ ଦୃଶ୍ୟମାନ ହେବ ନାହିଁ ବୋଲି ମହାକାଶ ବିଜ୍ଞାନୀମାନେ କହିଛନ୍ତି। ୨ୟ ଚନ୍ଦ୍ରଟି ମାତ୍ର ୨ ମାସ ପାଇଁ ରହିବ। ତା’ ପରେ ପୃଥିବୀ କକ୍ଷପଥରୁ ଚାଲିଯିବ। ଏହା ଏକ ବିରଳ ଜ୍ୟୋତିର୍ବିଜ୍ଞାନ ଘଟଣା ଯୋଗୁଁ ସମ୍ଭବ ହୋଇପାରିଛି। ଯେଉଁଥିରେ ଏକ ଛୋଟ ଗ୍ରହ, ଅର୍ଥାତ୍ ଆଷ୍ଟେରଏଡ୍, ପୃଥିବୀର ମାଧ୍ୟାକର୍ଷଣରେ ଆସିବ ଏବଂ ସେପ୍ଟେମ୍ବର ୨୯ ରୁ ନଭେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଆମ ପୃଥିବୀ ଚାରିପଟେ ବୁଲିବ। ଗୋଟିଏ ଘୂର୍ଣ୍ଣନ ସମ୍ପୂର୍ଣ୍ଣ କରିବା ପରେ ତାହା ପୃଥିବୀ କକ୍ଷପଥରୁ ବାହାରିଯିବ।

ସ୍ପେନ ବିଶ୍ଵବିଦ୍ୟାଳୟର ଗବେଷକ କାର୍ଲୋସ ଏବଂ ରଉଲ ଡି ଲା ଫୁଏଣ୍ଟେ ମାର୍କୋସ କହିଛନ୍ତି ଯେ, ୨୦୨୪ପିଟି୫ ନାମକ ଏକ କ୍ଷୁଦ୍ର ଗ୍ରହ ଗତ ଅଗଷ୍ଟ ୭ ତାରିଖରେ ଆବିଷ୍କୃତ ହୋଇଛି। ଆଷ୍ଟରଏଡ ଟେରେଷ୍ଟ୍ରିଆଲ ଇମ୍ପାକ୍ଟ ଲାଷ୍ଟ ଆଲର୍ଟ ସିଷ୍ଟମ(ଆଟଲାସ) ଦ୍ଵାରା ଏହି ଗ୍ରହକୁ ଆବିଷ୍କାର କରାଯାଇଛି। ଏହି କ୍ଷୁଦ୍ର ଗ୍ରହଟି ବର୍ତ୍ତମାନ ଯେଉଁ ପ୍ରକ୍ଷେପ ପଥ ଦେଇ ଯାତ୍ରା କରୁଛି, ତାହା ଖୁବଶୀଘ୍ର ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଦ୍ଵାରା ପୃଥିବୀ କକ୍ଷପଥକୁ ଆସିବ। ତେବେ ପୃଥିବୀକୁ ୨ଟି ଚନ୍ଦ୍ର ମିଳିବା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଏପରି ଘଟିଛି ବୋଲି ଦୁଇ ଗବେଷକ କହିଛନ୍ତି। ପ୍ରଥମ ଥର ପାଇଁ ୨୦୦୬ ଜୁଲାଇରେ ଗୋଟିଏ ଛୋଟିଆ ଚନ୍ଦ୍ର ପ୍ରାୟ ୧ ବର୍ଷ ପର୍ଯ୍ୟନ୍ତ ପୃଥିବୀ କକ୍ଷପଥରେ ଘୂର୍ଣ୍ଣନ କରୁଥିବା ଦେଖିବାକୁ ମିଳିଥିଲା। ସେହିପରି ୨୦୨୦ରେ ମଧ୍ୟ ଅନୁରୂପ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା।

Comments are closed.