Latest Odisha News

BREAKING NEWS

କିଟରେ ପାଣିପାଗ ଓ ଜଳବାୟୁ ହାକାଥନ ଉଦ୍‍ଯାପିତ

ଭୁବନେଶ୍ୱର: କିଟରେ ପାଣିପାଗ ଓ ଜଳବାୟୁ ହାକାଥନ ଉଦ୍‍ଯାପିତ। ଆମେରିକାର ସିଟି ୟୁନିଭରସିଟି ଅଫ୍‍ ନିଉୟର୍କ (କ୍ୟୁନି) ବିଶ୍ୱବିଦ୍ୟାଳୟ, ହାଇଦ୍ରାବାଦସ୍ଥିତ ଆମେରିକା କନ୍‍ସୁଲ୍‍ ଜେନେରାଲ, ମୁମ୍ବାଇସ୍ଥିତ ଆମେରିକା କନ୍‍ସୁଲ୍‍ ଜେନେରାଲ୍‍, କିଟ୍‍ ଓ କିସ୍‍ ମିଳିତ ଆନୁକୂଲ୍ୟରେ ୧୯ରୁ ଚାଲିଥିବା ହାକାଥନ୍‍ ଶନିବାର ଉଦ୍‍ଯାପିତ ହୋଇଯାଇଛି।

ପାଣିପାଗ ଓ ଜଳବାୟୁ ପରିବର୍ତ୍ତନ ଏବଂ ବାୟୁର ଗୁଣବତ୍ତା ସହିତ ଜଡ଼ିତ ବିଶ୍ୱସ୍ତରୀୟ ଆହ୍ୱାନର ମୁକାବିଲା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ। କ୍ୟୁନି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକଙ୍କ ସମେତ ଗୋଆ, ମହାରାଷ୍ଟ୍ର, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଗୁଜୁରାଟ ଆଦି ଭାରତର ୧୬ଟି ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଗବେଷକ ମାନେ ଏଥିରେ ଯୋଗ ଦେଇଥିଲେ।

ଅଂଶଗ୍ରହଣକାରୀ ମାନେ ସ୍ଥାନୀୟ ଜଳବାୟୁ ଓ ବାୟୁର ମାନକୁ ନେଇ ଜନ ସଚେତନତା ଏବଂ ଲୋକମାନେ ଯେଭଳି ବୁଝି ପାରିବେ ସେହି ଉଦ୍ଦେଶ୍ୟରେ ଉପକରଣ ଓ ଆପ୍‍ ତିଆରି କାର୍ଯ୍ୟକ୍ରମ କରିଥିଲେ। ଆମେରିକା ବୈଦେଶିକ ବିଭାଗ ଓ ରାଷ୍ଟ୍ରୀୟ ବିଜ୍ଞାନ ଫାଉଣ୍ଡେସନ୍‍ (ଏନ୍‍ଏସ୍‍ଏଫ୍‍) ଅନୁସନ୍ଧାନ ଅନୁଦାନରେ ସ୍ଥାପିତ ୨୨ଟି ପାଣିପାଗ ଓ ଜଳବାୟୁ ନେଟୱାର୍କ କେନ୍ଦ୍ରରୁ ସେମାନେ ତଥ୍ୟ ବିନିଯୋଗ କରିଥିଲେ।

ପ୍ରତିଯୋଗୀ ମାନଙ୍କୁ ହାକାଥନ୍‍ ଅବସରରେ ପାଣିପାଗ, ଜଳବାୟୁ, ବାୟୁର ମାନରେ ଉନ୍ନତି, ଉତ୍ତାପ ତରଙ୍ଗ ଆଦି ୫ଟି ପ୍ରମୁଖ କ୍ଷେତ୍ର ଉପରେ ଧ୍ୟାନ ଦେବାକୁ କୁହାଯାଇଥିଲା ।

କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ କ୍ୟୁନି ବିଶ୍ୱବିଦ୍ୟାଳୟର ସଭାପତି ଡ. ମିଲଟନ୍‍ ସାଣ୍ଟିଆଗୋ ଜଳବାୟୁ ପରିବର୍ତ୍ତନର ବିଭିନ୍ନ ଦିଗ ଓ ଏହାର ସମାଧାନ କିପରି କରାଯିବ ତା ଉପରେ ପ୍ରକାଶ କରିଥିଲେ। ଏହା ସହିତ କିଟ୍‍ ଓ କିସ୍‍ର ସହଯୋଗ ତଥା ଏ ଦିଗରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନଙ୍କ ପ୍ରୟାସକୁ ସେ ପ୍ରଶଂସା ମଧ୍ଯ କରିଥିଲେ।

କ୍ୟୁନି ବିଶ୍ୱବିଦ୍ୟାଳୟ ପ୍ରଫେସର ପିଟର ଗ୍ରୋଫ୍‍ମ୍ୟାନ୍‍ ଭବିଷ୍ୟତ ପାଇଁ ଜଳବାୟୁର ସୁରକ୍ଷା ଓ ଚରମ ସ୍ଥିତି ପାଇଁ କିଭଳି ପ୍ରସ୍ତୁତ ହେବାକୁ ପଡ଼ିବ ତା ଉପରେ ଆଲୋଚନା କରିଥିଲେ।

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, କିଟରେ ବିଭିନ୍ନ ସମୟରେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ସମ୍ମିଳନୀମାନ ଆୟୋଜିତ ହୋଇଥାଏ । ଏହା ଦ୍ୱାରା ଓଡ଼ିଶାର କଳା, ସଂସ୍କୃତି ଓ ପରିବେଶ ଉପରେ ବିଦେଶରୁ ଆସୁଥିବା ଲୋକମାନେ ସକାରାତ୍ମକ ଅନୁଭୂତି ନେଇ ଯାଉଛନ୍ତି।

 

 

Comments are closed.