Latest Odisha News

BREAKING NEWS

ମହିଳା ଟି୨୦ ବିଶ୍ୱକପ କ୍ରିକେଟ: ଟାଇଟଲ ଲକ୍ଷ୍ୟରେ ଟିମ ଇଣ୍ଡିଆ

ଶାରଜା: ୟୁଏଇରେ ମହିଳା ଟି୨୦ ବିଶ୍ୱକପ କ୍ରିକେଟ ଆରମ୍ଭ ହୋଇଯାଇଛି । ଭଲ ପ୍ରଦର୍ଶନ ସତ୍ୱେ ଟିମଇଣ୍ଡିଆ ଟାଇଟଲ ହାସଲ କରିବା ମରୁଡିକୁ ଶେଷ କରିପାରି ନାହିଁ । ଏଥର କିନ୍ତୁ ଭାରତୀୟ ଦଳ ଚାମ୍ପିୟନ ହେବା ଦୌଡରେ ଆଗରେ ରହିଛନ୍ତି । ୧୦ ବର୍ଷ ମଧ୍ୟରେ ଅଷ୍ଟ୍ରେଲିଆକୁ ଏକମାତ୍ର ଭାରତୀୟ ଟିମ କଡା ଚ୍ୟାଲେଞ୍ଜ ଦେଇ ଆସିଛି । ଅନ୍ୟ ଅର୍ଥରେ ଆଇସିସି ଟ୍ରଫି ବ୍ୟତୀତ ଭାରତ ନିକଟରେ ବାକି ସବୁ ରହିଛି । ୨୦୦୯ ଓ ୨୦୨୦ ଟି୨୦ ବିଶ୍ୱକପ ସେମିଫାଇନାଲରେ ହାରିବା ପରେ କ୍ରମାଗତ ୩ଥର ଗ୍ରୁପ ଷ୍ଟେଜରୁ ବାଦ ପଡିଥିଲା ।

୨୦୧୮ରେ ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଭାରତ ନକଆଉଟ ପର୍ଯ୍ୟାୟରେ ପ୍ରବେଶ କରିବା ଆରମ୍ଭ କରିଛି । ଏହା ମଧ୍ୟରେ ଟିମ ୨ ଥର ସେମିଫାଇନାଲ ଓ ଥରେ ଫାଇନାଲରେ ହାରି ଚାମ୍ପିୟନ ହେବା ସୁଯୋଗ ହାତଛଡା କରିଛି । ପୂର୍ବ ୨ଟି ସଂସ୍କରଣରେ ଭାରତକୁ ଅଷ୍ଟ୍ରେଲିଆ ନକଆଉଟରୁ ବିଦା କରିଛି ।

ଟୁର୍ଣ୍ଣାମେଂଟ ଇତିହାସରେ ଭାରତ ୩୬ଟି ମ୍ୟାଚ ଖେଳିଛି । ୨୦ରେ ବିଜୟ ହାସଲ କରିଥିବା ବେଳେ ୧୬ରେ ପରାଜିତ ହୋଇଛି । ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ପରେ ଭାରତ ସଫଳ ଟିମ ଭାବେ ପରିଗଣିତ ହେଉଛି । ୨୦୨୧ରୁ ଭାରତ ୫୪ ପ୍ରତିଶିତ ଟି୨୦ ମୁକାବିଲାରେ ବିଜୟ ହାସଲ କରିଛି ।

ଏହା ମଧ୍ୟରେ ୬୯ ମୁକାବିଲାରେ ଭାରତ ୩୭ରେ ବିଜୟ ହୋଇଛି । ଟିମ ଇଣ୍ଡିଆ ୪ଥର ୧୮୦ରୁ ଊର୍ଦ୍ଧ୍ୱ ସ୍କୋର ମଧ୍ୟ କରିଛି । ଗ୍ରୁପ ଏରେ ଅଷ୍ଟ୍ରେଲିଆ, ଭାରତ, ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଶ୍ରୀଲଙ୍କା ରହିଥିବା ବେଳେ ଗ୍ରୁପ ବିରେ ବାଂଲାଦେଶ, ଇଂଲଣ୍ଡ, ସ୍କଟଲାଣ୍ଡ, ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ ରହିଛନ୍ତି ।

ଟିମ ଇଣ୍ଡିଆ: ହରମନପ୍ରୀତ କୌର(ଅଧିନାୟିକା), ସ୍ମୃତି ମାନ୍ଧାନା, ଶେଫାଳୀ ବର୍ମା, ଦୀପ୍ତି ଶର୍ମା, ଜେମିମା ରୋଡ୍ରିଗ୍ୟୁଜ, ରିଚା ଘୋଷ, ୟାସ୍ତିକା ଭାଟିଆ, ପୂଜା ବସ୍ତ୍ରକାର, ଅରୁନ୍ଧତି ରେଡ୍ଡୀ, ରେଣୁକା ସିଂ ଠାକୁର, ଦୟାଲାନ ହେମଲତା, ଆଶା ଶୋଭନା, ରାଧା ଯାଦବ, ଶ୍ରେୟଙ୍କା ପାଟିଲ ଓ ସଞ୍ଜନା ସଜୀବନ ।

Leave A Reply

Your email address will not be published.