Latest Odisha News

ନବରାତ୍ରୀ ୨୦୨୪: ତୃତୀୟ ଦିନରେ ଚନ୍ଦ୍ରଘଣ୍ଟା ରୂପରେ ଦର୍ଶନ ଦେଉଛନ୍ତି ମା’

ଭୁବନେଶ୍ବର: ଆଜି ନବରାତ୍ରୀର ତୃତୀୟ ଦିନରେ ଚନ୍ଦ୍ରଘଣ୍ଟା ରୂପରେ ପୂଜା ପାଉଛନ୍ତି ମା’। ମା’ ଦୁର୍ଗାଙ୍କ ତୃତୀୟ ଶକ୍ତି ହେଉଛନ୍ତି ଚନ୍ଦ୍ରଘଣ୍ଟା । ଏହି ରୂପରେ ମା’ଙ୍କର ମସ୍ତକରେ ଅର୍ଦ୍ଧଚନ୍ଦ୍ର ଥିବାରୁ ତାଙ୍କୁ ଚନ୍ଦ୍ରଘଣ୍ଟା ବୋଲି କୁହାଯାଏ । ଚନ୍ଦ୍ରଘଣ୍ଟାଙ୍କ ମୁଦ୍ରା ଯୁଦ୍ଧ ମୁଦ୍ରା ହୋଇଥାଏ ।

ବ୍ୟାଘ୍ର ବାହନରେ ବିରାଜମାନ କରନ୍ତି ମା’। ବିଶ୍ୱାସ ରହିଛି ଯେ ମାଆଙ୍କ ଘଣ୍ଟ ଧ୍ୱନିରେ ଦୈତ୍ୟ, ଦାନବ ଓ ଅତ୍ୟାଚାରୀ ଭୟଭୀତ ହୋଇଥାନ୍ତି ।

ନବରାତ୍ରୀର ତୃତୀୟ ଦିନରେ ସିନ୍ଦୁର, ଅକ୍ଷତ, ଗନ୍ଧ, ଧୂପ ଏବଂ ପୁଷ୍ପ ଅର୍ପଣ କରି ମାଆଙ୍କୁ ବିଧି ବିଧାନ ଅନୁଯାୟୀ ପୂଜା କରାଯାଏ ।

ତେବେ ଆଜିର ଦିନରେ ଅପରାଜିତା ଫୁଲ ଦେଇ ଦେବୀ ଚନ୍ଦ୍ରଘଣ୍ଟାଙ୍କ ପୂଜା କରିବା ଦ୍ବାରା ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ । ଅର୍ଥର ଅଭାବ ରହିନଥାଏ । ଏହା ସହ ଦୁର୍ଗା ଚାଳିଶା ପାଠ କରି ମାଆଙ୍କର ଆଳତୀ କଲେ ଅପାର କୃପା ମିଳିଥାଏ ।

ପୌରାଣିକ କଥା ଅନୁଯାୟୀ, ଅସୁରମାନଙ୍କ ଦୌରାତ୍ମ ବଢି ବଢି ଚାଲିଥିବାବେଳେ ସେମାନଙ୍କୁ ହତ୍ୟା କରିବା ପାଇଁ ମାଆ ଚନ୍ଦ୍ରଘଣ୍ଟାଙ୍କ ଜନ୍ମ ହୋଇଥିଲା । ଭଗବାନ ଶିବ ତ୍ରିଶୁଳ, ବିଷ୍ଣୁ ନିଜ ଚକ୍ର ମା’ଙ୍କୁ ପ୍ରଦାନ କରିଥିଲେ । ଅନ୍ୟ ଦେବତା ମଧ୍ୟ ମାଆଙ୍କ ହାତରେ ଅସ୍ତ୍ରଶସ୍ତ୍ର ମାନ ଦେଇଥିଲେ । ଦେବରାଜ ଇନ୍ଦ୍ର ଦେବୀଙ୍କୁ ଏକ ଘଣ୍ଟା ଦେଇଥିଲେ । ସେହିପରି ସୂର୍ଯ୍ୟ ମା’ଙ୍କ ହାତରେ ଖଣ୍ତା ଓ ଯାତ୍ରା ପାଇଁ ବ୍ୟାଘ୍ର ବାହନ ପ୍ରଦାନ କରିଥିଲେ ।

ଅସୁରମାନଙ୍କ ରାଜା ମହିଷାସୁର ଇନ୍ଦ୍ରଙ୍କ ସିଂହାସନ ପାଇବା ପାଇଁ ଇନ୍ଦ୍ରାଲୋକ ଏବଂ ସ୍ୱର୍ଗଲୋକରେ ପହଁଚି ଦେବତାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିଥିଲା । ଅନେକ ଦିନ ଧରି ଅସୁର ଏବଂ ଦେବତାଙ୍କ ମଧ୍ୟରେ ଯୁଦ୍ଧ ଲାଗି ରହିଥିଲା । ଯୁଦ୍ଧରେ ନିଜକୁ ପରାସ୍ତ ହେଉଥିବାର ଦେଖି ସମସ୍ତ ଦେବତା ପ୍ରଭୁ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱରଙ୍କ ନିକଟରେ ପହଞ୍ଚିଥିଲେ । ତିନି ଜଣଙ୍କ କ୍ରୋଧରୁ ମାତା ଚନ୍ଦ୍ରଘଣ୍ଟା ଜନ୍ମିଥିଲେ ।

Leave A Reply

Your email address will not be published.