Latest Odisha News

ସନ୍ଦୀପ ଘୋଷଙ୍କ ଅନୁଗତଙ୍କ ବିରୋଧରେ ସଂଗୀନ ଅଭିଯୋଗ, ଆର.ଜି କରରୁ ୧୦ ବିଦା

କୋଲକାତା: କିଛି ଦିନର ନୀରବତା ପରେ ପୁଣି ଚର୍ଚ୍ଚାରେ କୋଲକାତାର ଆର.ଜି କର ମେଡିକାଲ କଲେଜ ଓ ହସପିଟାଲ୍ । ପୁଣି ଆସିଛି କିଛି ସଂଗୀନ ଅଭିଯୋଗ । ଆଉ ଏସବୁ ଅଭିଯୋଗରେ ଡାକ୍ତର, ଇଂଟର୍ନ ଓ ଛାତ୍ରଙ୍କୁ ମେଡିକାଲ କଲେଜରୁ ବହିଷ୍କାର କରାଯାଇଛି । ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ନେଇ ହୋହଲ୍ଲା ପରେ ଏବେ ପୁଣି ଭୁଲ୍ କାରଣରୁ ଚର୍ଚ୍ଚାକୁ ଆସିଛି ଆର.ଜି କର ମେଡିକାଲ କଲେଜ ଓ ହସ୍ପିଟାଲ୍।

ଡାକ୍ତର, ହାଉସ ଷ୍ଟାଫ୍ ଓ ଇଂଟର୍ନଙ୍କ ବିରୋଧରେ ଆକ୍ସନ୍

ବିଭିନ୍ନ ସଂଗୀନ ଅଭିଯୋଗରେ ଆର.ଜି କର ମେଡିକାଲ କଲେଜ ଓ ହସପିଟାଲର ଡାକ୍ତର, ହାଉସ ଷ୍ଟାଫ୍ ଓ ଇଂଟର୍ନଙ୍କ ବିରୋଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ୧୦ ଜଣଙ୍କୁ ମେଡିକାଲ କଲେଜରୁ ବହିଷ୍କାର କରାଯାଇଛି । ପରୀକ୍ଷାରେ ଫେଲ୍ କରାଇଦେବା, ହଷ୍ଟେଲରୁ ବାହାର କରିଦେବା ଭଳି ଧମକ ଦେବା ସହ ଜୁନିଅରଙ୍କୁ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳରେ ସାମିଲ ହେବା ପାଇଁ ବାଧ୍ୟ କରିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କେବଳ ସେତିକି ନୁହେଁ ବହିଷ୍କୃତମାନଙ୍କ ବିରୋଧରେ ଯୌନ ନିର୍ଯାତନା, ଅସଦାଚରଣ, ଜୋର୍ ଜବରଦସ୍ତ ଟଙ୍କା ଆଦାୟ ଓ ମିଛ ଏତଲା ଦାୟର ଏବଂ ଶାରିରୀକ ହିଂସା ଭଳି ଅଭିଯୋଗ ଆସିଛି । ବହିଷ୍କୃତଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ପ୍ରିନସିପାଲ ସନ୍ଦୀପ ଘୋଷଙ୍କ ନିକଟତମ ଆଶିଷ ପାଣ୍ଡେ । ଆଶିଷ ପାଣ୍ଡେ ହେଉଛନ୍ତି ହାଉସ ଷ୍ଟାଫ୍ ମେମ୍ବର । ଆଶିଷ ଆର୍ଥିକ ଅନିୟମିତତା ମାମଲାରେ ବର୍ତ୍ତମାନ ସିବିଆଇ ହେପାଜତରେ ଅଛନ୍ତି ।

ଯାଂଚ କମିଟି ରିପୋର୍ଟ ପରେ ଆକ୍ସନ୍

ଆର.ଜି କର ମେଡିକାଲ କଲେଜ ଓ ହସପିଟାଲର ଇନଷ୍ଟିଚ୍ୟୁସନାଲ ଇନକ୍ୱାରୀ କମିଟି ରିପୋର୍ଟ ଆଧାରରେ ଦୋଷୀ ଷ୍ଟାଫ୍ ଓ ଛାତ୍ରମାନଙ୍କୁ ପରବର୍ତ୍ତୀ ନୋଟିସ ଯାଏଁ ବହିଷ୍କାର କରାଯାଇଛି । ସ୍ପେଶାଲ କଲେଜ କାଉନସିଲ ମିିଟିଂ ପରେ ଦୋଷୀ ଷ୍ଟାଫ୍ ଓ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଯେଉଁମାନଙ୍କ ବିରୋଧରେ ମହିଳାଙ୍କ ବିରୋଧରେ ଅସଦାଚରଣର ପ୍ରମାଣ ମିଳିଛି, ସେମାନଙ୍କ ନାଁ ଇଂଟରନାଲ କମ୍ପେ୍ଲଂଟ କମିଟିକୁ ପଠାଇ ଦିଆଯାଇଛି । ମେଡିକାଲ କଲେଜରୁ ବହିଷ୍କୃତ ହୋଇଥିବା ଷ୍ଟାଫ୍ ଓ ଛାତମାନେ ସନ୍ଦୀପ ଘୋଷଙ୍କ ଅନୁଗତ ବୋଲି ଜଣାପଡିଛି । ସନ୍ଦୀପ ଘୋଷ ବର୍ତ୍ତମାନ ଆର୍ଥିକ ଅନିୟମିତତା ଅଭିଯୋଗରେ ସିବିଆଇ ଦ୍ୱାରା ଗିରଫ ହୋଇ ଜେଲରେ ଅଛନ୍ତି । ବହିଷ୍କୃତଙ୍କ ମଧ୍ୟରେ ଆୟୁଷୀ ଥାପ୍ପା ନାମ୍ନୀ ଜଣେ ମହିଳା ଡାକ୍ତର ମଧ୍ୟ ଅଛନ୍ତି ।

୭୨ ଘଂଟା ମଧ୍ୟରେ କଲେଜ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ

ଯୌନ ଉତ୍ପୀଡନ ଓ ଅସଦାଚରଣ ସମେତ ବିଭିନ୍ନ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ବହିଷ୍କୃତ ହୋଇଥିବା ଷ୍ଟାଫ୍ ଓ ଛାତ୍ରଙ୍କୁ ୭୨ ଘଂଟା ମଧ୍ୟରେ କଲେଜ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ବହିଷ୍କୃତଙ୍କ ପଂଜିକରଣ କାଗଜପତ୍ର ଯାଂଚ କରାଯିବ ଓ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ପଶ୍ଚିମବଙ୍ଗ ମେଡିକାଲ କାଉନସିଲକୁ ପଠାଯିବ।

ଆରଜି କର ଡାକ୍ତରଙ୍କ ଅନଶନ 

ଏଣେ ଟ୍ରେନି ମହିଳା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣା ପ୍ରତିବାଦରେ ଆନ୍ଦୋଳନ ଜାରି ରହିଛି । ଛାତ୍ର ସଂଗଠନ, ପଶ୍ଚିମବଙ୍ଗ ଜୁନିଅର ଡାକ୍ତର ସାମ୍ମୁଖ୍ୟ ଅଭିନବ ବିକ୍ଷୋଭ ପ୍ରଦର୍ଶନ ପାଇଁ ଘୋଷଣା କରିଛନ୍ତି । ସେମାନେ ରୋଗୀଙ୍କୁ ଚିକିତ୍ସା ସେବା ପ୍ରଦାନ କରି ସମାନ୍ତରାଳ ଭାବେ ଅନଶନ ମଧ୍ୟ କରିବେ । ବିଭିନ୍ନ ମେଡିକାଲ କଲେଜ ଓ ହସପିଟାଲର ୬ ଜୁନିଅର ଛାତ୍ର ସ୍ୱେଚ୍ଛାକତ ଭାବେ ଏହି ପ୍ରକ୍ରିୟା ଆରମ୍ଭ କରି ଶନିବାରଠାରୁ ଅନଶନରେ ବସିଛନ୍ତି ।

Leave A Reply

Your email address will not be published.