Latest Odisha News

ମା’ ଦୁର୍ଗାଙ୍କ ଶରଣରେ ମୋହନ, ନବୀନ

ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜାରେ ଜମୁଛି ପୂଜା ବଜାର। ଏହାରି ଭିତରେ ଆଜି ମହାଅଷ୍ଟମୀରେ ଭୁବନେଶ୍ଵରରେ ପୂଜା ମଣ୍ଡପ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ଭୁବନେଶ୍ଵରର ଓଲ୍ଡ ଟାଉନ ସ୍ଥିତ ପାଟଣା ସାହି ପୂଜା ପେଣ୍ଡାଲ ବୁଲି ଦେଖିଛନ୍ତି। ଏହାପରେ ରସୁଲଗଡ, ନୟାପଲ୍ଲୀ, ଲକ୍ଷ୍ମୀ ସାଗର, ବରମୁଣ୍ଡା ମଧ୍ୟ ବୁଲି ଦେଖିଛନ୍ତି। ଏଥିସହିତ ବିଭିନ୍ନ ପୂଜା କମିଟିର ସଦସ୍ୟମାନଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି। ଏଥିସହିତ ପୂଜା କମିଟିକୁ ଶୁଭେଚ୍ଛା ଜଣାଇବା ସହିତ, ଏଣିକି ଆଉ ସେମାନଙ୍କୁ ପେଣ୍ଡାଲ ପାଇଁ ଭଡ଼ା ଦେବାକୁ ପଡ଼ିବ ନାହିଁ ବୋଲି ଘୋଷଣା କରିଛନ୍ତି।

ତେବେ ଆଜିଠୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ସ୍ତରରେ ପୂଜା ପେଣ୍ଡାଲ ବୁଲି ଦେଖିବେ । ଆଜି ପ୍ରଥମ ଦିନରେ ଭୁବନେଶ୍ୱରରେ ପୂଜା ମଣ୍ଡପ ବୁଲିବା ସହିତ ଆସନ୍ତା କାଲି ମହାନବମୀରେ କଟକ ମେଢ଼ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି। ପରେ ୧୩ ତାରିଖରେ ଜନ୍ମମାଟି କେଉଁଝରରେ ଦୁର୍ଗା ପୂଜା ପାଳିବାର କାର୍ଯ୍ୟକ୍ରମ ରହିଛି।

ସେହିପରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଆଜି ପୂଜା ମଣ୍ଡପ ବୁଲି ଦେଖିବା ସହିତ ମାଆଙ୍କ ଆଶିଷ ଲୋଡିଛନ୍ତି। ଏହି ସମୟରେ ଲୋକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଥିଲା। ଜୟ ନବୀନ ଧ୍ବନିରେ ଫାଟିଥିଲା ପେଣ୍ଡାଲ। ତେବେ ନବୀନ ପଟ୍ଟନାୟକ ଆଜି ରସୁଲଗଡ ପୂଜା ପେଣ୍ଡାଲ ବୁଲି ଦେଖିବା ସହିତ ସହିଦ ନଗର ଏବଂ ବଡଗଡ ପୂଜା ମଣ୍ଡପ ବୁଲି ଦେଖିଥିଲେ।

 

Leave A Reply

Your email address will not be published.