Latest Odisha News

BREAKING NEWS

କ’ଣ କରିବେ ଅମର ଶତପଥୀ?

ଭୁବନେଶ୍ବର: ବଢିଲା ବିଜେଡି କଳି। ଅମର ଶତପଥୀ ବନାମ ଲେନିନ ମହାନ୍ତି । ବରିଷ୍ଠ ନେତା ଅମର ଶତପଥୀଙ୍କୁ ଦଳ ଛାଡି ଚାଲିଯିବାକୁ କହିଲେ ଲେନିନ ମହାନ୍ତି । ଅମର ଶତପଥୀ କହିଲେ, ସେ ଦଳରେ ନାହାନ୍ତି । ନିର୍ବାଚନରେ ହାରିବା ପରଠୁ ବିଜେଡି ଘରକଳି ଥମିବାର ନାଁ ନେଉନି । ନିର୍ବାଚନ ପରାଜୟର ଦାୟିତ୍ବ ନେବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ କହିଥିଲେ ଅମର ଶତପଥୀ । ଅମରଙ୍କ ଏଭଳି ବୟାନକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା । ଏହାପରେ ଯଦି ଦଳରେ ଅଣନିଶ୍ବାସୀ ହେବା ଭଳି ଅମର ଅନୁଭବ କରୁଛନ୍ତି, ତେବେ ଦଳ ଛାଡି ଚାଲିଯିବାକୁ କହିଛନ୍ତି ଲେନିନ । ଏହାକୁ କଡା କାଉଣ୍ଟର କରିଛନ୍ତି ଅମର ଶତପଥୀ ।

‘ଦଳ ଛାଡି ଚାଲିଯାଆନ୍ତୁ ଅମର’

ଅମର ଶତପଥୀ ଯେଉଁଭଳି ମନ୍ତବ୍ୟ ଦେଉଛନ୍ତି, ସେ ଯଦି ଚାହୁଁନାହାନ୍ତି ଦଳରେ ରହିବା ପାଇଁ ଦଳ ଛାଡି ଚାଲିଗଲେ ବହୁତ ଭଲ ହେବ ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି। ଅମର ତାଙ୍କ ପୁତୁରାଙ୍କୁ ଆଗରୁ ବିଜେପିକୁ ପଠାଇଛନ୍ତି, ସେ ତାଙ୍କ ପୁତୁରାଙ୍କ ପଦାଙ୍କ ଅନୁସରଣ କରି ଚାଲିଗଲେ ଭଲ ହେବ । ୬ଥର ଦଳ ତାଙ୍କୁ ସୁଯୋଗ ଦେଇଛି, ବିଭିନ୍ନ ପଦ ପଦବୀରେ ସେ ରହିଚନ୍ତି। ତାପରେ ବି ଯଦି ସେ ଅଣନିଶ୍ବାସୀ ଅନୁଭବ କରୁଛନ୍ତି, ସେ ଦଳ ଛାଡି ଚାଲିଯାଆନ୍ତୁ ବୋଲି ଲେନିନ କହିଛନ୍ତି। ଯେଉଁମାନେ ଦଳ ଛାଡିଛନ୍ତି, ସମସ୍ତଙ୍କର ଆଗରୁ ବିଜେପି ସହ ସଂପର୍କ ଥିଲା। ଯିଏ ବିଜେଡି ଛାଡି ବିଜେପିକୁ ଯାଇଛନ୍ତି ସେଠି ତାଙ୍କୁ କଣ ଦାୟିତ୍ବ ଦେଇଛନ୍ତି ବୋଲି ଲେନିନ ପ୍ରଶ୍ନ କରିଛନ୍ତି । ଏମାନେ ସବୁବେଳେ ବୋଝ ଥିଲେ ବିଜେପି ପାଇଁ ବି ବୋଝ ହେବେ ବୋଲି ସେ କହିଛନ୍ତି ।

‘ମୁଁ ବିଜେଡିରେ ନାହିଁ’

ଲେନିନ ମହାନ୍ତିଙ୍କୁ କଡା କାଉଣ୍ଟର କରିଛନ୍ତି ଅମର ଶତପଥୀ। ସେ ଦଳୀୟ କାର୍ଯ୍ୟକ୍ରମରୁ କିଛି ଦିନ ପାଇଁ ଦୂରେଇ ରହିଛନ୍ତି । ଦଳର ସଭ୍ୟ ସଂଗ୍ରହ ଅଭିଯାନରେ ସଭ୍ୟପଦ ନବୀକରଣ କରିନଥିବାରୁ ସେ ଟେକ୍ନିକାଲି ବିଜେଡିରେ ନଥିବା ଅମର କହିଛନ୍ତି । ଯେଉଁଥି ପାଇଁ ଦଳ ଗଠନ କରାଯାଇଥିଲା ତାର ମୌଳିକ ଉଦ୍ଦେଶ୍ୟ ପରାହତ ହେଉଛି । ବିଜେଡି ଗଠନ ବେଳେ ସଂଘର୍ଷର ଦେଖିନଥିବା ଲୋକ ବେଶୀ କହୁଛନ୍ତି । ସେମାନଙ୍କ ଅପରିପକ୍ବତା ପ୍ରତି ଦୟା ଆସୁଥିବା ଅମର କହିଛନ୍ତି । ତାଙ୍କ ପୁତୁରା କେହି ବିଜେପିକୁ ଯାଇନାହାନ୍ତି । ବିଭିନ୍ନ ରାଜନୈତିକ ଦଳ ତାଙ୍କ ସହ ନିର୍ବାଚନ ସମୟରେ ଯୋଗାଯୋଗରେ ଥିଲେ। ତେବେ ସେ ସକ୍ରିୟ ରାଜନୀତିରୁ ନିବୃତ ରହିଥିବା ଅମର କହିଛନ୍ତି ।

କେଉଁ ଦଳକୁ ଯିବେ ଅମର?

ନିର୍ବାଚନ ବେଳେ ବଡଚଣାରେ ୬ଥରର ବିଧାୟକ ଅମର ଶତପଥୀଙ୍କ ଟିକେଟ୍ କାଟି ସିନେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟିକେଟ୍ ଦେଇଥିଲା ବିଜେଡି । ଏହାପରେ ଅମର ଅସନ୍ତୋଷ ଝାଡିଥିଲେ ବି ଦଳ ନିଷ୍ପତ୍ତି ବଦଳାଇନଥିଲା । ଦଳ ପାଇଁ ନିର୍ବାଚନ ପ୍ରଚାର କରିନଥିଲେ ଅମର । ଫଳରେ ବିଜେଡି ହାତରୁ ବଡଚଣା ଗଡ଼ ଖସିଥିଲା । ଏହାପରେ ନିର୍ବାଚନ ପରାଜୟର ଦାୟିତ୍ବ ନବୀନ ନେବାକୁ ସେ କହିଥିଲେ । ଏବେ ସବୁଠୁ ବଡ ପ୍ରଶ୍ନ, ବିଜେଡିରେ ରହିବେ ନା ଅନ୍ୟ କେଉଁ ଦଳକୁ ଯିବେ ଅମର ଶତପଥୀ? ଯଦି ବିଜେଡିରେ ରହିବେ, ତେବେ ସଭ୍ୟପଦ କାହିଁକି ନବୀକରଣ କଲେନି? ଯଦି ବିଜେଡି ଛାଡିବେ, ଅନ୍ୟ କେଉଁ ଦଳକୁ ଯିବେ? ସମର୍ଥକଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନେବାକୁ କହିଛନ୍ତି ଅମର।

ବିଜେଡିର ଅନ୍ୟତମ ବରିଷ୍ଠ ରାଜନେତା ଅମର ଶତପଥୀ ବଡଚଣା ବିଧାନସଭା ଆସନରୁ ୬ଥର ନିର୍ବାଚିତ ହୋଇଛନ୍ତି । ବିଜେଡି ସରକାରରେ ମନ୍ତ୍ରୀ ରହିବା ସହ ଦଳର ବିଭିନ୍ନ ପଦ ପଦବୀରେ ରହିଛନ୍ତି । ତାଙ୍କ ଭଳି ଅଭିଜ୍ଞ ନେତା ବିଜେଡି ଛାଡିଲେ ତାର ଆଖିଦୃଶିଆ ପ୍ରଭାବ ଦଳ ଉପରେ ପଡିପାରେ । କାରଣ ଏଥର ତାଙ୍କ ଟିକେଟ୍ କାଟିବାରୁ ପ୍ରଥମ ଥର ପାଇଁ ବଡ଼ଚଣା ହାତେଇଛି ବିଜେପି। ତେଣୁ ଅଭିଜ୍ଞ ନେତାଙ୍କୁ ଅଣଦେଖା ବିଜେଡି ପାଇଁ ସମସ୍ୟା ସୃଷ୍ଟି କରିପାରେ ।

Leave A Reply

Your email address will not be published.