Latest Odisha News

BREAKING NEWS

ଡ୍ରାଇଭିଂ ଟେଷ୍ଟିଂ ବେଳେ ଆଉ ହେବନି ପକ୍ଷପାତ…

ଭୁବନେଶ୍ବର: ଏଣିକି ଡ୍ରାଇଭିଂ ଟେଷ୍ଟିଂ ବେଳେ ଜଗିବ ଆର୍ଟିଫିସିଆଲ ଇ​​‌ଣ୍ଟେଲିଜେନ୍ସ (ଏଆଇ) । ଗତବର୍ଷ ୬ଟି ସ୍ଥାନରେ ପରୀକ୍ଷାମୂଳକ ଭାବେ ଏହି ବ୍ୟବସ୍ଥାର ପ୍ରୟୋଗ କରାଯାଇଥିଲା ଯାହା ସଫଳ ହୋଇଛି । ଏହା ପରେ ଏବେ ପ୍ରାଥମିକ ପର୍ଯ୍ୟାୟରେ ୧୯ଟି ସ୍ଥାନରେ ଏଆଇ ଟେଷ୍ଟିଂ କରାଯିବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କହିଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ।

ତେବେ ଡ୍ରାଇଭିଂ ଟେଷ୍ଟିଂ ବେଳେ ଅନେକ ସ୍ଥାନରେ ଅନେକ ସମୟରେ ପକ୍ଷପାତ କରୁଥିବା ଖବର ସାମ୍ନାକୁ ଆସିଥିଲା । ଯାହାଦ୍ବାରା ଏଥିରେ ଫେଲ୍ ହେଉଥିବା ଚଳକଙ୍କୁ ପାସ୍ କରିଦିଆଯାଉଥିଲା । କିନ୍ତୁ ଏଆଇ ଜଗିବା ପରେ ଏସବୁ ଆଉ ହୋଇପାରିବନି ।

ଅଭିଜ୍ଞସମ୍ପନ୍ନ ନହୋଇ ସେମିତି ପାସ୍ ହେଉଥିବାରୁ ଅନେକ ସମୟରେ ବହୁ ଦୁର୍ଘଟଣା ଖବର ସାମ୍ନାକୁ ଆସୁଛି । ତେଣୁ ଏଥିରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ସ୍ବୟଂଚାଳିତ ଯାନ ପରୀକ୍ଷା ପ୍ରଣାଳୀକୁ ଆପଣାଯାଇଛି ।

ଏହାଦ୍ବାରା ପରୀକ୍ଷା କରାଯାଉଥିବା ଟ୍ରାକ୍‌ କୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ବିକଶିତ କରାଯାଉଛି । ଟ୍ରାକ୍‌ ରେ କ୍ୟାମେରା, ସେନସର ଓ ରେଡାର ଦ୍ବାରା ପରିଚାଳନା କରାଯିବ । ପରୀକ୍ଷା ଦେବାକୁ ଆସୁଥିବା ଗାଡ଼ି ଚାଳକ ଯଦି କୌଣସି ତ୍ରୁଟି କରନ୍ତି ତେବେ ସାଙ୍ଗେ ସାଙ୍ଗେ ମେସିନ୍‌ ଜଣାଇଦେବ ଏବଂ ପରୀକ୍ଷା ଦେଉଥିବା ଚାଳକ ଜଣକ ପାସ୍‌ କି ଫେଲ୍‌ ତାହା ମଧ୍ୟ ନିର୍ଦ୍ଧାରଣ କରିଦେବ ।

ଏହା ବ୍ୟତୀତ କ୍ୟାମେରା ଜରିଆରେ ଚାଳକଜଣକ ଠିକ୍ ଭାବେ ଗାଡ଼ି ଚାଳନା କରୁଛନ୍ତି ନା ନାହିଁ ତାହା ପ୍ରମାଣ ରହିବ । କୌଣସି ପରୀକ୍ଷକ ଅଭିଯୋଗ କଲେ ତାହାକୁ ଦେଖାଇ ଦିଆଯାଇ ପାରିବ ।

ପରିବହନ ବିଭାଗ ପକ୍ଷରୁ ଆଗାମୀ ଦିନରେ ସମସ୍ତ ୩୮ ଆରଟିଓ/ଏଆରଟିଓରେ ଏହାକୁ ଲାଗୁ କରାଯିବାର ଯୋଜନା ରହିଛି । ୧୯ଟି ଆରଟିଓରେ ଏହାର ପରିଚାଳନା ପିପିପି ମୋଡ୍‌ ରେ କରାଯାଉଛି । ରାଜ୍ୟ ବାହାରର ଏକ କମ୍ପାନୀ ସହଯୋଗ ଯୋଗାଇ ଦେଉଛି ।

Leave A Reply

Your email address will not be published.