Latest Odisha News

BREAKING NEWS

ପୁଣି ହରିୟାଣାରେ ନାଏବ ସରକାର: ଦ୍ବିତୀୟ ଥର ପାଇଁ ଶପଥ ନେଲେ

ପଞ୍ଚକୁଳା: ପୁଣି ହରିୟାଣା ଶାସନ ଭାର ସମ୍ଭାଳିଲେ ନାଏବ ସରକାର । ଦ୍ବିତୀୟ ଥର ପାଇଁ ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନାଏବ ସିଂ ସୈନୀ । ତାଙ୍କ ସହିତ ତାଙ୍କ ମନ୍ତ୍ରୀମଣ୍ଡଳର ୧୩ ଜଣ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି ।  ପଞ୍ଚକୁଳାସ୍ଥିତ ସେକ୍ଟର ୫ ପରେଡ୍ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିବା ବେଳେ ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବିଜେପିର ଅନ୍ୟ ବରିଷ୍ଠ ନେତାପ୍ରମୁଖ ଯୋଗଦେଇଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସମେତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀମାନେ ମଧ୍ୟ ସୈନିଙ୍କ ଶପଥ ଉତ୍ସବରେ ନଜର ଆସିଛନ୍ତି ।

ତେବେ କହିରଖୁଛୁ, ଅକ୍ଟୋବର ୫ରେ ହରିୟାଣା ସାଧାରଣ ନିର୍ବାଚନ ହୋଇଥିବା ବେଳେ ୮ରେ ଭୋଟ୍ ଗଣତି ହୋଇଥିଲା। ସମସ୍ତ ଏକଜିଟ୍ ପୋଲର ଆକଳନକୁ ଭୁଲ୍ ପ୍ରମାଣିତ କରି କ୍ଷମତାକୁ ଆସିଥିଲା ବିଜେପି । ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରୁ ବିଜେପି ୪୮ଟି ଆସନ ଅଧିକାର କରି ଐତିହାସିକ ବିଜୟ ହାସଲ କରିଥିଲା । ଅନ୍ୟପଟେ କଂଗ୍ରେସ ମାତ୍ର ୧୧ରେ ସୀମିତ ରହିଥିଲା। ଫଳରେ ବହୁମତ ସହ ବିଜେପି ହରିୟାଣାରେ ହ୍ୟାଟ୍ରିକ ମାରିଛି । ନିର୍ବାଚନ ପୂର୍ବରୁ ସରକାର ବଦଳାଇ ପୁଣି ତୃତୀୟ ଥର ପାଇଁ ବିଜେପି କ୍ଷମତାକୁ ଆସିଛି ହରିୟାଣା ଶାସନ । ନିର୍ବାଚନର ୬ ମାସ ପୂର୍ବରୁ ପୂର୍ବତନ ହରିୟାଣା ମୁଖ୍ୟମନ୍ତ୍ରୀ ମନହର ଲାଲ ଖଟ୍ଟରଙ୍କୁ ସ୍ଥାନାନ୍ତରିତ କରି ନାଏବ ସିଂ ସୈନୀଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା ବିଜେପି । ଆଜି ପୁଣି ଥରେ ଦ୍ବିତୀୟ ଥର ପାଇଁ ହରିୟାଣାରେ ନାଏବ ସରକାର ଗଠନ ହୋଇଛି ।

Leave A Reply

Your email address will not be published.