Latest Odisha News

BREAKING NEWS

ବାତ୍ୟା ପାଇଁ ସବୁ ଡାକ୍ତରଙ୍କ ଛୁଟି ବାତିଲ

ଭୁବନେଶ୍ୱର: ବାତ୍ୟା ଯୋଗୁଁ ସବୁ ଡାକ୍ତରଙ୍କ ଛୁଟି ବାତିଲ କଲେ ସରକାର l ସମ୍ଭାବ୍ୟ ବାତ୍ୟା ଦାନା ପାଇଁ ସମସ୍ତ ଡାକ୍ତରଙ୍କ ଛୁଟି ବାତିଲ କରାଯାଇଛି l ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର l ସେହିପରି ଡାଇରିଆ ଓ ସର୍ପାଘାତ ଔଷଧ ସବୁ ମେଡିକାଲରେ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯିବ ସହ ହସ୍ପିଟାଲରେ ୨୪ ଘଣ୍ଟିଆ ପାଓ୍ୱାର ବ୍ୟାକ୍ ଅପ୍ ରଖିବାକୁ କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ l ଏଥିସହ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଡାକ୍ତରୀ ଟିମ୍ ପଠାଯାଇ ସେବା ଦିଆଯିବ l ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ଓ ବ୍ଲକସ୍ତରରେ କଣ୍ଟ୍ରୋଲ ରୁମ୍ କରି ମନିଟର କରାଯାଉଛି l ଗତକାଲିଠୁ ଗର୍ଭବତୀଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଚାଲିଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର l ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଗତକାଲି ରାଜ୍ୟ ସକରାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି । ୨୩ରୁ ୨୫ତାରିଖ ପର୍ଯ୍ୟନ୍ତ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ସହ ହେଡକ୍ୱାର୍ଟରରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପଟେ ସମ୍ଭାବ୍ୟ ବାତ୍ୟାଟି ଅବପାତରେ ପରିଣତ ହୋଇଛି l ଆଜି ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ l କାଲି ସକାଳେ ଏହା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି l କାଳକ୍ରମେ ଏହା ଭୀଷଣ ବାତ୍ୟାରେ ରୂପାନ୍ତରିତ ହୋଇ ସ୍ଥଳଭାଗ ମୁହଁ ହେବ l ୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳ ମଧ୍ୟରେ ଏହା ସ୍ଥଳଭାଗ ଅତିକ୍ରମ କରିବ l ପୁରୀରୁ ସାଗରଦ୍ବୀପ ମଧ୍ୟରେ ଏହାର ପ୍ରଭାବ ରହିବ l ପୁରୀରୁ ୨୪ ପ୍ରଗଣା ଜିଲ୍ଲା ମଧ୍ୟରେ ପ୍ରବଳ ବର୍ଷା, ପବନ ହେବ l ସ୍ଥଳଭାଗ ଛୁଇଁଲା ବେଳେ ପବନ ବେଗ ୧୦୦ରୁ ୧୨୦ କିମି ରହିବ l ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ଏହାର ବେଶୀ ପ୍ରଭାବ ରହିବ l କିଛି ଜାଗାରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର l

ବାତ୍ୟା ପ୍ରଭାବରେ ଆସନ୍ତାକାଲି ସଂଧ୍ୟାପରଠାରୁ ପାଗ ପରିବର୍ତ୍ତନ ହେବ । ଏନେଇ ୭ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ଭଦ୍ରକ, ବାଲେଶ୍ବର, ଜଗତସିଂପୁର, କେନ୍ଦ୍ରାପଡା, ଯାଜପୁର, ପୁରୀ, ଗଞ୍ଜାମ, ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷିବ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ସବୁ ବନ୍ଦରକୁ ୧ ନମ୍ବର ବିପଦ ସଙ୍କେତ ଜାରି କରିଛି ପାଣିପାଗ ବିଭାଗ । ପୁରୀ, ଗୋପାଳପୁର, ପାରାଦୀପ ଏବଂ ଧାମରା ବନ୍ଦରକୁ ବିପଦ ସଙ୍କେତ ଜାରି ହୋଇଛି । ଏଥିସହିତ ଆଜିଠୁ ୨୫ ତାରିଖ ଯାଏଁ ସମୁଦ୍ରକୁ ନ ଯିବାକୁ ମତ୍ସଜୀବୀଙ୍କୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.