ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ପାଇଁ ରିଟେନଶନ ତାଲିକା ପ୍ରକାଶ କରିବା ଶେଷ ତାରିଖ ୩୧ ଅକ୍ଟୋବର ରହିଛି । ଏଥିପାଇଁ ସମସ୍ତ ଫ୍ରାଂଚାଇଜର ରଣକୌଶଳ ପ୍ରସ୍ତୁତ କରି ସାରିଛନ୍ତି । ରିପୋର୍ଟ ମୁତାବକ ଗୁଜରାଟ ଟାଇଟାନ୍ସର ଅଧିନାୟକ ଶୁଭମନ ଗିଲଙ୍କ ପଦକ୍ଷେପ ପ୍ରଶଂସକଙ୍କ ମନ ଜିଣିଛି । ଗିଲ ଅର୍ଥ ଅପେକ୍ଷା ଟିମକୁ ପ୍ରାଥମିକତା ଦେଇଛନ୍ତି । ରଶିଦ ଖାଁଙ୍କୁ ପ୍ରଥମ ରିଟେନଶନ ରଖିବା ପାଇଁ ଗିଲ ପରାମର୍ଶ ଦେଇଥିଲେ । ଫଳରେ ଫ୍ରାଂଚାଇଜକୁ ମୋଟା ଅଙ୍କର ଫାଇଦା ହେବ ଏବଂ ଆବଶ୍ୟକ ପଡିଲେ ଅନ୍ୟ ଭଲ ଖେଳାଳିଙ୍କୁ ମେଗା ନିଲାମରେ କ୍ରୟ କରିପାରିବେ ।
ଗିଲ ଦ୍ୱିତୀୟ ରିଟେନଶନ ରହିଛନ୍ତି । ସେହିପରି ଅନକ୍ୟାପଡ ଖେଳାଳି ରାହୁଲ ଟେୱାଟିଆ ଓ ଶାହାରୁଖ ଖାଁଙ୍କୁ ମଧ୍ୟ ଦଳ ରିଟେନ କରିବ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ପ୍ରଥମ ରିଟେନଶନରେ ଥିବା ଖେଳାଳିଙ୍କୁ ୧୮ କୋଟି ମିଳିବ । ଏହା ପରେ ଦ୍ୱିତୀୟରେ ଥିବା ଖେଳାଳିଙ୍କୁ ୧୪ ଏବଂ ତୃତୀୟ ରିଟେନଶନକୁ ୧୧ କୋଟି ମିଳିବ ।
ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଟ୍ରେଡ କରିବା ପରେ ଗୁଜରାଟ ଟାଇଟାନ୍ସ ଗିଲଙ୍କୁ ଭରୋଷା କରି ଅଧିନାୟକ ପଦ ପ୍ରଦାନ କରିଥିଲା । ଦଳର ପ୍ରଦର୍ଶନ ଅବଶ୍ୟ ଗତ ସଂସ୍କରଣରେ ଉତ୍ସାହଜନକ ରହି ନ ଥିଲା । ଏହା ପୂର୍ବରୁ ହାର୍ଦ୍ଦିକଙ୍କ ନେତୃତ୍ୱରେ ଦଳ ତାର ପ୍ରଥମ ସଂସ୍କରଣରେ ଚାମ୍ପିୟନ ହୋଇଥିବା ବେଳେ ଦ୍ୱିତୀୟ ଥର ରନର୍ସଅପ ହୋଇଥିଲା । ରଶିଦ ଗୁଜରାଟ ମୂଖ୍ୟ ଅସ୍ତ୍ର ଭାବେ ବିବେଚନା କରାଯାଏ । ସେଥିପାଇଁ ଗିଲ ତାଙ୍କୁ ହାତଛଡା କରିବାକୁ ଚାହିଁ ନ ଥିଲେ ।
Comments are closed.