ଭୋପାଲ: ଦେଶ ପାଳୁଛି ଆଇରନ୍ ମ୍ୟାନ୍ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଦିନ । ଆଜିର ଦିନରେ ଅର୍ଥାତ୍ ୩୧ ଅକ୍ଟୋବରରେ ଭାରତରେ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଏ । ତାଙ୍କୁ ଭାରତର ଜାତୀୟ ଏକତାର ସ୍ଥପତି ଭାବରେ ସ୍ମରଣ କରାଯାଇଥାଏ। ଦେଶର ସୁରକ୍ଷା, ଏକତା ଏବଂ ଅଖଣ୍ଡତା ବଜାୟ ରଖିବା ପାଇଁ ଏହା ଏକ ପ୍ରତିବଦ୍ଧତାର ଦିନ। ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶର ଏକତା ବଜାୟ ରଖିବାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଅବଦାନକୁ ସମ୍ମାନ ଦେବା।
୧୮୭୫ରେ ଗୁଜରାଟର ନଦିୟାଦରେ ଜନ୍ମଗ୍ରହଣ କରିଥିଲେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ। ସେ ପେସାରେ ଜଣେ ଓକିଲ ଥିଲେ । ତେବେ ରାଷ୍ଟ୍ରବାଦୀ ଗୁଣ ହିଁ ତାଙ୍କୁ ସ୍ବାଧୀନତା ସଂଗ୍ରାମୀର ପରିଚୟ ପ୍ରଦାନ କରିଛି। ସେ ଥିଲେ ସ୍ବାଧୀନ ଭାରତର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ। ତାଙ୍କର ଦୃଢ଼ ସଂକଳ୍ପ ବଳରେ ଭାରତରେ ୫୬୫ଟି ସ୍ୱାଧୀନ ଗଡ଼ଜାତ ରାଜ୍ୟ ମିଶିଥିଲେ। ସେଥିପାଇଁ ତାଙ୍କୁ ଏକତାର ପ୍ରତୀକ ବୋଲି ମଧ୍ୟ କୁହାଯାଇଥାଏ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଗୁଜୁରାଟରେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏକ୍ସରେ ଏକ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଭାରତ ରତ୍ନ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀରେ ମୋର ପ୍ରଣାମ । ଦେଶର ଏକତା ତଥା ସାର୍ବଭୌମତ୍ୱ ରକ୍ଷା କରିବା ତାଙ୍କ ଜୀବନର ସର୍ବୋଚ୍ଚ ପ୍ରାଥମିକତା। ତାଙ୍କର ବ୍ୟକ୍ତିତ୍ୱ ଏବଂ କାର୍ଯ୍ୟ ଦେଶର ପ୍ରତ୍ୟେକ ପିଢିକୁ ସର୍ବଦା ପ୍ରେରଣା ଯୋଗାଇବ ।
କେବଡିଆ ଗୁଜୁରାଟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ବାର୍ଷିକୀ ଅବସରରେ ଲୋକଙ୍କୁ ଏକତାର ଶପଥ ପାଠ କରିଥିଲେ। ଦେଶ ସ୍ଵାଧୀନତା ପରେ ଦେଶକୁ ଏକ ରଖିବାର ମୁଖ୍ୟ ଭୁମିକା ଗ୍ରହଣ କରିଥିଲେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ । ତାଙ୍କର ବ୍ୟକ୍ତିତ୍ୱ ଏବଂ ଦେଶର ଅଗ୍ରଗତି ଦିଗରେ ତାଙ୍କର ଅବଦାନକୁ ମନେ ପକାଇ ପ୍ରତିବର୍ଷ ତାଙ୍କର ଜନ୍ମ ବାର୍ଷିକୀକୁ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଏ । ଏହି ଅବସରରେ ବିଶ୍ୱର ଉଚ୍ଚତମ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ରେ ଏକ ସାମରିକ ପରେଡର ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଦେଶର ୧୬ ଟି ଦଳ ଅଂଶଗ୍ରହଣ କରିଥିଲେ ।