ଭୁବନେଶ୍ୱର: ଆଜିକାଲି ଯାହା ହାତରେ ଦେଖ ଗୋଟେ ଗୋଟେ ଫୋନ। ଛୁଆ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଜୀବନର ଏବେ ମୋବାଇଲ୍ ଫୋନ ଅବିଚ୍ଛେଦ ଅଙ୍ଗ। ବିନା ଫୋନରେ ତ ଆମର କିଛି ବି କାମ ହେବନାହିଁ। ଏଭଳି ସ୍ଥଳରେ ବେଳେ ବେଳେ ଆମଠାରୁ ଫୋନକୁ ଦୂରେଇ ରଖିବା ହିଁ ଭଲ ବୋଲି କିଛି ବିଶେଷଜ୍ଞ କୁହନ୍ତି। ଜରୁରୀ ଆବଶ୍ୟକ ନଥିଲେ ମୋବାଇଲ୍ ବ୍ୟବହାରକୁ ବାରଣ କରୁଛନ୍ତି ବିଶେଷଜ୍ଞ। ବିଶେଷ କରି ଛୋଟ ପିଲା ଓ ଗର୍ଭବତୀ ମହିଳାମାନଙ୍କୁ ମୋବାଇଲ୍ ବ୍ୟବହାର ନ କରିବାକୁ ପରାମର୍ଶ ଦେଇଛନ୍ତି।
ତେବେ ଏହାକୁ ନେଇ ବିଶେଷଜ୍ଞ କୁହନ୍ତି, ସ୍ମାର୍ଟଫୋନ୍, ଲ୍ୟାପଟପ୍, ବ୍ଲୁଟୁଥ୍ ଆଦି ସୂଚନାପ୍ରଯୁକ୍ତି ଉତ୍ପାଦରୁ ବିକିରଣ ହେଉଥିବା ତରଙ୍ଗ ଗର୍ଭ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ। ସ୍ମାର୍ଟଫୋନ୍ର ବହୁଳ ବ୍ୟବହାର ଯୋଗୁ ଗର୍ଭପାତ ସମସ୍ୟା ବଢ଼ୁଛି ବୋଲି ବିଭିନ୍ନ ଗବେଷଣାରୁ ଜଣାପଡିଛି। ଗର୍ଭାବସ୍ଥାରେ ସ୍ମାର୍ଟଫୋନ୍ର ବ୍ୟବହାର ଦ୍ୱାରା ଗର୍ଭପାତ ସମସ୍ୟା ଦେଖା ଦେଇଥାଏ। ପ୍ରଥମେ ୯୧୩ ଗର୍ଭବତୀ ମହିଳାଙ୍କ ନେଇ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଥିଲା ଅଧିକ ସମୟ ଏସବୁ ଉତ୍ପାଦ ସହିତ ଜଡିତ ରହୁଥିବା ଗର୍ଭବତୀ ମହିଳାଙ୍କ ଗର୍ଭସ୍ଥ ଭୃଣ ଉପରେ ନନ୍-ଆୟୋନାଇଜିଂ ବିକିରଣର ପ୍ରଭାବ ପଡିଥାଏ। ଦିନରେ ୩ରୁ ୪ ଘଣ୍ଟା ସୂଚନା ପ୍ରଯୁକ୍ତି ଉତ୍ପାଦ ସହିତ ଜଡିତ ରହୁଥିବା ଗର୍ଭବତୀ ମା’ ମାନଙ୍କ ଉପରେ ମଧ୍ୟ ଏହାର ଖରାପ ପ୍ରଭାବ ପଡିଥାଏ ବୋଲି ଆମେରିକା ହେଲଥ୍ କେୟାର ଫାର୍ମର ଚର୍ମ ତତ୍ତ୍ୱ ବିଶେଷଜ୍ଞ ଡାକ୍ତର ଡେ- କୁନ୍ ଲି କହିଛନ୍ତି। ଗର୍ଭାବସ୍ଥାରେ ଏଭଳି ସ୍ଥିତିଠାରୁ ଦୂରେଇ ରହିବା ଉଚିତ୍। ଅଧିକ ସମୟ ଧରି ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ମହିଳା ମାନଙ୍କର ଯଦି ବା ଗର୍ଭପାତ ନ ହୁଏ ତେବେ ପରବର୍ତ୍ତୀ ସମୟରେ ଜନ୍ମ ଲାଭ କରୁଥିବା ଶିଶୁଠାରେ ମାନସିକ ବିକୃତି ଦେଖାଯିବାର ଆଶଙ୍କା ରହିଥାଏ ବୋଲି ଗବେଷକମାନେ ମତ ରଖିଛନ୍ତି।
ଏଥିସହିତ ଆଜିକାଲି ପିତାମାତା ମାନେ ଶିଶୁପିଲାଟିର ମନୋରଞ୍ଜନ ପାଇଁ ତାକୁ ମୋବାଇଲ୍ ଫୋନ ବ୍ୟବହାର କରିବାକୁ ଦେଇଥାନ୍ତି। ଯାହା ଫଳରେ ଏଥିରୁ ବିକିରଣ ହେଇଥିବା ଇଲୋକ୍ଟ୍ରୋ ମାଗ୍ନେଟିକ୍ ରାଡ଼ିଏସନ୍ ଶିଶୁର ମସ୍ତିସ୍କ ପ୍ରତି କୁପ୍ରଭାବ ପକାଇଥାଏ। ଏଥିପାଇଁ ସେମାନଙ୍କ ସ୍ମରଣଶକ୍ତିହ୍ରାସ ପାଇବା ସହ ଦୃଷ୍ଟିଶକ୍ତି ମଧ୍ୟ କମ ବୟସରୁ ହ୍ରାସ ପାଇଥାଏ।