ମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଏଠାରେ ଶୁକ୍ରବାରଠାରୁ ତୃତୀୟ କ୍ରିକେଟ ଟେଷ୍ଟ ଆରମ୍ଭ ହୋଇଛି । ପ୍ରଥମ ଦିବସରେ ସ୍ପିନରଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଛି । ଉଭୟ ଟିମର ୧୪ଟି ୱିକେଟ ପଡିଥିବା ବେଳେ ସ୍ପିନରମାନେ ୧୧ଟି ଅକ୍ତିଆର କରିଛନ୍ତି । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୩୫ ରନ କରି ଅଲଆଉଟ ହୋଇ ଯାଇଥିଲା । ରବୀନ୍ଦ୍ର ଜାଡେଜା ୫ଟି ଓ ୱାଶିଂଟନ ସୁନ୍ଦର ୪ଟି ୱିକେଟ ନେଇଥିଲେ । ୱିଲ ୟଙ୍ଗ ୭୧ ଓ ଡାରେଲ ମିଚେଲ ୮୨ ରନର ଇନିଂସ ଖେଳିଥିଲେ । ଜବାବରେ ଷ୍ଟମ୍ପସ ଅପସାରଣ ବେଳକୁ ଟିମ ଇଣ୍ଡିଆ ୪ ୱିକେଟ ହରାଇ ୮୬ ରନ ସଂଗ୍ରହ କରିଛି । ଭାରତ ଏବେ ବି ନ୍ୟୁଜିଲାଣ୍ଡ ସ୍କୋରଠାରୁ ୧୪୯ ରନ ପଛରେ ରହିଛି ।
ଶୁଭମନ ଗିଲ ୩୧ ଓ ରିଷଭ ପନ୍ତ ୧ ରନ କରି ଅପରାଜିତ ଅଛନ୍ତି । ଯଶସ୍ୱୀ ଜୈସୱାଲ ୩୦, ରୋହିତ ଶର୍ମା ୧୮, ବିରାଟ କୋହଲି ୪ ଓ ମହମ୍ମଦ ସିରାଜ ଖାତା ଖୋଲି cନ ପାରି ପ୍ୟାଭିଲିୟନ ଫେରି ଯାଇଛନ୍ତି । ଆଜାଜ ପଟେଲ ୨ଟି ଓ ମାଟ୍ଟ ହେନେରୀ ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି । ୩ ମ୍ୟାଚ ବିଶିଷ୍ଟ ସିରିଜରେ ନ୍ୟୁଜିଲାଣ୍ଡ ୨-୦ରେ ଅଗ୍ରଣୀ ରହି ଆଗୁଆ ସିରିଜ ଜିତିନେଇଛି । ୭୮ ରନରେ ଗୋଟିଏ ୱିକେଟ ହରାଇ ଭଲ ସ୍ଥିତିରେ ଥିବା ଭାରତ ଦାୟିତ୍ୱହୀନତା ଯୋଗୁ ୬ ରନରେ ଶେଷ ୩ଟି ୱିକେଟ ହରାଇଥିଲା ।