ଶ୍ରୀନଗର: ଗତ କିଛି ଦିନ ହେବ ଜାମ୍ମୁ କାଶ୍ମୀରରେ ଆତଙ୍କବାଦ ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩ଟି ଆତଙ୍କବାଦୀ ଆକ୍ରମଣ ହୋଇଛି। ଯେଉଁଥିରେ ଗତକାଲି ବୁଦ୍ଧଗାମ ଏବଂ ବାନ୍ଦିପୋରାରେ ଗୁଳି ବିନିମୟ ହୋଇଥିଲା ବେଳେ ଆଜି ଶ୍ରୀନଗରରେ ଗୁଳି ବିନିମୟ ହୋଇଥିଲା। ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ୍ ଅବଦୁଲ୍ଲା ଆତଙ୍କବାଦର ଏହି ବୃଦ୍ଧି ଘଟଣାରେ ଷଡ଼ଯନ୍ତ୍ର କରାଯାଉଥିବା ନେଇ ଅଭିଯୋଗ ହୋଇଛି।
ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ ଏହି ଆକ୍ରମଣ କ୍ରାଇସିସ୍ ସୃଷ୍ଟି କରିବାର ଏକ ପ୍ରୟାସ। ଆକ୍ରମଣକାରୀଙ୍କୁ ଧରାଯିବା ଉଚିତ ଯାହାଫଳରେ ଆମେ ଜାଣିପାରିବା ଯେ ଏହି ଆତଙ୍କବାଦୀଙ୍କ ପଛରେ କିଏ ଅଛନ୍ତି। ସେମାନଙ୍କୁ ହତ୍ୟା କରାଯିବା ଉଚିତ୍ ନୁହେଁ। ସେ କହିଛନ୍ତି ସେମାନଙ୍କୁ ଧର ଏବଂ ଏହି ସବୁ କାମ କିଏ କରୁଛି ବୋଲି ପଚାର। ଏହି ଘଟଣାଗୁଡ଼ିକ ବର୍ତ୍ତମାନ କାହିଁକି ଘଟୁଛି। କାହିଁକି ଏହି ଆକ୍ରମଣ ପୂର୍ବରୁ ବନ୍ଦ ହୋଇଯାଇଥିଲା ଏବଂ ପୁଣି ବର୍ତ୍ତମାନ କାହିଁକି ଘଟୁଛି?
ଫାରୁକ୍ ଅବଦୁଲ୍ଲାଙ୍କ ସମର୍ଥନ କରିଛନ୍ତି ଶରଦ ପାୱାର। ସେ କହିଛନ୍ତି ଯେ ଯଦି ଏତେ ବଡ଼ ନେତା ଏଭଳି କିଛି ବିବୃତ୍ତି ଦେଉଛନ୍ତି, ତେବେ କେନ୍ଦ୍ର ସରକାର ଏବଂ ଗୃହ ମନ୍ତ୍ରାଳୟ ଏହାକୁ ଗୁରୁତ୍ୱର ସହ ନେବା ଜରୁରୀ। ଅପରପକ୍ଷରେ ଆତଙ୍କବାଦ ପ୍ରସଙ୍ଗରେ ଫାରୁକ ଅବଦୁଲ୍ଲାଙ୍କ ତଦନ୍ତ ଦାବିକୁ ନିନ୍ଦା କରିଛି ବିଜେପି।