Latest Odisha News

BREAKING NEWS

ମହାନଦୀ ଜଳ ବିବାଦର ସମାଧାନ ପାଇଁ କ’ଣ ହୋଇଛି ଆଲୋଚନା, ସାର୍ବଜନୀନ କରନ୍ତୁ ମୁଖ୍ୟମନ୍ତ୍ରୀ :ମହାନଦୀ ବଞ୍ଚାଅ ଆନ୍ଦୋଳନ

ଭୁବନେଶ୍ୱର: ମହାନଦୀ ଜଳ ବିବାଦର ଖୁବଶୀଘ୍ର ସମାଧାନ ହେବ। ଏ ଦିଗରେ ଛତିଶଗଡ ସହିତ ସେ ଦୁଇଥର କଥା ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଲାଙ୍ଗୀର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ମହାନଦୀ ବଞ୍ଚାଅ ଆନ୍ଦୋଳନ ଏହାକୁ ସ୍ଵାଗତ କରିବା ସହିତ କେଉଁ ବିଷୟରେ ଆଲୋଚନା ହୋଇଛି ଏବଂ ଜଳ ବିବାଦର ସମାଧାନର ପ୍ରକ୍ରିୟା କ’ଣ ରହିଛି ତାକୁ ସାର୍ବଜନୀନ କରିବା ପାଇଁ ଦାବି କରିଛି। ଏହି ଜଳ ବିବାଦର ସମାଧାନ ପାଇଁ ମହାନଦୀ ଟ୍ରିବୁନାଲ୍ ଗଠିତ ହୋଇଛି। ୨୦୧୮ ମସିହା ମାର୍ଚ୍ଚ ମାସରେ ଏହା ସୁପ୍ରିକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗଠିତ ହୋଇଥିଲା। ଆଇନ ଅନୁଯାୟୀ ତିନି ବର୍ଷ ଭିତରେ ଟ୍ରିବୁନାଲ ତାଙ୍କ ରାୟ ପ୍ରଦାନ କରିବା ଉଚିତ। ମାତ୍ର ଏହା ଭିତରେ ୭ ବର୍ଷ ବିତି ଯାଇଥିଲେ ମଧ୍ୟ ସମାଧାନ ଦିଗରେ କିଛି ଅଗ୍ରଗତି ହୋଇ ନାହିଁ । ଗତ ୭ମାସ ଧରି ଟ୍ରିବୁନାଲର ଅଧ୍ୟକ୍ଷ ପଦ ଖାଲି ପଡ଼ିଛି ଏବଂ ଏହି ସମୟ ଭିତରେ ଏହାର କୌଣସି ବୈଠକ ମଧ୍ୟ ହୋଇନାହିଁ । ଜଳ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର କେତେ ତତ୍ପର ଏଥିରୁ ତାହା ସ୍ପଷ୍ଟ ଅନୁମେୟ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।
ଆପୋଷ ଆଲୋଚନା ମାଧ୍ୟମରେ ମହାନଦୀ ଜଳ ବିବାଦର ସମାଧାନ ରାସ୍ତା ରହିଛି । ବର୍ତ୍ତମାନ କେନ୍ଦ୍ର, ଓଡ଼ିଶା ଓ ଛତିଶଗଡ଼ ରେ ବିଜେପି କ୍ଷମତାରେ ଅଛି ।  ଅର୍ଥାତ ଏବେ ଟ୍ରିପଲ ଇଞ୍ଜିନ ସରକାର।  ତେଣୁ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନର ସମ୍ଭାବନା ରହିଛି ।  ଅଣ ମୌସୁମୀ ସମୟରେ ମହାନଦୀରେ ଜଳ ସଙ୍କଟ ଦେଖା ଦେଉଛି ।  ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର କମି ଯାଉଛି ।  ଚଳିତ ବର୍ଷ ଅକ୍ଟୋବର ମାସରେ ଏହି ଜଳକଷ୍ଟ ଦେଖା ଦେଲାଣି ।  ଅକ୍ଟୋବର ମାସରେ ଛତିଶଗଡ କଲମା ବ୍ୟରେଜର ସମସ୍ତ ଗେଟ ବନ୍ଦ ହୋଇ ସାରିଲାଣି। ଚଳିତ ବର୍ଷ ଖରା ଦିନରେ ଏହି ଜଳ ସଙ୍କଟ ଅତି ଉତ୍କଟ ହେବାର ସମ୍ଭାବନା ଦେଖାଦେଇଛି।  ମହାନଦୀର ନିରନ୍ତର ପ୍ରବାହ ହେବା ନିତ୍ୟାନ୍ତ ଆବଶ୍ୟକ। ଏହାର ସମାଧାନ ପାଇଁ କଳମା ବ୍ୟାରେଜର ଗେଟ ଖୋଲା ରହିବା ଦରକାର।  ମୁଖ୍ୟମନ୍ତ୍ରୀ ଏଥି ପାଇଁ କି ପଦକ୍ଷେପ ନେବେ ବୋଲି ସଂଗଠନ ପ୍ରଶ୍ନ କରିଛି।

ସୂଚନା ଅନୁଯାୟୀ, ହୀରାକୁଦର ଜଳ ଅତି ମାତ୍ରାରେ ପ୍ରଦୂଷିତ ହେଇଛି ବୋଲି ରିପୋର୍ଟ ପ୍ରକାଶ ପାଇଛି ଏବଂ ଏହା ଉପରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଚିନ୍ତା ବ୍ୟକ୍ତ କରିଛନ୍ତି ।  ମୁଖ୍ୟମନ୍ତ୍ରୀ ଏହା ଉପରେ ମଧ୍ୟ ସରକାରଙ୍କ ଦୃଷ୍ଟିଭଙ୍ଗୀ କଣ ତାହା ସ୍ପଷ୍ଟ କରିବା ଉଚିତ।  ଓଡ଼ିଶାର ଜୀବନ ରେଖା ମହାନଦୀର ସୁରକ୍ଷା ପାଇଁ ସରକାର ବିଭିନ୍ନ ରାଜନୈତିକ ଦଳ, ବିଶେଷଜ୍ଞ, ସାମାଜିକ ଅନୁଷ୍ଠାନ ଇତ୍ୟାଦିଙ୍କୁ ନେଇ ଏକ ବୈଠକ ଡାକି ପରାମର୍ଶ କରିବା ପାଇଁ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ମୁଖପାତ୍ର ପ୍ରସନ୍ନ ବିଶୋଇ, ସଂଯୋଜକ ବିଜୟ ପ୍ରଧାନ, ପ୍ରକାଶ ରଥ, ସଚି ପ୍ରଧାନ, ନିରଦ ବରଣ ଖୁଣ୍ଟିଆ ପ୍ରମୁଖ  ଦୃଢ ଦାବୀ କରିଛନ୍ତି।

Comments are closed.