Latest Odisha News

ରାଜ୍ୟ ସରକାରଙ୍କ ଉପରେ ଭରସା କରୁନାହାନ୍ତି ଶିଳ୍ପ ଅନୁଷ୍ଠାନ: ବିଜେଡି

ଭୁବନେଶ୍ବର: ଆନ୍ଧ୍ର ପ୍ରଦେଶର ଅଙ୍କାପାଲି ଠାରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଗୋଟିଏ ବୃହତ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବ ବୋଲି କମ୍ପାନୀ ତରଫରୁ ଘୋଷଣା ହେବା ପରେ ଓଡ଼ିଶାରେ ଏହି କମ୍ପାନୀ ଦ୍ୱାରା ପ୍ରତିଷ୍ଠା ହେବାକୁ ଥିବା ପ୍ଲାଣ୍ଟକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଆଜି ଗଣମାଧ୍ୟମକୁ ବିବୃତି ଦେଇ ବିଜେଡ଼ି ବରିଷ୍ଠ ମିଡ଼ିଆ ସଂଯୋଜକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ରାଜ୍ୟ ବିଜେପି ସରକାରଙ୍କ ଅପାରଗତା କାରଣରୁ ଓଡିଶାରୁ ନିବେଶକମାନେ ଚାଲି ଯାଉଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଜାପାନ ଯାଇ ନିପନ ଷ୍ଟିଲ ସହିତ ଆଲୋଚନା କରିଥିଲେ। ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଓଡିଶା ସରକାରଙ୍କ ସହ ବିଶ୍ୱର ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା କରିବେ ବୋଲି ଚୁକ୍ତି କରିଥିଲେ। ଏହି ପ୍ରକଳ୍ପରେ କମ୍ପାନୀ ତରଫରୁ ପ୍ରାୟ ଏକ ଲକ୍ଷ ଚାଳିଶ ହଜାର କୋଟି ଟଙ୍କା ବିନିଯୋଗ ହୋଇଥାନ୍ତା। ସେହିପରି, ଏହି ପ୍ରକଳ୍ପ ପ୍ରତିଷ୍ଠା ହେଲେ, ରାଜ୍ୟର ରାଜସ୍ୱରେ ବଡ଼ ବୃଦ୍ଧି ହୋଇଥାନ୍ତା ଓ ରାଜ୍ୟର ଅନେକ ଯୁବକ ଯୁବତୀ ଏଥିରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ନିଯୁକ୍ତି ପାଇଥାନ୍ତେ। କିନ୍ତୁ ଏହି ପ୍ରକଳ୍ପ ଆନ୍ଧ୍ର ପ୍ରଦେଶକୁ ଚାଲି ଯାଉଛି ବୋଲି ଆମେ ଜାଣିବାକୁ ପାଉଛୁ, ଯାହା ରାଜ୍ୟ ପାଇଁ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ଜେନା କହିଥିଲେ।

ଓଡ଼ିଶାରେ ବର୍ତ୍ତମାନ ବିଜେପି ସରକାର ଅଛି, ଯାହା ଏକ ନିକମା ସରକାର ଓ ରିମୋଟ କଣ୍ଟ୍ରୋଲ ସରକାର ଭାବେ କାର୍ଯ୍ୟ କରୁଛି। ଏହି ସରକାର ଆସିବା ପରେ ଓଡିଶା ସହ ଚୁକ୍ତିବଦ୍ଧ ହୋଇଥିବା ଜେଏସଡବ୍ଲ୍ୟୁ  ଇଭି, ଯାହା କଟକର ନରାଜ ଠାରେ ପ୍ରତିଷ୍ଠା ହୋଇଥାନ୍ତା ଓ ଏଥିରେ ଚାଳିଶ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇଥାନ୍ତା, ତାହା ମଧ୍ୟ ଓଡ଼ିଶାରୁ ବିଦାୟ ନେଇଛି। ଏହି କମ୍ପାନୀ ତାର ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ମହାରାଷ୍ଟ୍ରରେ କରିସାରିଛି । ରାଜ୍ୟରେ ନୂଆ ସରକାର ଆସିବା ପରେ, ଯେଉଁ ନିବେଶକ ମାନେ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରୁଥିଲେ, ଏବେ ରାଜ୍ୟ ସରକାରଙ୍କ ଉପରେ ସେମାନଙ୍କ ଭରସା ପାଉନାହିଁ। ଏଥିପାଇଁ ଗୋଟିଏ ପରେ ଗୋଟିଏ ଶିଳ୍ପ ଅନୁଷ୍ଠାନ ରାଜ୍ୟରୁ ବିଦାୟ ନେବା ଆରମ୍ଭ କରିଛନ୍ତି ବୋଲି ସେ କହିଥିଲେ। ପୂର୍ବ ସରକାରଙ୍କ ସମୟରେ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପ୍ରଣୟନ ହୋଇଥିବା ଶିଳ୍ପ ନୀତି ଯୋଗୁ ଓଡିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଦେଶ ବିଦେଶରୁ ଶିଳ୍ପାନୁଷ୍ଠାନମାନ ଆକୃଷ୍ଟ ହୋଇଥିଲେ। ପୁଞ୍ଜି ନିବେଶ ଆଣିବା କ୍ଷେତ୍ରରେ ଓଡିଶା ଦେଶର ସବୁଠାରୁ ଅଗ୍ରଣୀ ରାଜ୍ୟର ମାନ୍ୟତା ପାଇଥିଲା। କିନ୍ତୁ ସରକାର ପରିବର୍ତ୍ତନ ହେବା ପରେ ନୂତନ ସରକାର ପୁଞ୍ଜି ନିବେଶକାରୀଙ୍କ ଭରସା ଜିତିବାରେ ସଫଳ ହୋଇ ପାରି ନାହାନ୍ତି ବୋଲି ଶ୍ରୀ ଜେନା କହିଛନ୍ତି।

Leave A Reply

Your email address will not be published.