Latest Odisha News

BREAKING NEWS

ବୟଫ୍ରେଣ୍ଡ…ବ୍ଲାକମେଲିଂ…ଗଣଦୁଷ୍କର୍ମ !

କଟକ: ବୟଫ୍ରେଣ୍ଡ ଦେଇଥିଲା ବିଶ୍ବାସରେ ବିଷ ! ଆପତ୍ତିଜନକ ଭିଡିଓ ଦେଖାଇ ବ୍ଲାକମେଲିଂ ! କଲେଜ ଛାତ୍ରୀଙ୍କୁ ବାରମ୍ବାର ଗଣଦୁଷ୍କର୍ମ! ବନ୍ଧାହେଲେ ବୟଫ୍ରେଣ୍ଡ ସହ ୬ଅଭିଯୁକ୍ତ । କଟକରେ ଏଭଳି ସାଂଘାତିକ ଅଭିଯୋଗ ଆସିଛି । ଛାତ୍ରୀଙ୍କ ବୟଫ୍ରେଣ୍ଡ ଓ ତାଙ୍କ ସାଙ୍ଗମାନେ ମିଶି ତାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଆପତ୍ତିଜନକ ଭିଡିଓ ଉଠାଇ ତାଙ୍କୁ ବ୍ଲାକମେଲ କରିବା ସହ ବାରମ୍ବାର ଗଣଦୁଷ୍କର୍ମ କରିଥିଲେ। ଏନେଇ ଅଭିଯୋଗ ହେବା ପରେ ପୋଲିସ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେପଟେ ଅଭିଯୁକ୍ତଙ୍କ ଫୋନ୍ ଜବତ କରି ଏସଏଫଏସଏଲକୁ ପଠାଯିବ ବୋଲି କଟକ ଡିସିପି କହିଛନ୍ତି।

ବାର୍ଥ ଡେ’ ପାର୍ଟିରୁ ବ୍ଲାକମେଲିଂ !

ଗତ ଦଶହରା ସମୟରେ କଟକ ପୁରୀଘାଟ ଥାନା ଅଞ୍ଚଳରେ ଏକ କାଫେରେ ଛାତ୍ରୀ ଜଣକ ନିଜ ଜନ୍ମଦିନ ପାଳନ କରିଥିଲେ । ତେବେ ସେଠାରେ ଛାତ୍ରୀଙ୍କ ଅଜାଣତରେ ତାଙ୍କ ଆପତ୍ତିଜନକ ଭିଡିଓ ଉତ୍ତୋଳନ କରିଥିଲା ବୟଫ୍ରେଣ୍ଡ । ଏଥିରେ କାଫେ ଚଳାଉଥିବା ଜଣେ ଯୁବକ ତାଙ୍କୁ ସହଯୋଗ କରିଥିଲେ । ପରେ ଭିଡିଓ ଦେଖାଇ ଛାତ୍ରୀଙ୍କୁ ବ୍ଲାକମେଲିଂ କରାଯାଇଥିବା ଅଭିଯୋଗ ହୋଇଛି । ଭିଡିଓ ଦେଖାଇ ଛାତ୍ରୀଙ୍କ ବୟଫ୍ରେଣ୍ଡ ଓ କାଫେ ମାଲିକ ତାଙ୍କୁ ବାରଙ୍ଗ ଅଞ୍ଚଳର ଏକ ଘରେ ଗଣଦୁଷ୍କର୍ମ କରିଥିଲେ । ଛାତ୍ରୀଙ୍କୁ ଦୁଇ ଦୁଇ ଥର ଗଣଦୁଷ୍କର୍ମ କରାଯାଇଥିଲା । ଏନେଇ କଟକ ବାଦାମବାଡି ଥାନାରେ ଅଭିଯୋଗ ହୋଇଛି ।

ବନ୍ଧାହେଲା ବିଶ୍ବାସଘାତକ ବୟଫ୍ରେଣ୍ଡ

ବ୍ଲାକମେଲିଂ କରି ଗଣଦୁଷ୍କର୍ମ ଅଭିଯୋଗରେ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ୪ତାରିଖରେ ବାଦାମବାଡି ଥାନାରେ ମାମଲା ରୁଜୁ ହୋଇଥିଲା । ୫ତାରିଖରେ ୩ଜଣ ଓ ୬ତାରିଖରେ ଆଉ ୩ଜଣଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ରହିଥିବା କଟକ ଡିସିପି ଜଗମୋହନ ମୀନା କହିଛନ୍ତି । ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି । ଅଭିଯୁକ୍ତଙ୍କ ବିରୋଧରେ ଏସସି ଏସଟି ଆକ୍ଟ ଓ ଆଇଟି ଆକ୍ଟ ଲାଗିଛି । ସମସ୍ତଙ୍କ ମୋବାଇଲ ସିଜ୍ କରି ଏସଏଫଏସଏଲକୁ ପଠାଯିବ । ଫୋନରେ ରହିଥିବା ଭିଡିଓ ନେଇ ଯାଞ୍ଚ କରାଯିବ । ଅନ୍ୟ କାହାକୁ ଅଭିଯୁକ୍ତ ଭିଡିଓ ପଠାଇଛନ୍ତି କି ନାହିଁ, ସେନେଇ ତଦନ୍ତ କରାଯାଉଛି ।

ଡରନି…ମୁହଁ ଖୋଲ

ବାଦାମବାଡି ଥାନାରେ ଅଭିଯୋଗ ହେବା ପରେ କଟକ ପୋଲିସ ତୁରନ୍ତ ଆକ୍ସନ ମୋଡକୁ ଆସିଥିଲା । ଆଇଆଇସି ବାଦାମବାଡି ଓ ପୁରୀଘାଟଙ୍କୁ ନେଇ ସ୍ପେଶାଲ ଟିମ୍ କରାଯାଇଥିଲା । ଫଳରେ ଅଭିଯୋଗର ମାତ୍ର ଦୁଇ ଦିନ ଭିତରେ ହିଁ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ୪ଜଣ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିବା ବେଳେ ଅନ୍ୟ ଦୁଇଜଣ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି । ଏଭଳି କୌଣସି ଯୁବତୀ ବ୍ଲାକମେଲିଂରେ ଫସିଥିଲେ ଭୟ ନକରି ପୋଲିସ ପାଖରେ ଅଭିଯୋଗ କରିବାକୁ କହିଛନ୍ତି କଟକ ଡିସିପି ।

Comments are closed.