Latest Odisha News

ଡିଜେଲ, ବିଦ୍ୟୁତ ପରେ, ଏବେ ଭାରତରେ ଚାଲିବ ହାଇଡ୍ରୋଜେନ ଟ୍ରେନ!

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ନେଟୱାର୍କ ଦୁନିଆର ସର୍ବବୃହତ ରେଳ ନେଟଓ୍ବାର୍କ  । ପ୍ରତିଦିନ ଯେଉଁଥିରେ ଲକ୍ଷ ଲକ୍ଷ ଲୋକ ଯାତ୍ରା କରୁଛନ୍ତି। ଯାହାକୁ ଦୃଷ୍ଟିରେ ରଖି ଟ୍ରେନ୍ ଏବଂ କୋଚ ଗୁଡିକର ନବୀକରଣ ସହିତ ଯାତ୍ରୀମାନଙ୍କ ସୁବିଧା ପାଇଁ ଅତ୍ୟାଧୁନିକ ରେଳ ପ୍ରବର୍ତ୍ତନ କରୁଛି ଭାରତୀୟ ରେଳବାଇ । ବର୍ତ୍ତମାନ ଭାରତରେ ଚାଲୁଥିବା ‘ବନ୍ଦେ ଭାରତ ଏକ୍ସପ୍ରେସ’ ଟ୍ରେନ୍ ଏହାର ଏକ ଉତ୍କୃଷ୍ଟ ଉଦାହରଣ । ଏହାରି ଭିତରେ ଏବେ ବଡ ଉପଲବ୍ଧି ହାସଲ କରିବାକୁ ଯାଉଛି ଭାରତୀୟ ରେଳବାଇ । ଏବେ ଡିଜେଲ କିମ୍ବା ବିଦ୍ୟୁତ୍ ଚାଳିତ ନୁହେଁ, ଖୁବ୍ ଶୀଘ୍ର ଟ୍ରାକରେ ଚାଲିବ ପାଣି ଚାଳିତ ଟ୍ରେନ୍ । ଭାରତୀୟ ରେଳ ବିଭାଗର ଡିଜେଲ ଇଲେକ୍ଟ୍ରିକ୍ ମଲ୍ଟିପଲ୍ ୟୁନିଟ୍ (ଡିଇଏମୟୁ) ଟ୍ରେନକୁ ପାଣି ଦ୍ବାରା ଚାଳିତ କରିବା ପାଇଁ ଏଥିରେ ହାଇଡ୍ରୋଜେନ୍ ଇନ୍ଧନ ସେଲ୍ ସ୍ଥାପନ ପାଇଁ ଏକ ପାଇଲଟ୍ ପ୍ରକଳ୍ପକୁ ଅନୁମୋଦନ କରିଛି ।

ତେବେ ଆମେ ଯଦି ଭାରତୀୟ ରେଳବାଇର ବିବର୍ତ୍ତନ ବିଷୟରେ ଦେଖିବା, ତାହାଲେ ଏହା ପ୍ରଥମେ ବାଷ୍ପ ଇଞ୍ଜିନରୁ ଆରମ୍ଭ ହୋଇଥିଲା । ପରେ କୋଇଲା, ଆଉ ତା’ପରେ ପରେ ଟ୍ରେନ୍ ଇଞ୍ଜିନ୍ ଜୀବାଶ୍ମ ଇନ୍ଧନ ତଥା ଡିଜେଲରେ ଚାଲିଲା । ବାଷ୍ପ ଠାରୁ ଅଧିକ ଉପଯୋଗୀ ହେଲା ସତ ହେଲେ ବାୟୁ ପ୍ରଦୂଷଣ ଅଧିକ ସୃଷ୍ଟି କଲା  । ଏହାପରେ ରେଳ ବିଭାଗ ଏବେକାର ଆଧୁନିକ ଟ୍ରେନ୍ ପ୍ରଚଳନ କଲା ଯାହା ବିଦ୍ୟୁତରେ ଚାଲିଲା, କିନ୍ତୁ ଏଥିରେ ଗୋଟିଏ ନକରାତ୍ମକ ଦିଗ ହେଲା, ଏହି ବିଦ୍ୟୁତ ସୃଷ୍ଟି କରିବା ପାଇଁ କୋଇଲା ଜାଳିବାକୁ ପଡିଲା । ଯାହା ଏବେ ବି ବାୟୁ ପ୍ରଦୂଷଣର ଏକ ମୁଖ୍ୟ କାରକ । ତେବେ ଏ ସବୁକୁ ଦୃଷ୍ଟିରେ ରଖି ଏବେ ପାଣିରୁ ହାଇଡ୍ରୋଜେନ୍ ଉତ୍ପାଦକୁ ବ୍ୟବହାର କରି ଟ୍ରେନ୍ ଚଲାଇବା ପାଇଁ ଯୋଜନା କରିଛି ରେଳବାଇ ବିଭାଗ । ଯଦି ଏପରି ହୁଏ ତେବେ ଏହା ଆଗାମୀ ଦିନରେ ଭାରତ ପାଇଁ ଏକ ବଡ ମାଇଲଖୁଣ୍ଟ ହେବ ।

ତେବେ ଏପରି କରିବାରେ ଭାରତ ପ୍ରଥମ ଦେଶ ନୁହେଁ । କାରଣ ପୂର୍ବରୁ ବିଶ୍ବର ୪ ଟି ଦେଶ ଏଥିରେ ସଫଳତା ହାସଲ କରିସାରିଛନ୍ତି । ହାଇଡ୍ରୋଜେନ୍ ଇନ୍ଧନ ବ୍ୟବହାର କରି ବର୍ତ୍ତମାନ ଜର୍ମାନୀ, ଫ୍ରାନ୍ସ, ସ୍ବିଡେନ୍ ଏବଂ ଚୀନରେ ଟ୍ରେନ୍ ଚାଳିତ ହେଉଛି । ଭାରତ ଏପରି କରିବାରେ ପଞ୍ଚମ ଦେଶ ହେବ ।

ତେବେ ପ୍ରଥମ ଥର ପାଇଁ ଦେଶରେ ଟ୍ରେନ୍ ପାଣିରେ ଚାଲିବ । ଅତ୍ୟାଧୁନିକ ହାଇଡ୍ରୋଜେନ୍ ଇନ୍ଧନ ଟେକନୋଲୋଜିକୁ ବ୍ୟବହାର କରି ସଫଳତାର ସହ ଗଡିବ । ଯାହା ପ୍ରତି ଘଣ୍ଟାରେ ୪୦ ହଜାର ଲିଟର ପାଣି ବ୍ୟବହାର କରିବ । ଏଥିପାଇଁ ଏହି ଟ୍ରେନ୍ ଗୁଡିକରେ ମୁଖ୍ୟତଃ ଫୋକସ୍ ରହିବ ଯେ, ଏହା କିପରି ଅଧିକ ପାଣି ସଂଗ୍ରହ କରି ରଖିପାରିବ, ସେହିଭଳି ଭାବେ ଏହାକୁ ପ୍ରସ୍ତୁତ କରାଯିବ । ତେବେ ଏହି ହାଇଡ୍ରୋଜେନ୍ ସଞ୍ଚାଳିତ ଟ୍ରେନ୍ ଦେଶରେ ନେଟ୍ ଜିରୋ କାର୍ବନ ନିର୍ଗମନ ଲକ୍ଷ୍ୟକୁ ସଫଳ କରାଇବାରେ ସାହାର୍ଯ୍ୟ କରିବ । ତେବେ ଏହି ପାଇଲଟ ପ୍ରୋଜେକ୍ଟ ଡିସେମ୍ବର ସୁଦ୍ଧା ଭାରତରେ ଲଞ୍ଚ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ଭାରତୀୟ ରେଳ ବିଭାଗ ।

ତେବେ ଏନେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଚାଲିଥିବା ବେଳେ ଏହାକୁ ନେଇ ଟ୍ରେନର ରୁଟ ଜାରି କରିଛନ୍ତି କର୍ତ୍ତୃପକ୍ଷ । ରେଳ ଅଧିକାରୀ କହିଛନ୍ତି, ଏହି ହାଇଡ୍ରୋଜେନ୍ ଟ୍ରେନ୍ ମାଥେରାନ୍ ହିଲ୍ ରେଳବାଇ, ଦାର୍ଜିଲିଂ ହିମାଳୟନ ରେଳବାଇ, କାଲ୍କା-ଶିମଲା ରେଳବାଇ, କାଙ୍ଗ୍ରା ଉପତ୍ୟକା ଏବଂ ନୀଳଗିରି ମାଉଣ୍ଟେନ୍ ରେଳବାଇ ଦେଇ ଗତି କରିବ । ଆସନ୍ତା ଡିସେମ୍ବରରେ ଏହାର ସଫଳ ପରୀକ୍ଷଣ ପରେ, ହାଇଡ୍ରୋଜେନ୍ ଟ୍ରେନ୍ ଆସନ୍ତା ତିନି ବର୍ଷ ମଧ୍ୟରେ ପୂର୍ବ ନିର୍ଦ୍ଧାରିତ ମାର୍ଗରେ ଚାଲିବ ।

Leave A Reply

Your email address will not be published.