ଭୁବନେଶ୍ବର: ଓଡ଼ିଶାର ପିଛା ଛାଡୁନି ଆଳୁ ସଙ୍କଟ । ପୁଣି ଥରେ ରାଜ୍ୟରେ ଦେଖା ଦେଇପାରେ ଆଳୁର ଅଭାବ । ପଶ୍ଚିମବଙ୍ଗରେ ଆଳୁ ଅଭାବ ଆଶଙ୍କା ଥିବାରୁ ଅନ୍ୟ ରାଜ୍ୟକୁ ଆଳୁ ଯୋଗାଇବାକୁ ସଫା ସଫା ମନା କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନୂଆ ଆଳୁ ନ ଆସିବା ପର୍ଯ୍ୟନ୍ତ, ଜାନୁଆରୀ, ଫେବୃଆରୀ ଯାଏଁ ଆଳୁ ଯୋଗାଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମମତା ।
ବୁଧବାର ମମତାଙ୍କର ଏହି ବୟାନ ପରେ, ଆଜି ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ଗାଡ଼ି ଆସିବା ବନ୍ଦ ହୋଇଯାଇଛି । ମମତାଙ୍କ ନିର୍ଦ୍ଦେଶ ପରେ, ଓଡିଶା ସୀମାରେ ଅଟକି ରହିଛି ଶହ ଶହ ଆଳୁ ଗାଡ଼ି ।
ଗତକାଲି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ନବାନ୍ନାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ । ଆଳୁ ଏବଂ ପିଆଜର ମୂଲ୍ୟ ବୃଦ୍ଧି ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେବା ପରେ ଏଭଳି ପଦକ୍ଷେପ ନିଆଯାଇଛି ।
ବୁଧବାର ରାତିରୁ ପଶ୍ଚିମ ମେଦିନୀପୁର ଜିଲ୍ଲାର ସମସ୍ତ ନାକା ଯାଞ୍ଚ କରାଯାଇଛି । ଯେଉଁ କାରଣରୁ ଆନ୍ତଃରାଜ୍ୟ ସୀମା ଦେଇ ଆଳୁ ଅନ୍ୟ ରାଜ୍ୟକୁ ଯାଉଛି ତାହାକୁ ବନ୍ଦ କରାଯାଇଛି । ଦିନକୁ ଦିନ ବଜାରରେ ଆଳୁ ଏବଂ ପିଆଜ ମୂଲ୍ୟରେ ବୃଦ୍ଧିକୁ ରୋକିବା ପାଇଁ ପଶ୍ଚିମବଙ୍ଗ ପ୍ରଶାସନ ପକ୍ଷରୁ ବେଲଦା ପାଖରେ ଶତାଧିକ ଗାଡି ଅଟକ ରଖାଯାଇଛି ।