Latest Odisha News

ଜାନୁଆରୀ ୮ରେ ପ୍ରବାସୀ ଭାରତୀୟ ଦିବସ: ସୁରକ୍ଷା ବ୍ୟବସ୍ଥାକୁ ନେଇ ଡିଜିପିଙ୍କ ସମୀକ୍ଷା

ଭୁବନେଶ୍ଵର : ଜାନୁଆରୀ ୮ଆରମ୍ଭ ହେବ ପ୍ରବାସୀ ଭାରତୀୟ ଦିବସ। ଅତିଥିଙ୍କ ରହଣି ଠାରୁ ଆରମ୍ଭ କରି ଆବଶ୍ୟକୀୟ ସୁରକ୍ଷା ପାଇଁ ସଜାଗ ରହିଛି ରାଜ୍ୟ ପୋଲିସ ବିଭାଗ। ଆସନ୍ତା ଜାନୁଆରୀ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ହେବ ପ୍ରବାସୀ ଭାରତୀୟ ଦିବସ। ଏହି ଦିବସକୁ ଶୃଙ୍ଖଳିତ ଆୟୋଜନ ପ୍ରସ୍ତୁତି ସଂପର୍କରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଡିଜିପି କ୍ୟାମ୍ପ କାର୍ଯ୍ୟାଳୟଠାରେ ଏକ   ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ପ୍ରବାସୀ ଭାରତୀୟ ଦିବସ ପାଳନ ପରିପ୍ରେକ୍ଷୀରେ ପୋଲିସ ବିଭାଗର ପ୍ରସ୍ତୁତି ସଂପର୍କରେ ଆଲୋଚନା ହୋଇଛି।

ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ବରିଷ୍ଠ ମନ୍ତ୍ରୀ, ଅତିଥି, ପ୍ରବାସୀ ଭାରତୀୟ ଏବଂ ବୈଦେଶିକ ବ୍ୟାପାର ବିଭାଗର ବ୍ୟକ୍ତିବିଶେଷ ଯୋଗ ଦେବେ। ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ପାଇଁ ଡିଜିପି ଶ୍ରୀ ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ଜନତା ମଇଦାନ ଠାରେ କାର୍ଯ୍ୟକ୍ରମ ସ୍ଥଳରେ ଭିଭିଆଇପି, ଅତିଥି,ପ୍ରବାସୀ ଭାରତୀୟ, ସ୍ଥାନୀୟ ଦର୍ଶକମାନଙ୍କ ବସିବା ବ୍ୟବସ୍ଥା, ଯାନବାହାନ ପାର୍କିଂ ସ୍ଥଳ, ଉତ୍ସବ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା ସହ ଆନୁଷଙ୍ଗିକ ପ୍ରସ୍ତୁତି ସଂପର୍କରେ ବିସ୍ତୃତ ଭାବେ ସମୀକ୍ଷା କରିଛନ୍ତି ଡିଜିପି ଶ୍ରୀ ଖୁରାନିଆ।

ସେହିପରି ବିଭିନ୍ନ ହୋଟେଲରେ ଅତିଥିଙ୍କ ସୁରକ୍ଷିତ ରହଣି ସହିତ ପ୍ରବାସୀ ଭାରତୀୟ ମାନେ ଓଡ଼ିଶାର ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଦର୍ଶନ ପାଇଁ ଯିବାକୁ ଥିବାରୁ ଭୁବନେଶ୍ୱର, କଟକ ଓ ପୁରୀ ଆଦିରେ ସୁରକ୍ଷା ବ୍ୟବସ୍ଥା ବଢାଇବା ସମ୍ପର୍କରେ ଡିଜିପି ଗୁରୁତ୍ୱାରୋପ କରିଥିଲେ।

ରାଜଧାନୀ ଭୁବନେଶ୍ୱର ସମେତ କଟକ, ପୁରୀ, କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ଥିବା ହୋଟେଲ ଗୁଡିକର କଡାକଡ଼ି ଯାଞ୍ଚ , ନିୟମିତ ବ୍ୟବଧାନରେ ହୋଟେଲ ଗୁଡିକର ଯାଞ୍ଚ ସହିତ ଅତିଥିଙ୍କ ସମ୍ପୂର୍ଣ୍ଣ ବିବରଣୀ ସମ୍ପର୍କରେ ସମସ୍ତ ତଥ୍ୟ ପୋଲିସ ନିକଟରେ ରହିବା ଆବଶ୍ୟକ। ସହରଗୁଡିକରେ ସିସିଟିଭି, ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।

ଆୟୋଜିତ ବୈଠକରେ (ଗୁଇନ୍ଦା) ନିର୍ଦ୍ଦେଶକ ଆର. ପି. କୋଚେ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନୀକିକରଣ) ଏସ. କେ. ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର,  ପୋଲିସ କମିଶନର (କଟକ-ଭୁବନେଶ୍ବର) ଏସ. ଦେବଦତ୍ତ ସିଂ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଦୟାଲ ଗଙ୍ଗୱାର, ଅତିରିକ୍ତ ପୋଲିସ କମିଶନର (କଟକ-ଭୁବନେଶ୍ବର), ଡ଼. ଉମାଶଙ୍କର ଦାଶ, ଡି. ଆଇ. ଜି (କେନ୍ଦ୍ରାଞ୍ଚଳ) ଚରଣ ସିଂ ମିନା, ଡିସିପି (ଭୁବନେଶ୍ବର) ପିନାକ ମିଶ୍ର, ଏସ.ପି (ରାଜ୍ୟ ମୁଖ୍ୟାଳୟ) ବାତୁଳା  ଗଙ୍ଗାଧର, ଡିସିପି (କଟକ), ଜଗମୋହନ ମିନା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.