ଅମରାବତୀ: ଆଜିକାଲି, ଅନେକ ଲୋନ୍ ଆପ୍ ଆପଣଙ୍କୁ ଗୋଟିଏ କ୍ଲିକରେ ଲୋନ୍ ଦେଉଛନ୍ତି । କିନ୍ତୁ ଏହିପରି ଲୋନ୍ ଆପରୁ ଟଙ୍କା ନେବା ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କ ପାଇଁ ସାଂଘାତିକ ପ୍ରମାଣିତ ହୋଇଛି । ଯୁବକ ଜଣକ ମାତ୍ର ଦୁଇ ହଜାର ଟଙ୍କା ଋଣ ନେଇଥିଲେ । ଏହାକୁ ଫେରାଇବା ପାଇଁ ତାଙ୍କୁ କ୍ରମାଗତ ଭାବରେ ଆପ୍ ଏଜେଣ୍ଟ ହଇରାଣ କରୁଥିଲେ ।
କେବଳ ଏତିକି ନୁହେଁ, ଯେତେବେଳେ ଟଙ୍କା ଫେରସ୍ତ ହୋଇନଥିଲା, ଏଜେଣ୍ଟମାନେ ଯୁବକଙ୍କ ପତ୍ନୀଙ୍କ ଆପତ୍ତିଜନକ ଫଟୋ ତାଙ୍କ ପରିଚିତ ଏବଂ ସମ୍ପର୍କୀୟଙ୍କ ନିକଟକୁ ପଠାଇଥିଲେ । ଏହି ଫଟୋ ନକଲି ଏବଂ କିଛି ସଫ୍ଟୱେର୍ ସାହାଯ୍ୟରେ ଏଡିଟ୍ କରାଯାଇଥିଲା ସତ, କିନ୍ତୁ ଏହା ଯୁବକଙ୍କୁ ଏତେ ଆଘାତ ଦେଇଥିଲା ଯେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ ।
ଆତ୍ମହତ୍ୟା କରିଥିବା ଯୁବକ ଜଣକ ହେଲେ ସୁରେନ୍ଦ୍ର । ସେ ପେଶାରେ ଜଣେ ମାଛ ବ୍ୟବସାୟୀ ଥିଲେ ।
ତେବେ ଏହି ଦମ୍ପତି ୭ ଡିସେମ୍ବରରେ ପ୍ରେମ ବିବାହ କରିଥିଲେ । ତାଙ୍କ ବିବାହର ମାତ୍ର ଚାରି ଦିନ ମଧ୍ୟରେ ଯୁବକଙ୍କ ଆତ୍ମହତ୍ୟାରେ ସମଗ୍ର ପରିବାରରେ ଶୋକର ଛାୟା ଖେଳଯାଇଛି । ସେମାନେ ଘଟଣାର ତଦନ୍ତ କରି ଦୋଷୀଙ୍କୁ ଦଣ୍ଡିତ କରିବାକୁ ସ୍ଥାନୀୟ ପୋଲିସକୁ ଦାବି କରିଛନ୍ତି । କୁହାଯାଉଛି ଯେ ଫଟୋ ଭାଇରାଲ ହେବା ପରେ ସୁରେନ୍ଦ୍ର ଦୁଇ ହଜାର ଟଙ୍କା ଫେରସ୍ତ କରିଥିଲେ । କିନ୍ତୁ ଅଭିଯୋଗ ହୋଇଛି ଯେ ଏହା ସତ୍ତ୍ବେ ଏଜେଣ୍ଟମାନେ ତାଙ୍କୁ ନିରନ୍ତର ହଇରାଣ କରୁଥିଲେ ।
ପୋଲିସର ସୂଚନାନୁସାରେ, ଏହି ଘଟଣାରେ ସାଇବର ଏକ୍ସପର୍ଟଙ୍କ ସହାୟତା ନିଆଯାଉଛି । ଆପ୍ କିଏ ସୃଷ୍ଟି କଲା? ଏବଂ ଏହି ଗ୍ୟାଙ୍ଗରେ ସମ୍ପୃକ୍ତ ବ୍ୟକ୍ତି କିଏ? ଏହି ଘଟଣାର ଅନୁସନ୍ଧାନ କରାଯାଉଛି । ପରିବାର ସଦସ୍ୟଙ୍କ ବିବୃତ୍ତି ଉପରେ ଆଧାର କରି ଏକ ଏଫ୍ଆଇଆର୍ ରୁଜୁ ହୋଇଛି । ମାମଲାର ତଦନ୍ତରେ କିଛି ପ୍ରମାଣ ମିଳିଛି, ଖୁବ୍ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପୋଲିସ କହିଛି ।