Latest Odisha News

BREAKING NEWS

ଆସିକା ବିଧାୟକଙ୍କ ଦାବି, କାହିଁକି ବଢୁନି ଆସ୍କା-୪୦ର ଦର?

ଭୁବନେଶ୍ୱର: ବୁଧବାର ବିଧାନସଭାରେ ଆସ୍କା-୪୦ର ଦର ବୃଦ୍ଧି ଦାବି କରିଛନ୍ତି ବିଧାୟକ ସରୋଜ ପାଢ଼ୀ । ବର୍ତ୍ତମାନ ପ୍ରତ୍ୟେକ ଜିନିଷର ବଜାର ଦର ଅହେତୁକ ଭାବେ ବୃଦ୍ଧି ପାଉଛି । ଆସିକା ଚିନି କଳ କ୍ଷତି ସହୁଥିଲେ ସୁଦ୍ଧା ୫ ବର୍ଷ ହେବ କାହିଁକି ଆସ୍କା-୪୦ର ମୂଲ୍ୟ ବୃଦ୍ଧି ହେଉନାହିଁ ବୋଲି କହିଛନ୍ତି ବିଧାୟକ ସରୋଜ ପାଢ଼ୀ ।

ଚିନି ଶିଳ୍ପକୁ ଏହାର ପରିଚାଳନାରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଏହାର ଉଚିତ ମୂଲ୍ୟ ବୃଦ୍ଧି କରିବା ପାଇଁ ପଦକ୍ଷେପ ଗ୍ରହଣ କରିବେ କି ବୋଲି ଗୃହରେ ପ୍ରଶ୍ନ କରିଛନ୍ତି ବିଧାୟକ ସରୋଜ ପାଢ଼ୀ ।

ବିଧାୟକ ସରୋଜ ପାଢ଼ୀ ଙ୍କ ଏହି ପ୍ରଶ୍ନର ଉତ୍ତରରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଥିଲେ ଯେ, ଆସିକାଠାରେ ପ୍ରତିଷ୍ଠିତ ଆସିକା ସମବାୟ ଚିନି ଶିଳ୍ପ ଲିଃ ମୁଖ୍ୟତଃ ଚିନି ଉତ୍ପାଦନ କରୁଥିଲେ ମଧ୍ୟ ଚିନିର ଉତ୍ପାଦନ ମୂଲ୍ୟ ବିକ୍ରୟ ମୂଲ୍ୟଠାରୁ ଅଧିକ ଥିବା ଯୋଗୁ ହେଉଥିବା କ୍ଷତିର ଭରଣା କରିବା ପାଇଁ ବିକଳ୍ପ ଭାବେ ଏଠାରେ ଦେଶୀ ସୁରା ତିଆରି କରି ଓଡ଼ିଶା ରାଜ୍ୟ ପାନୀୟ ନିଗମକୁ ଯୋଗାଇ ଦିଆଯାଉଛି ଏବଂ ଏହା ବାବଦକୁ ଓଡ଼ିଶା ରାଜ୍ୟ ପାନୀୟ ନିଗମ ଏହି ଦେଶୀ ସୁରାର ସରକାରୀ ଧାର୍ଯ୍ୟ ମୂଲ୍ୟ ପ୍ରଦାନ କରିଥାନ୍ତି । ବର୍ତ୍ତମାନ ଏହି ସୁରାର ବୋତଲ ପ୍ରତି ସର୍ବାଧିକ ବିକ୍ରୟ ମୂଲ୍ୟ ୬୦ ଟଙ୍କା ଧାର୍ଯ୍ୟ ହୋଇଛି ।

Comments are closed.