ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରି ରଖିଛି। ଏହି ଘଟଣାରେ ଏବେ ନୂଆ ଦୃଶ୍ୟ ସାମ୍ନାକୁ ଆସିଛି। ଏକ ଭିଡିଓରେ ଅଭିଯୁକ୍ତ ପତ୍ନୀ ନିକିତାଙ୍କ ମାଆ ଏବଂ ଭାଇ ଘରେ ତଲା ପକାଇ ଲୁଚିଛୋପି ଫେରାର ହୋଇଯାଇଛନ୍ତି। ସେମାନେ ଘରୁ ଫେରାର ହେଉଥିବାର ନଜର ସାମ୍ନାକୁ ଆସିଛି।
ବେଙ୍ଗାଲୁରୁରେ ଅତୁଲଙ୍କ ପତ୍ନୀ ନିକିତା ସିଙ୍ଘାନିଆ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ଅଭିଯୁକ୍ତଙ୍କ ମୁଣ୍ଡରେ ଏବେ ଗିରଫଦାରୀର ଖଣ୍ଡା ଝୁଲୁଛି। ତଦନ୍ତ ପାଇଁ ବେଙ୍ଗାଲୁରୁ ପୋଲିସ ଜୈନପୁରରେ ପହଞ୍ଚିଛି। ଏହାରି ଭିତରେ ବିଳମ୍ବିତ ରାତିରେ ନିକିତାଙ୍କ ଅଭିଯୁକ୍ତ ମାଆ ଓ ଭାଇ ଘରେ ତଲା ପକାଇ ଫେରାର ହୋଇଯାଇଛନ୍ତି। ଗିରଫ ଭୟରେ ଅନୁରାଗ ସିଙ୍ଘାନିଆ ଏବଂ ନିଶା ସିଙ୍ଘାନିଆ ଫେରାର ହେବା ବେଳାର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି।
ଯେତେବେଳେ ନିକିତାଙ୍କ ଭାଇ ଓ ମାଆ ଜାଣିବାକୁ ପାଇଲେ ଯେ ବେଙ୍ଗାଲୁରୁ ପୋଲିସ ଟିମ୍ ଜୈନପୁରରେ ପହଞ୍ଚିଛି, ସେତେବେଳେ ସେ ଘରୁ ପଳାଇବା ଭଲ ବୋଲି ଭାବିଥିଲେ। ଘରେ ତାଲା ପକାଇ ରାତିରେ ବାଇକ୍ରେ ଫେରାର ହେଉଥିବା ବେଳର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ପ୍ରଶ୍ନ ପଚାରୁଥିଲେ ମଧ୍ୟ ଉଭୟ କ୍ୟାମେରା ସାମ୍ନାରେ କିଛି ନକହି ହାତ ଯୋଡି ବାଇକ୍ରେ ବସି ଚାଲିଯାଇଥିବା ଦେଖିବାକୁ ମିଳିଛି।
ଅନ୍ୟପଟେ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ପରିବାର ଲୋକେ ଅତ୍ମହତ୍ୟା ଲାଗି ଉସ୍କାଇଥିବା ପାଇଁ ବେଙ୍ଗାଲୁରୁରେ ନିକିତାଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଛନ୍ତି। ନିକିତାଙ୍କ ମାଆ ଏବଂ ଭାଇଙ୍କ ବ୍ୟତୀତ ଅତୁଲଙ୍କ ଦାଦା ଶ୍ୱଶୁର ସୁଶିଲ କୁମାରଙ୍କ ବିରୋଧରେ ମଧ୍ୟ ମାମଲା ଦାୟର କରିଛନ୍ତି ଅତୁଲ ସୁଭାଷଙ୍କ ଭାଇ ବିକାଶ। ବୁଧବାର ସନ୍ଧ୍ୟାରେ ନିକିତାଙ୍କ ଦାଦା ସୁଶିଲ ସିଙ୍ଘାନିଆ କ୍ୟାମେରାରେ ଆଗକୁ ଆସି ସ୍ପଷ୍ଟିକରଣ ଦେଇଛନ୍ତି। ସେ କହିଛନ୍ତି ଯେ ସମସ୍ତ ଅଭିଯୋଗ ଭିତ୍ତିହୀନ। ଅତୁଲ ସୁଭାଷଙ୍କ ପ୍ରତ୍ୟେକ ଅଭିଯୋଗର ଉତ୍ତର ତାଙ୍କ ପରିବାର ପାଖରେ ଅଛି। ଯେହେତୁ ନିକିତା ବର୍ତ୍ତମାନ ବାହାରେ ଅଛନ୍ତି, ସେଥିପାଇଁ ସେ ଅଧିକ କିଛି କହିବେ ନାହିଁ। ନିକିତା ପ୍ରତ୍ୟେକ ଅଭିଯୋଗର ଉତ୍ତର ଦେବେ।
ବେଙ୍ଗାଲୁରୁର AI ଇଞ୍ଜିନିୟର ଅତୁଲ ସୁଭାଷ ଠିକ୍ ଆତ୍ମହତ୍ୟା କରିବା ପୂର୍ବରୁ ଏକ ଭିଡିଓ ସୁଟ୍ କରିଥିଲେ। ୮୦ ମିନିଟରେ ଏକ ଭିଡିଓ ବନାଇ ସେହି ସବୁ କଥା କହିଥିଲେ ଯାହାକୁ ସେ ଦୀର୍ଘଦିନ ଧରି ସହି ଆସୁଥିଲେ। କାହିଁକି ସେ ଆତ୍ମହତ୍ୟା ପାଇଁ ବାଧ୍ୟ ହେଲେ? କେମିତି ପତ୍ନୀ ଓ ତାଙ୍କ ସର୍ମ୍ପକୀୟଙ୍କଠୁ ଦୀର୍ଘଦିନ ଧରି ନିର୍ଯାତନା ସହୁଥିଲେ? ତାଙ୍କ ମୃତ୍ୟୁ ପରେ ପରିବାର, ପୁଅ ସମ୍ଭାଳିବା ସହ ନ୍ୟାୟ ଦେବାକୁ ଏମିତି ଅନେକ କଥା ଭିଡିଓରେ ରେକଡିଂ କରିଥିଲେ ଅତୁଲ ସୁଭାଷ। ଏଆଇ ଇଞ୍ଜିନିୟର ଅତୁଲ ତାଙ୍କ ପତ୍ନୀ ନିକିତା ସିଙ୍ଗାନିଆ ଏବଂ ତାଙ୍କ ପରିବାର ତାଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଥିବା ଅଭିଯୋଗ କରିଛନ୍ତି।