Latest Odisha News

BREAKING NEWS

Maha Saptami Puja: ମା’ ଦୁର୍ଗାଙ୍କ ଆଗମନରେ କମ୍ପୁଛି ଧରା! ଝଲସୁଛି ଟ୍ୱିନ୍ ସିଟି, ମହାସପ୍ତମୀରେ ମଣ୍ଡପରେ ଭକ୍ତଙ୍କ ଭିଡ଼…

ଭୁବନେଶ୍ବର: ଧୂପ, ଦୀପ, ଶଙ୍ଖଧ୍ୱନିରେ ମୁଖରିତ ପୂଜା ମଣ୍ଡପ… ଆଲୋକମାଳାରେ ଝଲସୁଛି ରାସ୍ତାଘାଟ, ତୋରଣରେ ଛାଇଯାଇଛି ପାର୍ବଣର ରଙ୍ଗ। ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ମନରେ ଅପାର ଉତ୍ସାହ। ଆଜି ମହାସପ୍ତମୀରେ ମା’ ଦୁର୍ଗାଙ୍କ ଆରାଧନାରେ ମଗ୍ନ ସାରା ଓଡ଼ିଶା।

ମା’ ଆସିଛନ୍ତି! ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ଜଗତ୍‌ଜନନୀ ମା’ ଦୁର୍ଗା। ଅଧର୍ମ ଉପରେ ଧର୍ମର ବିଜୟ, ଅନ୍ୟାୟ ଉପରେ ନ୍ୟାୟର ବିଜୟର ପ୍ରତୀକ ମା’ଙ୍କ ଆଗମନକୁ ନେଇ ଚାରିଆଡ଼େ ଉତ୍ସବର ମାହୋଲ। ସହରଠାରୁ ଗାଁ, ଗଳିଠାରୁ ଛକ, ସବୁଠି ପାର୍ବଣର ମାହୋଲ ଦେଖିବାକୁ ମିଳୁଛି। ସୁନ୍ଦର ତୋରଣ, ଆକର୍ଷଣୀୟ ଆଲୋକସଜ୍ଜା ଓ ମା’ଙ୍କ ମନମୋହକ ପ୍ରତିମା ଭକ୍ତଙ୍କ ମନ ମୋହୁଛି।

ଶୁକ୍ରବାର ଷଷ୍ଠୀ ପୂଜାରୁ ଆରମ୍ଭ ହୋଇଥିଲା ଦୁର୍ଗାପୂଜାର ପାରମ୍ପରିକ ରୀତିନୀତି। ଏହି ଅବସରରେ ବେଲଗଛ ମୂଳେ ବେଲବରଣୀ ପୂଜା କରାଯାଇଥିଲା। ପରେ ପବିତ୍ର ଜଳକୁ ପୂଜା ମଣ୍ଡପକୁ ଅଣାଯାଇ ମା’ଙ୍କୁ ବିଧିବଦ୍ଧ ଭାବେ ଆମନ୍ତ୍ରଣ କରାଯାଇଥିଲା। ପରମ୍ପରା ଅନୁସାରେ, ବେଲଗଛରେ ମା’ ସରସ୍ୱତୀ, ମା’ କାଳୀ ଓ ମା’ ଲକ୍ଷ୍ମୀ ବିରାଜମାନ କରିଥିବା ବିଶ୍ୱାସ ରହିଛି। ମୃଣ୍ମୟୀ ପ୍ରତିମାଙ୍କ ଚକ୍ଷୁଦାନ ସହ ଅନ୍ୟାନ୍ୟ ରୀତିନୀତି ମଧ୍ୟ ସମ୍ପନ୍ନ ହୋଇଥିଲା।

ଆଜି ମହାସପ୍ତମୀରେ ମା’ଙ୍କ ମୃଣ୍ମୟୀ ପ୍ରତିମା ଓ ପବିତ୍ର ଘଟ ସ୍ଥାପନ ପରେ ଆରମ୍ଭ ହୋଇଛି ନିୟମିତ ପୂଜାର୍ଚ୍ଚନା। ମନ୍ତ୍ରପାଠ, ଘଣ୍ଟଘଣ୍ଟା ଓ ଶଙ୍ଖଧ୍ୱନିରେ ପୂଜା ମଣ୍ଡପଗୁଡ଼ିକ ଭକ୍ତିମୟ ହୋଇଉଠିଛି। ମା’ଙ୍କ ଦର୍ଶନ କରିବା ସହ ପରିବାରର ମଙ୍ଗଳ ଓ ସୁଖସମୃଦ୍ଧି କାମନା କରି ଶ୍ରଦ୍ଧାଳୁମାନେ ପୂଜା ମଣ୍ଡପରେ ପହଞ୍ଚୁଛନ୍ତି।

ସେପଟେ କଟକ ଓ ଭୁବନେଶ୍ୱରରେ ପାର୍ବଣର ରଙ୍ଗ ଆହୁରି ଗାଢ଼ ହୋଇଛି। ରାସ୍ତାଘାଟ, ବଜାର ଓ ସାର୍ବଜନୀନ ସ୍ଥାନଗୁଡ଼ିକରେ ଆକର୍ଷଣୀୟ ଆଲୋକସଜ୍ଜା ସହ ବିଶାଳ ସାଜସଜ୍ଜାପୂର୍ଣ୍ଣ ତୋରଣ ନିର୍ମାଣ କରାଯାଇଛି। ପୂଜା କମିଟିଗୁଡ଼ିକ ଶେଷ ପ୍ରସ୍ତୁତି ସମ୍ପନ୍ନ କରିଥିବାବେଳେ ଭକ୍ତଙ୍କ ଆଗମନରେ ମଣ୍ଡପଗୁଡ଼ିକ ଚଳଚଞ୍ଚଳ ହୋଇଉଠିଛି।

ଆଗକୁ ଅଷ୍ଟମୀ, ନବମୀ ଓ ଦଶହରା। ଦିନ ବଢ଼ିବା ସହ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼ ଆହୁରି ବଢ଼ିବା ଆଶା କରାଯାଉଛି। ଭକ୍ତି, ଆସ୍ଥା ଓ ଭାଇଚାରାର ଏହି ମହାପର୍ବରେ ସମସ୍ତେ ମା’ଙ୍କ ଆଶୀର୍ବାଦ ଲାଭ କରିବାକୁ ଅପେକ୍ଷା କରିଛନ୍ତି।

Leave A Reply

Your email address will not be published.