ହାଇଦ୍ରାବାଦ: ଜେଲରୁ ବାହାରିଲେ ପୁଷ୍ପା ରାଜ୍ । ହାଇଦ୍ରାବାଦ ସେଣ୍ଟ୍ରାଲ୍ ଜେଲ୍ରୁ ବାହାରିଲେ ଅଭିନେତା ଅଲ୍ଲୁ ଅର୍ଜୁନ । ଗତକାଲି ଗିରଫ ପରେ ହାଇକୋର୍ଟରୁ ବେଲ୍ ମିଳିଥିଲେ ସୁଦ୍ଧା ଜେଲ୍ରେ ଥିଲେ ଅଲ୍ଲୁ । ସଂନ୍ଧ୍ୟା ଥିଏଟରରେ ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ମାମଲାରେ ଗିରଫ ହୋଇଥିଲେ ଅଲ୍ଲୁ ।
ପୁଷ୍ପା-୨ ଫିଲ୍ମର ସ୍କ୍ରିନିଂ ସମୟରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଦଳଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ ହୋଇ ଜେଲ ଯିବା ପରେ ନାମପଲ୍ଲୀ କୋର୍ଟ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ । ଏହାପରେ ହାଇକୋର୍ଟ ଯାଇଥିଲେ ଅଲ୍ଲୁ । ତେଲଙ୍ଗାନା ହାଇକୋର୍ଟ ତାଙ୍କୁ ଗତକାଲି ଅନ୍ତରୀଣ ଜାମିନ ଦେଇଥିବା ସତ୍ତ୍ଵେ ମଧ୍ୟ ସେ ସେଣ୍ଟ୍ରାଲ ଜେଲରେ ରହିଥିଲେ। ଅଭିନେତାଙ୍କୁ ଚାରି ସପ୍ତାହ ପାଇଁ ଜାମିନ ପ୍ରଦାନ କରାଯାଇଛି।
ତେବେ କହିରଖୁଛୁ ଯେ, ବୈଷୟିକ ସମସ୍ୟା ହେତୁ ଗତକାଲି ଅଲ୍ଲୁ ଅର୍ଜୁନଙ୍କ ଜାମିନ ଆଦେଶ ଜେଲରେ ପହଞ୍ଚିପାରି ନଥିଲା । ଯେଉଁଥିପାଇଁ ଅଭିନେତାଙ୍କୁ ଗୋଟେ ରାତି ଜେଲରେ ରହିବାକୁ ପଡିଥିଲା। ସେପଟେ ଆଜି ସକାଳୁ ସକାଳୁ ଅଲ୍ଲୁ ଅର୍ଜୁନ ଜେଲରୁ ବାହାରି ତାଙ୍କ ପିତା ଅଲ୍ଲୁ ଅରବିନ୍ଦଙ୍କ ସହ ଯାଉଥିବା ଦେଖିବାକୁ ମିଳିଛି । ଜେଲରୁ ମୁକୁଳିବା ମାତ୍ରେ ଅଭିନେତା ଜଣଙ୍କ ପ୍ରଥମେ ଗୀତା ଆର୍ଟ ପ୍ରଡକ୍ସନ୍ ହାଉସରେ ପହଞ୍ଚିଛନ୍ତି ।
ସୂଚନାଯୋଗ୍ୟ, ଗତ ୪ ତାରିଖରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ‘ପୁଷ୍ପା-୨’ ସ୍କ୍ରିନିଂ ଅବସରରେ ସାମିଲ ହୋଇଥିଲେ ଅଲ୍ଲୁ ଅର୍ଜୁନ। ତାଙ୍କୁ ଦେଖିବାକୁ ତାଙ୍କ ପ୍ରଶଂସକମାନଙ୍କର ପ୍ରବଳ ଭିଡ଼ ଜମି ଥିଲା। ମାତ୍ରାଧିକ ଭିଡ଼ ଯୋଗୁ ଠେଲାପେଲା ହୋଇଥିଲା ଓ ଦଳଚକଟା ହୋଇଥିଲା। ଏହି ସମୟରେ ତଳେ ପଡ଼ି ଅଣନିଃଶ୍ୱାସୀ ହୋଇଯାଇଥିଲେ ୩୯ ବର୍ଷୀୟା ମହିଳା ରେବତୀ। ସେ ଓ ତାଙ୍କର ୮ ବର୍ଷର ପୁଅଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ରେବତୀଙ୍କର ମୃତ୍ୟୁ ହୋଇଯାଇଥିଲା।
Comments are closed.