ନୂଆଦିଲ୍ଲୀ : ଦେଶର ପୂର୍ବତନ ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାଣୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଆସୁଛି ସୁଧାର।ଆଗାମୀ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ତାଙ୍କୁ ଆଇସିୟୁରୁ ପ୍ରାଇଭେଟ୍ ୱାର୍ଡକୁ ସିଫ୍ଟ କରାଯିବାର ସମ୍ଭାବନା ରହିଛି। ୧୨ ଡିସେମ୍ୱରରେ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ନୂଆ ଦିଲ୍ଲୀର ଅପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା। କିନ୍ତୁ ସଠିକ ଭାବରେ ସେ କେଉଁ କାରଣରୁ ଅସୁସ୍ଥ ହୋଇପଡିଥିଲେ ତାହା ଜଣାପଡିନାହିଁ। ହସ୍ପିଟାଲ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ଶ୍ରୀ ଆଡଭାଣୀଙ୍କର ହେଲଥ୍ ବୁଲେଟିନ ଜାରି କରାଯାଇଛି।
ବୁଲେଟିନ ସୂଚନା ଅନୁସାରେ, ବରିଷ୍ଠ ବିଜେପି ନେତା ତଥା ଭାରତର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାଣୀ ୧୨ ଡିସେମ୍ୱରରେ ଇନ୍ଦ୍ରପ୍ରସ୍ଥ ଅପୋଲୋ ହସ୍ପିଟାଲର ଆଇସିୟୁରେ ଡା. ଭିନୀତ ସୂରୀଙ୍କ ଦାୟୀତ୍ୱରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଧିରେ ଧିରେ ସୁଧାର ଆସୁଛି। ତାଙ୍କର ସ୍ୱାସ୍ଥ୍ୟର ଉନ୍ନତି ଆଧାରରେ ତାଙ୍କୁ ଆସନ୍ତା ୧-୨ ଦିନ ଭିତରେ ଆଇସିୟୁରୁ ପ୍ରାଇଭେଟ ୱାର୍ଡକୁ ସ୍ଥାନାନ୍ତରିତ କରାଯିବାର ସମ୍ଭାବନା ରହିଛି।
ପ୍ରକାଶଯୋଗ୍ୟ, ଆଡଭାଣୀଙ୍କୁ ଗତ ଅଗଷ୍ଟ ମାସରେ ମଧ୍ୟ ଅପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ସମୟରେ ସେ ନ୍ୟୁରୋଲଜିଷ୍ଟ ଡାକ୍ତର ଭିନୀତ ସୂରୀଙ୍କ ତଦାରଖରେ ରହିଥିଲେ।
Comments are closed.