ମୁମ୍ବାଇ: ମଙ୍ଗଳବାର ଦିନ ଏକାଡେମୀ ଅଫ୍ ମୋସନ୍ ପିକଚର୍ସ, ଆର୍ଟସ୍ ଆଣ୍ଡ ସାଇନ୍ସେସ୍ ଦ୍ୱାରା ୨୦୨୫ ଓସ୍କାରରେ ସର୍ବୋତ୍ତମ ଆନ୍ତର୍ଜାତୀୟ ଫିଚର ଫିଲ୍ମ ପୁରସ୍କାର ପାଇଁ ଯୋଗ୍ୟ ୧୫ଟି ଚଳଚ୍ଚିତ୍ରର ତାଲିକା ଘୋଷଣା କରାଯାଇଛି। ଯେଉଁଥିରେ ଏମିଲିଆ ପରେଜ୍ ଏବଂ ଫ୍ରମ୍ ଗ୍ରାଉଣ୍ଡ ଜିରୋ ଭଳି କିଛି ଆଶାୟୀ ସିନେମା ରହିଥିଲେ ମଧ୍ୟ, ଭାରତର ଅଫିସିଆଲ ଏଣ୍ଟ୍ରି ସିନେମା ଲାପତା ଲେଡିଜ୍ ବାଦ୍ ପଡିଛି । ଅମୀର ଖାନ ପ୍ରଡକ୍ସନ୍ସରେ ନିର୍ମିତ ଏହି ଫିଲ୍ମ ରେସ୍ରୁ ବାହାରି ସାରିଥିବା ବେଳେ ୟୁକେ ତରଫରୁ ଓସ୍କାର-୨୦୨୫ ପାଇଁ ପଠା ଯାଇଥିବା ହିନ୍ଦୀ ଫିଲ୍ମ ‘ସନ୍ତୋଷ’ କିନ୍ତୁ ଶର୍ଟଲିଷ୍ଟ ହୋଇଛି। ଏହି ଫିଲ୍ମକୁ ବ୍ରିଟିଶ ଇଣ୍ଡିଆନ ଫିଲ୍ମ ମେକର ସନ୍ଧ୍ୟା ସୁରୀ ନିର୍ଦ୍ଦେଶନା ଦେଇଛନ୍ତି। ଏବେ ଭାରତୀୟ ହିନ୍ଦୀ ସିନେମା ଓସ୍କାର ଯିବାରୁ ବଞ୍ଚିତ ହେବାରୁ ଏବେ ଏହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । କେହି କେହି ଦର୍ଶକ ସୋସିଆଲ ମିଡିଆ ମାଧ୍ୟମରେ ଫିଲ୍ମ ଫେଡେରେସନ ଅଫ୍ ଇଣ୍ଡିଆକୁ ଏଥିପାଇଁ ଦାୟୀ କରିଛନ୍ତି ।
କିରନ ରାଓଙ୍କ ନିର୍ଦ୍ଦେଶିତ ସିନେମା ‘ଲାପତା ଲେଡିଜ୍’ ଏହି ବର୍ଷ ଆରମ୍ଭରେ ଏକାଡେମୀ ପୁରସ୍କାରରେ ସର୍ବୋତ୍ତମ ଆନ୍ତର୍ଜାତୀୟ ଫିଚର ଫିଲ୍ମ କାଟାଗୋରୀ ପାଇଁ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲା । ଯାହାକୁ ନେଇ ସେତେବେଳେ କିଛି ବିବାଦ ମଧ୍ୟ ଦେଖାଦେଇଥିଲା । ଯେହେତୁ କିଛି ଦର୍ଶକ ଦାବି କରୁଥିଲେ କି ପାୟଲ କପାଡିଆଙ୍କ କାନ୍ସ ବିଜେତା ସିନେମା ‘ଅଲ୍ ଉଇ ଇମାଜିନ୍ ଆଜ୍ ଲାଇଟ’ , ଏହି ପଦ ପାଇଁ ଅଧିକ ଦାବିଦାର ଥିଲା ।
ଲାପତା ଲେଡିଜ୍ ତାଲିକାଭୁକ୍ତ ନହେବା ପରେ ପୁଣି ଥରେ ସମାନ ଅଭିଯୋଗ ଦେଖିବାକୁ ମିଳିଛି । ଏଫଏଫଆଇ ସିନେମା ‘ଅଲ୍ ଉଇ ଇମାଜିନ୍ ଆଜ୍ ଲାଇଟ’କୁ ପ୍ରତ୍ୟାଖ୍ୟାନ୍ କରିବାରୁ ଏପରି ସ୍ଥିତି ଉପୁଜିଛି । ଯଦି ଏଫଏଫଆଇ ‘ଅଲ୍ ଉଇ ଇମାଜିନ୍ ଆଜ୍ ଲାଇଟ’ ସିନେମାର ନାଁ ଦେଇଥିଲା ତାହାଲେ ପକ୍କା ଭାରତ ପାଇଁ ଓସ୍କାରର ବାଟ ଫିଟିଥାନ୍ତା । ଏବେ ଭାରତୀୟ ଚଳଚ୍ଚିତ୍ର ମହାସଂଘ(ଏଫଏଫଆଇ)କୁ ସମ୍ପୂର୍ଣ୍ଣ ନବୀକରଣ ଆବଶ୍ୟକ। ଯେଉଁମାନେ ଏବେ ଅଛନ୍ତି ସେମାନେ ପଦ ଛାଡିଦେବା ଉଚିତ ଏବଂ ସିନେମାର କଳାକୁ ବୁଝିବା ଏବଂ ଜାଣୁଥିବା ବ୍ୟକ୍ତିଙ୍କୁ ଦାୟିତ୍ୱ ନେବାକୁ ଦେବା ଉଚିତ ବୋଲି ଏକ୍ସରେ ଟ୍ରେଣ୍ଡ କରୁଛି ।
ତେବେ କହିରଖୁଛୁ, ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖରେ ‘ଲାପତା ଲେଡିଜ୍’ ସିନେମା ପରଦାକୁ ଆସିଥିଲା। ଆମୀର ଖାନ ପ୍ରଡକ୍ସନ୍ସରେ ନିର୍ମିତ କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ନୀତାଂଶି ଗୋୟଲ, ସ୍ପର୍ଶ ଶ୍ରୀବାସ୍ତବ ଏବଂ ପ୍ରତୀଭା ରାଣ୍ଟା ମୁଖ୍ୟ କଳାକାର ରୂପେ ଅଭିନୟ କରିଛନ୍ତି। ଏହି ଫିଲ୍ମ ୯୭ତମ ଏକାଡେମୀ ପୁରସ୍କାରରେ ଭାରତର ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଥିଲା। ମାତ୍ର ଏବେ ଏହା ଓସ୍କାର ରେସ୍ରୁ ବାହାରି ଯାଇଥିବା ବେଳେ ଭାରତୀୟ ସିନେ ପ୍ରେମୀଙ୍କୁ ଶକ୍ତ ଝଟକା ଲାଗିଛି ।