Latest Odisha News

BREAKING NEWS

ଜାତୀୟ ଜନଜାତି କଳାବସ୍ତୁ ମେଳାରେ ଜମୁଛି ଭିଡ, ଚାହିଦାରେ ଲାଖ ଚୁଡି ଓ ଚିତ୍ରକଳା

ଭୁବନେଶ୍ୱର: ‘ଜାତୀୟ ଜନଜାତି କଳାବସ୍ତୁ ମେଳା’ ୨୦୧୯ ତଥା ଏହାର ୮ମ ସଂସ୍କରଣ ରାଜଧାନୀ ଭୁବନେଶ୍ୱରର ଜନଜାତି ସଂଗ୍ରହାଳୟ ଠାରେ ଅନୁଷ୍ଠିତ ହେଉଛି । ୭ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ମେଳା ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଏବଂ ପ୍ରଶିକ୍ଷଣ ପ୍ରତିଷ୍ଠାନ ଓ ଏସଟି ଏସସି ରାଜ୍ୟ ବିକାଶ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଛି ।

ଏହି ମେଳା କଳା ପ୍ରେମୀଙ୍କୁ ଆକୃଷ୍ଟ କରୁଥିବା ବେଳେ ଆସନ୍ତା ନଭେମ୍ବର ୨୯ ତାରିଖରେ ସମାପ୍ତ ହେବାକୁ ଯାଉଛି ।

ଏହି ମେଳାରେ ମୁଖ୍ୟ ଆକର୍ଷଣ ପାଲଟିଛି ବିଭିନ୍ନ ରାଜ୍ୟର ଟ୍ରାଇବାଲ୍ ପେଣ୍ଟିଂ ସହ ଫୁଡ୍ କୋର୍ଟ । ଖାସକରି ମହିଳାମାନଙ୍କୁ ଆକୃଷ୍ଟ କରିଛି ଲାଖ ଚୁଡି ।

 

ଲାଖ ଚୁଡି

ଏହି ମେଳାର ଅନ୍ୟତମ ଆକର୍ଷଣ ପାଲଟିଥିଲା ଲାଖ ଚୁଡି । ଖାସକରି ମହିଳାମାନେ ଲାଖର ଚୁଡି କିଣିବା ସହ ଏହାର ପ୍ରସ୍ତୁତି ପ୍ରଣାଳୀ ଦେଖିବା ପାଇଁ ଭିଡ ଜମାଇଥିଲେ । ଗ୍ରାହକଙ୍କ ପସନ୍ଦ ତଥା କହିବା ଅନୁଯାୟୀ ମଧ୍ୟ ଏହି ଚୁଡିରେ ରଙ୍ଗ ଓ ଡିଜାଇନ୍ ଦିଆଯାଇଥାଏ ବୋଲି ପ୍ରକାଶ କରିଛନ୍ତି ଜଣେ ମହିଳା କାରିଗର । ଏହାବ୍ୟତିତ ଚୁଡି ଯୋଡାକ ମୂଲ୍ୟ ୧୦୦ ଟଙ୍କା ରହିଛି ।

ଓରାଓଁ ଚିତ୍ରକଳା, ମଧ୍ୟପ୍ରଦେଶ

ନିଜ ରାଜ୍ୟର ଜନଜାତିମାନଙ୍କର କଳା ପ୍ରଦର୍ଶିତ କରିବା ଲାଗି ଏଠାକୁ ଆସିଥିବା ସୁମତି ଦେବୀ ଭଗତ କୁହନ୍ତି, ଏହା ଆମର ପାରମ୍ପରା ଓ ଲୋକ ବିଶ୍ୱାସର ଏକ ପ୍ରତୀକ ଅଟେ ।

ମଧ୍ୟପ୍ରଦେଶର ଛୋଟନାଗପୁର ଅଞ୍ଚଳର ଏକ ମହତ୍ୱପୂର୍ଣ୍ଣ ଦ୍ରାବିଡିଆନ୍ ଜନଜାତି ହେଉଛନ୍ତି ଓରାଓଁ ।

ସାଧାରଣତଃ ଆମେମାନେ ଘରର ଚଟାଣରେ ମାଟି, ନାଲି ମାଟି ଓ କୋଇଲାର ମିଶ୍ରଣରେ ବିଭିନ୍ନ ପ୍ରକାର ଜ୍ୟାମିତିକ ଡଜାଇନ୍ କରୁଥିଲୁ କିନ୍ତୁ କେବେ ଏହାକୁ କାନଭାସରେ ଉତାରିବା କଥା ଭାବିନଥିଲୁ ।

ଏକଦା ଆମ ଗ୍ରାମର ଜଣେ ବ୍ୟକ୍ତି ଏହାର ଚିତ୍ରକୁ କାନଭାସରେ ଉତାରିବା ସହ ବିକ୍ରି କରିବା ଲାଗି ଆମକୁ କହିଥିଲେ । ପରେ ଏନେଇ ଚିନ୍ତା କରିବା ପରେ ପ୍ରାୟ ୨୦୧୩ ମସିହାରୁ ଆମର ଏହି ଚିତ୍ର କଳାକୁ ବିଭିନ୍ନ ଏକଜିବିସନରେ ପ୍ରଦର୍ଶିତ କରିଆସୁଛୁ । ପ୍ରଥମେ ପ୍ରଥମେ ଦର୍ଶକମାନେ ଏହାକୁ ଏତେ ଗୁରୁତ୍ୱ ଦେଉନଥିଲେ କିନ୍ତୁ ଏବେ ଲୋକମାନେ ଆମ କଳାକୁ ପସନ୍ଦ କରିବା ସହ ଖରିଦ ମଧ୍ୟ କରୁଛନ୍ତି ।
ଏହାର ମୂଲ୍ୟ ୧୫୦ ଟଙ୍କାରୁ ଆରମ୍ଭ କରି ୬ ହଜାର ଯାଏଁ ରହିଛି ।

ୱରଲି ଚିତ୍ରକଳା, ମହାରାଷ୍ଟ୍ର

ଏହାର ଚିତ୍ରକଳା ଏତେ ନିଖୁଣ ଓ ଆକ୍ଟ୍ରାକ୍ଟିଭ୍ ଯେ କେହିବି ଆପେଆପେ ଟାଣି ହୋଇଯିବ ତା’ ଆଡକୁ । ଚାଉଳ ଆଣ, ପାଣି, ଅଠା, ନାଲି ମାଟି ଓ ଗୋବରର ମିଶ୍ରଣରେ ଏହାକୁ ଅଙ୍କା ଯାଇଥାଏ । ପରେ ଏହି ମିଶ୍ରଣକୁ ବ୍ୟବହାର କରି ବିଭିନ୍ନ ଡିଜାଇନର ଚିତ୍ର ଅଙ୍କାଯାଏ, ଯେଉଁଥିପାଇଁ ୩ରୁ ୪ ଦିନ ସମୟ ଲାଗେ ବୋଲି କୁହନ୍ତି ଚିତ୍ର ଶିଳ୍ପୀ ସନ୍ଦୀପ ଭୋଇର୍ ।

 

ଆହୁରି ମଧ୍ୟ ଏହି ଚିତ୍ରକଳାର ମୂଲ୍ୟ ୫ଶହରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ରହିଥିବା ବେଳେ ଆମେ ପ୍ରଥମଥର ଲାଗି ଏହି ପ୍ରଦର୍ଶନୀକୁ ଆସିଛୁ ବୋଲି ସେ ପ୍ରକାଶ କରିଛନ୍ତି ।

ଟ୍ରାଇବାଲ୍ ପେଣ୍ଟିଂ, ଓଡିଶା

ଅନ୍ୟ ରାଜ୍ୟ ଭଳି ଓଡିଶା ଜନଜାତି ମାନଙ୍କର କଳାକୁ ଏହି ପ୍ରଦର୍ଶନୀରେ ଦେଖିବାକୁ ମିଳିଥିଲା । ସଉରା, କନ୍ଧ, କିସାନ ଓ ଜୁଆଙ୍ଗ ଭଳି ସମ୍ପ୍ରଦାୟର ଉତ୍କୃଷ୍ଟ ଚିତ୍ର କଳା ମଧ୍ୟ ପ୍ରଦର୍ଶିତ ହୋଇଥିଲା ।

ଗତ ୬ ବର୍ଷ ଧରି ଆମେ ଏହି ମେଳାକୁ ଆସୁଥିବା ବେଳେ ଏହି ଚିତ୍ରକଳାକୁ ତିଆରି କରିବା ଲାଗି ପାଖାପାଖି ୪ ଦିନ ସମୟ ଲାଗିଥାଏ ବୋଲି କହିଛନ୍ତି ଚିତ୍ରଶିଳ୍ପୀ ସୁରେଶ ନାୟକ ।

ଏଥିରେ ଆମେ ପ୍ରାକୃତିକ ରଙ୍ଗର ବ୍ୟବହାର କରୁଥିବା ବେଳେ ବେଳେବେଳେ ଆକ୍ରୋଲିକ୍ ରଙ୍ଗକୁ ମଧ୍ୟ ବ୍ୟବହୃତ କରିଥାଉ । ଏହାବ୍ୟତିତ ମେଳାରେ ବସ୍ତର, ଛତିଶଗଡର ଲୌହ ଶିଳ୍ପର ଚାହିଦା ଅଧିକ ରହିଛି । ଏସବୁର ମୂଲ୍ୟ ୨୫୦ ଟଙ୍କାରୁ ୫୦,୦୦୦ ଯାଏଁ ରହିଥିବା ନେଇ ବିଭିନ୍ନ କଳାକୃତିକୁ ପ୍ରଦର୍ଶିତ କରୁଥିବା ଜୟଲାଲ୍ କହିଛନ୍ତି ।

ଏସବୁ ବ୍ୟତିତ ମଣିପୁରର ବାସ୍କେଟ୍, ମହାରାଷ୍ଟ୍ରର କାଠ ଓ ବାଉଁଶରେ ତିଆରି ସାମଗ୍ରୀ, ଓଡିଶା କୋରାପୁଟର କଫି, ପତ୍ରପୋଡା ଚିକେନ୍, ମୁଢି ମାଂସ, ଢେଙ୍କାନାଳର ଢୋକ୍ରା, ଜନଜାତି ପୋଷାକ ଓ ଅଳଙ୍କାର ଆଦି ମେଳାର ଅନ୍ୟତମ ଆର୍କଷଣ ପାଲଟିଥିଲା ।

Leave A Reply

Your email address will not be published.