Latest Odisha News

BREAKING NEWS

ମୁମ୍ବାଇ ବୋଟ୍ ଦୁର୍ଘଟଣା: ଉଦ୍ଧାର ହେଲେଣି ୧୧୫ ଜଣ, ମିଳୁନି ୨ଜଣଙ୍କ ପତ୍ତା

ମୁମ୍ବାଇ: ମୁମ୍ବାଇ ନୌସେନା ବୋଟ୍ ଦୁର୍ଘଟଣାରେ ଏବେ ଯାଏଁ ଉଦ୍ଧାର ହେଲେଣି ୧୧୫ ଜଣ । ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ସୁଦ୍ଧା ୨ ଜଣ ନିଖୋଜ ଅଛନ୍ତି । ୧୩ ମୃତକଙ୍କ ମଧ୍ୟରେ ୩ ଜଣ ନୌସେନା କର୍ମଚାରୀ ଥିବା ବେଳେ ୧୦ ଜଣ ସାଧାରଣ ନାଗରିକ ଅଛନ୍ତି । ଗେଟ୍‌ୱେ ଅଫ୍ ଇଣ୍ଡିଆରୁ ଏଲିଫାଣ୍ଟା ଯାଉଥିବା ବେଳେ ଘଟିଥିଲା ଏହି ଦୁର୍ଘଟଣା । ନିୟନ୍ତ୍ରଣ ହରାଇ ନୌସେନାର ସ୍ପିଡ୍‌ ବୋଟ୍ ଏକ ଯାତ୍ରୀବାହୀ ଡଙ୍ଗାକୁ ଧକ୍କା ଦେଇଥିଲା ।

ସୂଚନା ଅନୁସାରେ, ଗତକାଲି ଅପରାହ୍ନ ପ୍ରାୟ ୪ଟା ସମୟରେ ଇଞ୍ଜିନ ଟ୍ରାଏଲ ପାଇଁ ସମୁଦ୍ରରେ ଚକର ମାରୁଥିବା ନୌସେନାର ଏକ ସ୍ପିଡ୍‌ ବୋଟ୍ ମୁମ୍ବାଇର ଗେଟୱେ ଅଫ୍ ଇଣ୍ଡିଆରୁ ଅଳ୍ପ କିଛି ଦୂରରେ ନିୟନ୍ତ୍ରଣ ହରାଇ ‘ନୀଲକମଲ’ ନାମକ ଏକ ଯାତ୍ରୀବାହୀ ବୋଟ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ, ବର୍ତ୍ତମାନ ସୁଦ୍ଧା ୧୧୫ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଖବର ପାଇ ନୌସେନାର ୪ଟି ନାଭାଲ ହେଲିକପ୍ଟର ଏକ କୋଷ୍ଟଗାର୍ଡ ବୋଟ୍ ଓ ୧୧ଟି ନାଭାଲ କ୍ରାଫ୍ଟ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

ଅନ୍ୟପଟେ ନୌସେନା ଏବଂ ପୋଲିସ ପକ୍ଷରୁ ମିଳିତ ଭାବରେ ତଦନ୍ତ ଆରମ୍ଭ ହୋଇଛି । ଘଟଣାରେ ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ଏଥିସହ ମୃତକଙ୍କ ପରିବାରଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

 

Leave A Reply

Your email address will not be published.