ନୂଆଦିଲ୍ଲୀ: ସଂସଦରେ ଆଜି ଅସ୍ବଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି । କଂଗ୍ରେସ ଏବଂ ବିଜେପି ସାଂସଦଙ୍କ ମଧ୍ୟରେ ଠେଲାପେଲା ପରିଓ୍ଥିତି ସୃଷ୍ଟି ହେବା କାରଣରୁ ବାଲେଶ୍ବର ସାଂସଦ ପ୍ରତାପ ଷଢଙ୍ଗୀ ଆହତ ହୋଇଯାଇଥିବା ସୂଚନା ମିଳିଛି । ଠେଲାପେଲା ମଧ୍ୟରେ ସାଂସଦ ପ୍ରତାପ ତଳେ ପଡିଯିବାରୁ ତାଙ୍କ ମୁଣ୍ଡ ଫାଟିଥିବା ଜଣାପଡିଛି । ପରେ ରକ୍ତସ୍ରାବ ହେବାରୁ ତାଙ୍କୁ ନିକଟସ୍ଥ ମେଡିକାଲରେ ପ୍ରତାପ ଷଡଙ୍ଗୀଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତାମନ ତାଙ୍କ ସ୍ଥିତି ଭଲ ରହିଥିବା ସୂଚନା ମିଳିଛି ।
ତେବେ ଆଜି ସଂସଦରେ ହାଇ-ଭୋଲଟେଜ୍ ରାଜନୈତିକ ଡ୍ରାମା ଦେଖିବାକୁ ମିଳିଥିଲା । ଯେଉଁଥିରେ ବିଜେପି ନେତୃତାଧିନ ଏନଡିଏ ସାଂସଦ ଏବଂ ଇଣ୍ଡି ବ୍ଲକ୍ ସାଂସଦମାନେ ଆମ୍ବେଦକର ବିବାଦକୁ ନେଇ ପରସ୍ପରକୁ ସମାଲୋଚନା କରି ପ୍ରତିବାଦ କରିଥିଲେ। ଯାହାକୁ ନେଇ ଠେଲାପେଲା ପରିସ୍ଥିତି ଉପୁଜିଥିଲା । ଏହି ସମୟରେ ରାହୁଲ ଗାନ୍ଦୀ ଠେଲି ଦେବାରୁ ସେ ପଡିଯିବା ନେଇ ଅଭିଯୋଗ କରିଛନ୍ତି ବାଲେଶ୍ବର ସାଂସଦ ପ୍ରତାପ ଷଢଙ୍ଗୀ । ପ୍ରତାପ କହିଛନ୍ତି, ରାହୁଲ ଅନ୍ୟ ଜଣେ ସାଂସଦଙ୍କୁ ଠେଲିଦେବାରୁ ସେ ସାଂସଦ ଜଣଙ୍କ ମୋ ଉପରେ ପଡିଥିଲେ । ମୁଁ ସିଡି ପାଖରେ ଛିଡାହୋଇଥିଲି । ଫଳରେ ମୋତେ ଆଘାତ ଲାଗିଛି ବୋଲି କହିଛନ୍ତି ପ୍ରତାପ ।
ଅନ୍ୟପକ୍ଷରେ ଏହାକୁ ନେଇ ପ୍ରତିକ୍ରିୟା ଦେଇ ରାହୁଲ କହିଛନ୍ତି, ହଁ ଠେଲାପେଲା ପରିସ୍ଥିତି ହୋଇଥିଲା । ମୁଁ ସଂସଦ ଗୃହ ମଧ୍ୟକୁ ପ୍ରବେଶ କରୁଥିବା ବେଳେ ପ୍ରବେଶ ଦ୍ବାର ପାଖରେ କିଛି ବିଜେପି ସାଂସଦ ମୋତେ ରୋକିବାକୁ ଚେଷ୍ଟା କରିଥିଲେ । ମୋତେ ଧକ୍କା ଦେବା ପାଇଁ ଚେଷ୍ଟା କରିଥିଲେ ଏବଂ ଧମକାଇଥିଲେ । ଏଥିରେ ମଲ୍ଲିକାର୍ଜୁନ୍ ଖଡଗେଙ୍କୁ ମଧ୍ୟ ଠେଲା ଯାଇଛି । ଆମର ମଧ୍ୟ ସଂସଦ ଭିତରକୁ ଯିବାର ଅଧିକାର ରହିଛି । ସେମାନେ ସମ୍ବିଧାନକୁ ବିରୋଧ କରୁଛନ୍ତି ଏବଂ ଆମ୍ବେଦକରଙ୍କ ସ୍ମୃତିକୁ ଅପମାନିତ କରୁଛନ୍ତି ବୋଲି କହିଛନ୍ତି ରାହୁଲ ।