୨୦୨୪ ନିର୍ବାଚନରେ ଅନିୟମିତତା ଅଭିଯୋଗ; ନିର୍ବାଚନ କମିଶନଙ୍କୁ ଫେରାଦ ହେଲା ବିଜେଡି
ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ ବଡ଼ ଅନିୟମିତତା ଅଭିଯୋଗ ଆଣିଛି ବିଜୁ ଜନତା ଦଳ । ଭୋଟ ଦାନ ସଂଖ୍ୟା ନେଇ ଦୁଇ ପ୍ରକାରର ତଥ୍ୟ ସାମ୍ନାକୁ ଆସିଛି । ଯାହାକୁ ନେଇ ସୋମବାର ବିଜେଡି ସଂସଦୀୟ ଟିମ୍ ନିର୍ବାଚନ କମିଶନରଙ୍କୁ ଭେଟି ଅଭିଯୋଗ କରିଛନ୍ତି ।
ବିଜେଡି ଅଭିଯୋଗ ଆଣିଛି ଯେ, ପାଖାପାଖି ୫୦ ନିର୍ବାଚନମଣ୍ଡଳିରେ ଭୋଟ ଦାନ ସଂଖ୍ୟାରେ ବିଶାଳ ତାରତମ୍ୟ ଦେଖିବାକୁ ମିଳିଛି । ଦଳ ଅଭିଯୋଗ କରିଛି ଯେ, ଇତିହାସରେ ପ୍ରଥମ ଥର ପାଇଁ ୫୦ଟି ବିଧାନସଭା ନିର୍ବାଚନମଣ୍ଡଳିରେ ଭୋଟ୍ ଗ୍ରହଣ ଦିନର ମତଦାନ ହାର ଓ ଦୁଇ ଦିନ ପରେ ଦିଆଯାଇଥିବା ମତଦାନ ହାର ମଧ୍ୟରେ ତାରତମ୍ୟ ୧୫ରୁ ୩୦ ପ୍ରତିଶତ ରହିଛି, ଯାହାକି ନିର୍ବାଚନରେ ଏକ ବଡ ଧରଣର ଜାଲିଆତି ବୋଲି କୁହାଯାଇଛି ।
ଲୋକସଭା ଓ ବିଧାନସଭାରେ ଭୋଟ୍ ପାର୍ଥକ୍ୟ ନେଇ ଆପତ୍ତି ଉଠାଇ ଇସିଆଇ ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ତଥ୍ୟରେ ପାର୍ଥକ୍ୟ ଦର୍ଶାଇଛନ୍ତି । ଭୋଟ ଗ୍ରହଣ ସମୟ ପରେ ବି ଇଭିଏମରେ ଭୋଟ ପଡିଥିବା ଅଭିଯୋଗ ହେଉଛି । ସବୁଠୁ ବଡ କଥା ହେଲା ଏଡିଆର ରିପୋର୍ଟରେ ମଧ୍ୟ ଭୋଟର ସଂଖ୍ୟା ଓ ଭୋଟ ହାରକୁ ନେଇ ପ୍ରଶ୍ନ ଉଠିଛି। ଏସବୁ ପ୍ରସଙ୍ଗରେ ବିଜେଡି ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି ।
ଏଥିସହିତ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ତଥ୍ୟ ମାଗିଲେ ମଧ୍ୟ ମିଳୁ ନ ଥିବା ଅଭିଯୋଗ କରିଛନ୍ତି ।
ତେବେ ନିର୍ବାଚନରେ ବ୍ୟାପକ ଗଡବଡ ଓ ଅନିୟମିତତା ହୋଇଥିବା ଅଭିଯୋଗ ପୂର୍ବରୁ ସମସ୍ତ ରାଜନୈତିକ ଦଳ ଉଠାଇଥିଲେ ।