ନୂଆଦିଲ୍ଲୀ: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ଦିନରେ ହିଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ଯୁଏଚଓ)ରୁ ଓହରିଯାଇପାରନ୍ତି। ଏଥିପାଇଁ ତାଙ୍କ ଟିମ୍ ପ୍ରସ୍ତୁତି ଚଳାଇଛନ୍ତି।
ୱାଶିଂଟନ୍ର ଜର୍ଜଟାଉନ୍ ବିଶ୍ଵବିଦ୍ୟାଳୟର ବିଶ୍ୱ ସ୍ୱାସ୍ଥ୍ୟର ପ୍ରଫେସର ତଥା ଜାତୀୟ ଏବଂ ଗ୍ଲୋବାଲ୍ ହେଲ୍ଥ ଡବ୍ଲ୍ଯୁଏଚଓ ସହଯୋଗ କେନ୍ଦ୍ରର ନିର୍ଦ୍ଦେଶକ ଲରେନ୍ସ ଗୋଷ୍ଟିନ୍ କହିଛନ୍ତି ଯେ ଟ୍ରମ୍ପ ତାଙ୍କ ପ୍ରଶାସନର ପ୍ରଥମ ଦିନରେ କିମ୍ବା ବହୁ ପୂର୍ବରୁ ଓହରିବାକୁ ଯୋଜନା କରିଥିବା କଥା ସେ ଜାଣିଥିଲେ।
ବିଶେଷଜ୍ଞମାନଙ୍କ ମତରେ ଯଦି ଟ୍ରମ୍ପ ଡବ୍ଲ୍ଯୁଏଚଓ ରୁ ଓହରିଯାଆନ୍ତି ତେବେ ଏହା ଆମେରିକାର ସ୍ୱାସ୍ଥ୍ୟ ନୀତି ଉପରେ ଏକ ବଡ ପ୍ରଭାବ ପକାଇବ ଓ ବିଶ୍ୱ ମହାମାରୀ ବିରୋଧରେ ଲଢିବା ପ୍ରୟାସରୁ ଆମେରିକାକୁ ଅଲଗା କରିଦିଆଯିବ। ତେବେ ଟ୍ରମ୍ପ ଆମେରିକା ସ୍ୱାସ୍ଥ୍ୟ ବିଭାଗର ଶୀର୍ଷ ପଦବୀ ପାଇଁ ସଂଗଠନର ଅନେକ ନାମିଦାମି ଲୋକଙ୍କୁ ମନୋନୀତ କରିଛନ୍ତି। ସେମାନଙ୍କ ମଧ୍ୟରୁ ସ୍ୱାସ୍ଥ୍ୟ ଏବଂ ମାନବ ସେବା ସଚିବ ଭାବରେ କାର୍ଯ୍ୟ କରୁଥିବା ରୋବର୍ଟ ଏଫ୍ କେନେଡି ଜୁନିଅର ଅନ୍ୟତମ। ସେ ସିଡିସି ଏବଂ ଏଫଡିଏ ସମେତ ଆମେରିକାର ସମସ୍ତ ପ୍ରମୁଖ ସ୍ୱାସ୍ଥ୍ୟ ଏଜେନ୍ସିର ତଦାରଖ କରିଥାନ୍ତି।
ଟ୍ରମ୍ପ ୨୦୨୦ ମସିହାରୁ ଡବ୍ଲ୍ଯୁଏଚଓରୁ ଓହରିବା ପାଇଁ ନିଷ୍ପତ୍ତି ନେଇସାରିଥିଲେ କିନ୍ତୁ ଏହା ଉପରେ ରାଷ୍ଟ୍ରପତି ଜୋ ବିଡେନ କଟକଣା ଲଗାଇ ଦେଇଥିଲେ। ଟ୍ରମ୍ପ କହିଛନ୍ତି ଯେ ଡବ୍ଲ୍ଯୁଏଚଓ କୋଭିଡ-୧୯ର ପ୍ରାରମ୍ଭିକ ବିସ୍ତାର ପାଇଁ ଚାଇନାକୁ ଦାୟୀ କରିବାରେ ବିଫଳ ହୋଇଛି। ଯେଉଁଥିପାଇଁ ସେ ଡବ୍ଲ୍ଯୁଏଚଓକୁ ଚୀନ ହାତର କଣ୍ଢେଇ ବୋଲି ବିବେଚିତ କରିଥିଲେ।