ଭୁବନେଶ୍ବର: ଲୋକସଭା ଓ ବିଧାନସଭା ନିର୍ବାଚନରେ ହୋଇଛି କି ଭୋଟ୍ ଜାଲିଆତି? ମତଦାନ ସଂଖ୍ୟାକୁ ନେଇ ଦ୍ବନ୍ଦ୍ବ ! ପ୍ରିଜାଇଡିଂ ଅଫିସର ଓ ରିଟର୍ଣ୍ଣିଂ ଅଫିସରଙ୍କ ତଥ୍ୟରେ ଫରକ ! ସାଧାରଣ ନିର୍ବାଚନରେ ଭୋଟ୍ ଜାଲିଆତି ଅଭିଯୋଗରେ ଗତକାଲି ନିର୍ବାଚନ କମିଶନଙ୍କୁ ଭେଟିଥିଲେ ବିଜେଡି ସାଂସଦ । ଆଉ ଆଜି ଗଣମାଧ୍ୟମ ଆଗରେ ତଥ୍ୟ ରଖିଛନ୍ତି ଦଳୀୟ ନେତା । ସ୍ବଚ୍ଛ ଓ ସୁରକ୍ଷିତ କୁହାଯାଉଥିବା ଇଭିଏମରେ ଭୋଟିଂ ସତ୍ତ୍ବେ ପୋଲିଂ ଓ ଗଣତି ବେଳେ ତଥ୍ୟରେ ବ୍ୟବଧାନ କାହିଁକି ? ବୋଲି ବିଜେଡି ପ୍ରଶ୍ନ କରିଛି। ନିର୍ବାଚନ ପରେ ଜିଲ୍ଲାପାଳଙ୍କୁ ବୁଥ୍ ତଥ୍ୟ ମଗାଯାଇଥିଲେ ବି ମିଳିନଥିବା କହିଛି ବିଜେଡି ।
୬ମାସ ପରେ କାହିଁକି ଅଭିଯୋଗ?
ନିର୍ବାଚନ ବିପର୍ଯ୍ୟୟର ସାମନା କରିବା ପରେ ବିଜେଡି ସବୁ ଜିଲ୍ଲାପାଳଙ୍କୁ ବୁଥଓ୍ବାରୀ ତଥ୍ୟ ମାଗିଥିଲା, ହେଲେ ତଥ୍ୟ ମିଳିଲାନି । ଏହା ପବ୍ଲିକ ଡକ୍ୟୁମେଣ୍ଟ ହୋଇଥିଲେ ବି ଉପଲବ୍ଧ କରାଗଲାନି । ବୋଧ ହୁଏ ଏଥିପାଇଁ ରାଜ୍ୟ ସରକାର ଅଲିଖିତ ନିର୍ଦ୍ଦେଶ ଦେଇଥିଲେ ବୋଲି ବିଜେଡି କହିଛି । ଆରଟିଆଇରେ ମଧ୍ୟ ତଥ୍ୟ ମିଳିଲାନି । ତେଣୁ ବିଜେଡି ଗତ ୬ମାସ ଧରି ନିଜେ ତଥ୍ୟ ସଂଗ୍ରହ କରିଛି । ଏଥିରେ ଫର୍ମ-୧୭-ସି ପାର୍ଟ ଓ୍ବାନରେ ଥିବା ପୁଲିଂ ତଥ୍ୟ ଓ ଫର୍ମ-୨୦ରେ ଥିବା ଗଣତି ଭୋଟ୍ ସଂଖ୍ୟା ତଥ୍ୟରେ ତାଳମେଳ ନାହିଁ । ବିଜେଡି ପକ୍ଷରୁ ବିଭିନ୍ନ ନିର୍ବାଚନ ମଣ୍ଡଳୀର ବୁଥ୍ ତଥ୍ୟରେ ବ୍ୟବଧାନ ଦର୍ଶାଯାଇଛି । ଏଥିରେ ଫୁଲବାଣୀର ଏକ ବୁଥରେ ବ୍ୟବଧାନ ୬୮୨ ରହିଛି ତ ତଳସରାର ଏକ ବୁଥରେ ରହିଛି ୭୮୪ ଭୋଟ୍ ବ୍ୟବଧାନ ।
ଭୋଟ୍ ଅସଙ୍ଗତି ପାଇଁ ଦାୟୀ କିଏ?
ଭୋଟ୍ ଦିନ ସଂଧ୍ୟା ୫ଟାରେ କ୍ଲୋଜ୍ ଅଫ୍ ପୋଲ ହୁଏ । ସେହିପରି ରାତି ୧୧ଟା ୪୫ରେ ଏଣ୍ଡ ଅଫ୍ ପୋଲ୍ ହୁଏ । ରିପୋର୍ଟ ପରଦିନ ସକାଳେ ଦେବା କଥା । ତେବେ ନିର୍ବାଚନ କମିଶନ ରିପୋର୍ଟ ଦେବାରେ କାହିଁକି ଦୁଇ ଦିନ ବିଳମ୍ବ କଲେ ? ବୋଲି ବିଜେଡି ପ୍ରଶ୍ନ କରିଛି । ଇଭିଏମରେ ଯେତେ ଜଣ ଭୋଟ୍ ଦେଲେ ଗଣତି ବେଳେ ତାହା କେମିତି କମ୍ ବା ବେଶୀ ହେଉଛି । ନିର୍ବାଚନ କମିଶନଙ୍କ ନିରପେକ୍ଷତା ନେଇ ପ୍ରଶ୍ନ କଲେ କାହିଁକି ବିଜେପି ଚିହିଁକି ଉଠିଲା ବୋଲି ବିଜେଡି ପ୍ରଶ୍ନ କରିଛି ।
ବିଜେପିର କାଉଣ୍ଟର
ଭୋଟ୍ ଜାଲିଆତିକୁ ନେଇ ବିଜେଡି ଅଭିଯୋଗ ଆଣିଥିବା ବେଳେ ଜବାବ ରଖିଛି ବିଜେପି । ବିଜେଡି ଅଭିଯୋଗର ଫୋରମ୍ ନିର୍ବାଚନ କମିଶନ ନୁହେଁ । ଯଦି ଅନିୟମିତତା ହୋଇଛି ତେବେ କୋର୍ଟକୁ ଯିବାକୁ କହିଛନ୍ତି ବିଜେପି ସାଂସଦ ବଳଭଦ୍ର ମାଝୀ । ନିର୍ବାଚନ ବେଳେ ବିଜେଡି ଶାସନରେ ଥିଲା । ଯଦି ହେରଫେର ହୋଇଥିବ ତେବେ ତାଙ୍କ ଶାସନ ପ୍ରଶାସନ କରିଥିବେ । ନିର୍ବାଚନ ଫଳାଫଳ ଘୋଷଣାର ଛଅ ମାସ ପରେ ବିଜେଡି ହାରିଯାଇଥିବା ତାଙ୍କର ମନେ ପଡୁଥିବା କହି କଟାକ୍ଷ କରିଛନ୍ତି ବିଜେପି ସାଂସଦ ।
ପୂର୍ବ ନିର୍ବାଚନ ଗୁଡିକରେ କ୍ଲୋଜ୍ ଅଫ୍ ପୋଲ୍ ଓ ଏଣ୍ଡ ଅଫ୍ ପୋଲ୍ ଭିତରେ ସର୍ବାଧିକ ୨ପ୍ରତିଶତ ବ୍ୟବଧାନ ରହିଥିଲା । ହେଲେ ଗତ ନିର୍ବାଚନରେ କଣ୍ଟାମାଳରେ ୨୮ପ୍ରତିଶତ ତ ମୋହନ ମାଝୀଙ୍କ ନିର୍ବାଚନ ମଣ୍ଡଳୀରେ ୩୦.୬୪ପ୍ରତିଶତ ରହିଛି । ଇସିଆଇଙ୍କ ଶେଷ ରିପୋର୍ଟରେ ବି ୧୦ପ୍ରତିଶତ ଫରକ ରହିଛି । କେମିତି ଏତେ ପ୍ରତିଶତର ଫରକ ଆସିଲା ବୋଲି ବିଜେଡି ପ୍ରଶ୍ନ କରିଛି । ସଂସଦୀୟ କ୍ଷେତ୍ର ଓ ଏହା ଅଧୀନସ୍ତ ୭ଟି ବିଧାନସଭାର ମୋଟ୍ ଭୋଟ୍ ପ୍ରାୟ ସମାନ ରହିଥାଏ । ତେବେ ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ୪ହଜାର ୫୬ବ୍ୟବଧାନ ରହିଛି ତ କନ୍ଧମାଳରେ ରହିଛି ୩ହଜାର ୫୨୧ । ଭୋଟ୍ ବ୍ୟବଧାନ ଦ୍ବନ୍ଦ୍ବ ସୃଷ୍ଟି କରିଥିବା ବିଜେଡି କହିଛି ।