ଭୁବନେଶ୍ଵର: ଧାନର FAQ ମାନ ଖରାପ ଥିଲେ ମଧ୍ୟ କିଣିବେ ରାଜ୍ୟ ସରକାର। ବର୍ଷା ପାଇଁ ଧାନର ମାନ କମିଯାଇଥିବାରୁ ଚିନ୍ତାରେ ରହିଛନ୍ତି ଚାଷୀ। କିନ୍ତୁ ସବୁ କୃଷକଙ୍କ ଧାନ କିଣାଯିବ ବୋଲି ଅଶ୍ଵାସନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏଥିପାଇଁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଟୋକନ ଲାପ୍ସ କଲେ ଚାଷୀଙ୍କୁ ଅଧିକ ୧୫ ଦିନର ସମୟ ଦିଆଯିବ। ଏହା ବ୍ୟତୀତ ଓଦା ଧାନ ଶୁଖେଇ ମଣ୍ଡିରେ ବିକ୍ରି ପାଇଁ ଅଧିକ ସମୟ ମଧ୍ୟ ଦିଆଯିବ।
ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି, ପାଗ ଖରାପ କାରଣରୁ କିଛି ମଣ୍ଡି ଖୋଲିବାରେ ବିଳମ୍ବ ହୋଇଛି। କିନ୍ତୁ ବର୍ଷା ପାଇଁ ଆଗୁଆ ମଣ୍ଡି ଖୋଲିବ ନାହିଁ। ବର୍ଷା କାରଣରୁ ଯେଉଁ ଚାଷୀମାନଙ୍କର କ୍ଷତି ହୋଇଛି, ତା’ର ଆକଳନ କରି ଉଚିତ ମୂଲ୍ୟ ଦିଆଯିବ। ଏ ପର୍ଯ୍ୟନ୍ତ ସାଢେ ସାତ ଲକ୍ଷ ମେଟ୍ରିକ ଟନ ଧାନ ବିକ୍ରି ହୋଇଛି। ଦେଢ ଲକ୍ଷ କୃଷକଙ୍କ ଆକାଉଣ୍ଟଙ୍କୁ ୨୧ ଶହ କୋଟି ଟଙ୍କା ଦିଆଯାଇଥିବା ଯୋଗାଣ ମନ୍ତ୍ରୀ କହିଛନ୍ତି।
ଅନ୍ୟପଟେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବାକୁ ସରକାର ପ୍ରସ୍ତୁତ ଥିବା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସେ କହିଛନ୍ତି, ଅଦିନିଆ ବର୍ଷାରୁ ହୋଇଥିବା କ୍ଷୟକ୍ଷତି ପୂରଣ ପାଇଁ ସରକାର ପ୍ରସ୍ତୁତ। ସେ କହିଛନ୍ତି ଯେ ନିୟମ ଅନୁସାରେ ସରକାର କ୍ଷତିପୂରଣ ଦେବେ। ଏଥିପାଇଁ ସରକାର ଓ ଚାଷୀଙ୍କ ଭିତରେ ସହାଭାଗିତା ଦରକାର। ଏଥିପାଇଁ ଜିଲ୍ଲା ପ୍ରଶାସନ ମଧ୍ୟ ସହାୟତା କରିବ। ରାଜ୍ୟର କୌଣସି ଚାଷୀ ଆଦୌ ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ, ସରକାର ଲୋକଙ୍କ ସାଙ୍ଗରେ ଅଛନ୍ତି ବୋଲି ରାଜସ୍ବ ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି।