Latest Odisha News

ଦିଲ୍ଲୀରେ କଂଗ୍ରେସର ଭିତିରି ଗେମ, ବିଜେପିକୁ ଫାଇଦା ! ଅଡୁଆରେ ଆପ୍

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବିଧାନସଭା ନିର୍ବାଚନକୁ ନେଇ ସବୁ ଦଳ ଆରମ୍ଭ କରିଛନ୍ତି କସରତ। ଆମ ଆଦମି ପାର୍ଟି ସବୁ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ବିଜେପି ନିର୍ବାଚନୀ ତାରିଖ ଘୋଷଣା ପୂର୍ବରୁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିବାକୁ ଲକ୍ଷ୍ୟ ରଖିଛି। ଦିଲ୍ଲୀରେ ଶାସକ ଦଳ ଆପ୍ ଓ ବିଜେପି ଭିତରେ ସିଧା ଫାଇଟ ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ କହୁଛନ୍ତି। ହେଲେ କଂଗ୍ରେସ ଏପରି ଆକଳନକୁ ବଦଳାଇ ଦେବା ପାଇଁ ଭିତିରି ରଣନୀତି ଆରମ୍ଭ କରିଛି। 1998ରୁ 2013 ଯାଏ ଲଗାତାର କ୍ଷମତାରେ ଥିବା କଂଗ୍ରେସ ନିର୍ବାଚନୀ ମୈଦାନରେ ଏକଲା ନିର୍ବାଚନ ଲଢୁଛି। ଲୋକସଭା ନିର୍ବାଚନରେ କଂଗ୍ରେସ ଓ ଆପ୍ ଭିତରେ ମେଣ୍ଟ ହୋଇଥିଲା। ହେଲେ ବିଜେପି ପୂରା 7 ଟି ଆସନରେ କ୍ଲିନ ସ୍ୱିପ କରିଥିଲା। ଏପରି ସ୍ଥିତିରେ ଏଥର ଦିଲ୍ଲୀରେ ଏକପ୍ରକାର ତ୍ରିକୋଣୀୟ ଫାଇଟ ହେବ ବୋଲି କୁହାଯାଉଛି। ଏବେ ଆସନ୍ତୁ ଜାଣିବା କଣ ରହିଛି ଦିଲ୍ଲୀ ରାଜନୀତିର ଭିତିରି ଖେଳ।

  1. ଆଣ୍ଟି ଇନକମ୍ୱେନ୍ସି ଭୋଟ ଭାଗ ହେଲେ ଆପକୁ ଫାଇଦା

ଦିଲ୍ଲୀରେ 2015ରୁ ଆପ ଶାସନ କ୍ଷମତାରେ ରହିଆସିଛି। 2013 ନିର୍ବାଚନ ପରେ ଆପ୍ ସରକାରକୁ ଆସିଲା। ହେଲେ ଏହି ସରକାର ମାତ୍ର 49 ଦିନ ରହିଥିଲା। ଲଗାତାର 10 ବର୍ଷର ଆଣ୍ଟି ଇନକମ୍ୱେନ୍ସି ପରେ କୌଣସି ଦଳ ପାଇଁ ଏହାକୁ ଚ୍ୟାଲେଞ୍ଜ କରିବା ଏତେଟା ସହଜ ହୁଏ ନାହିଁ । ଏଥିପାଇଁ ସରକାରରେ ଥିବା ଦଳ ସବୁବେଳେ ଚାହେଁ ନିର୍ବାଚନୀ ମୈଦାନରେ ଅଧିକରୁ ଅଧିକ ଦଳ ଆସୁ। ଏହା ପଛର ରଣନୀତି ହେଉଛି ଆଣ୍ଟି ଇନକମ୍ୱେନ୍ସି ଭୋଟ ଭାଗ ଭାଗ ହେବା। ନିକଟରେ ହରିଆଣାରେ ମଧ୍ୟ ଏମିତି ହୋଇଥିଲା। ବହୁକୋଣୀୟ ମୁକାବିଲାରେ ଆଣ୍ଟି ଇନକମ୍ୱେନ୍ସି ଭୋଟ ଭାଗ ଭାଗ ହେବା ଫଳରେ ବିଜେପି ପୁଣି ସରକାରକୁ ଆସିଥିଲା। ଏହି କ୍ରମରେ ଦିଲ୍ଲୀରେ ଯଦି ଆଣ୍ଟି ଇନକମ୍ୱେନ୍ସି ଭୋଟ ଭାଗ ଭାଗ ହୁଏ ଏହାର ଫାଇଦା ଆପକୁ ମିଳିବ ବୋଲି ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି।

  1. ଏମିତି ହେଲେ ଆପ୍ ପାଇଁ କ୍ଷତି

ଆମ ଆଦମି ପାର୍ଟି 2013ରେ ଦିଲ୍ଲୀ ନିର୍ବାଚନରେ ପ୍ରଥମ ଥରପାଇଁ ପାଦ ଦେଇଥିଲା। ଆଉ ପ୍ରଥମ ନିର୍ବାଚନରେ ଆପ ପ୍ରାୟ 30 ପ୍ରତିଶତ ଭୋଟ ସେୟାର ସହ 28 ଆସନରେ ବିଜୟ ହୋଇଥିଲା। ସେହିଭଳି କଂଗ୍ରେସ ପ୍ରାୟ 25 ପ୍ରତିଶତ ଭୋଟ ସେୟାର ସହ 8ଟି ଆସନରେ ବିଜୟ ହୋଇଥିଲା। ହେଲେ 2015 ଦିଲ୍ଲୀ ନିର୍ବାଚନରେ ଆପ ଦମଦାର ପ୍ରଦର୍ଶନ କରିଥିଲା। ଦଳ ପ୍ରାୟ 54.6 ପ୍ରତିଶତ ଭୋଟ ସେୟାର ସହ 67 ଆସନରେ ବିଜୟ ହୋଇଥିଲା। ଯେତେବେଳେ କି କଂଗ୍ରେସ ମାତ୍ର 9.7 ପ୍ରତିଶତ ଭୋଟ ପାଇ ଦଳ କୌଣସି ବି ଆସନରେ ଜିତି ପାରିନଥିଲା।

2020 ନିର୍ବାଚନରେ ମଧ୍ୟ ଆପର ଭୋଟ ସେୟାର 53 ପ୍ରତିଶତରୁ ଅଧିକ ରହିଥିଲା। ଯେତେବେଳେ କି କଂଗ୍ରେସର ଭୋଟ ସେୟାର ଆହୁରି ତଳକୁ ଖସି ପାଞ୍ଚ ପ୍ରତିଶତ ହୋଇଥିଲା। ଅନ୍ୟପଟେ ବିଜେପିର ଭୋଟ ସେୟାର 2013ରେ 33.1 ରହିଥିବା ବେଳେ 2015ରେ 32.8 ଓ 2020ରେ 38.5 ପ୍ରତିଶତ ରହିଥିଲା। ଏହି ପରିସଂଖ୍ୟାନ ଦେଖିଲେ ଲାଗୁଛି କଂଗ୍ରେସର ଭୋଟ ସେୟାର ଆପକୁ  ସିଫ୍ଟ ହୋଇଛି। ଏବେ ଯଦି କଂଗ୍ରେସ ତାର ପୁରୁଣା ଭୋଟ ବ୍ୟାଙ୍କକୁ ଫାଇରାଇ ଆଣିବ ତେବେ ଏହା ଆପ ପାଇଁ କ୍ଷତି ହେବ ନିଶ୍ଚତି।

  1. ତ୍ରିକୋଣୀୟ ଫାଇଟ ହେଲେ ବିଜେପିକୁ ଲାଭ

ଦିଲ୍ଲୀ ଫଳାଫଳ ଉପରେ ଯଦି ଆମେ ଚର୍ଚ୍ଚା କରିବା ତେବେ ବିଜେପି 2015ରେ 32.8 ପ୍ରତିଶତ ଭୋଟ ସେୟାର ପାଇଥିଲା ଫଳରେ ଆପକୁ ବଡ଼ ବିଜୟ ମିଳିଥିଲା । 2020 ନିର୍ବାଚନରେ ପୁଣିଥରେ ସମାନ ଭୋଟ ସେୟାର ସହ ବିଜେପକୁ ମାତ ଦେଇଥିଲା। ହେଲେ ଏଥର ଯଦି ତ୍ରୀକୋଣୀୟ ମୁକାବିଲା ହୁଏ ତେବେ ବିଜେପିକୁ ଫାଇଦା ଦେବ ବୋଲିର ରାଜନୈତିକ ସମୀକ୍ଷକମାନେ କହୁଛନ୍ତି।

  1. ଏହି ସବୁ ଆସନରେ ପଲଟିବ ଗେମ୍

ହରିଆଣା ନିର୍ବାଚନରେ ବି କଂଗ୍ରେସ ଓ ଆପ ଅଲଗା ଅଲଗା ହୋଇ ନିର୍ବାଚନ ଲଢ଼ିଥିଲେ। ସିଧା ଲଢ଼େଇ ବିଜେପି ଓ କଂଗ୍ରେସ ଭିତରେ ହୋଇଥିଲା। ଫଳାଫଳ କିନ୍ତୁ କଂଗ୍ରେସ ବିପକ୍ଷରେ ଯାଇଥିଲା। ଦଳ 37 ଆସନ ପାଇ କ୍ଷମତାରୁ ବାହାର ହୋଇଥିଲା। ତେବେ ଏହା ପଛରେ ଆପ ହିଁ ମୁଖ୍ୟ କାରଣ ଥିଲା ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି। କିଛି ଏମିତି ଆସନ ରହିଥିଲା ଯେଉଁଠି କଂଗ୍ରେସ ପ୍ରାର୍ଥୀଙ୍କ ପରାଜୟର ଅନ୍ତରଠାରୁ ଆପ ପ୍ରାର୍ଥୀଙ୍କୁ ଅଧିକ ଭୋଟ ମିଳିଥିଲା। ଏପରି ସ୍ଥିତିରେ ଯଦି ଦିଲ୍ଲୀରେ ମଧ୍ୟ ଏମିତି ହେବ ତେବେ ଆପ ପାଇଁ ଅଡୁଆ ହେବ ବୋଲି ସମୀକ୍ଷକମାନେ କହିଛନ୍ତି।

  1. କଂଗ୍ରେସ କରିପାରେ ଅଡୁଆ

ଏଥର ଦିଲ୍ଲୀ ନିର୍ବାଚନରେ କଂଗ୍ରେସ ମଧ୍ୟ ପଛରେ ପଡ଼ିନି। ଦଳ କେମିତି କ୍ଷମତାକୁ ଆସିବ ସେନେଇ ଭିତିରି ରଣନୀତି ପ୍ରସ୍ତୁତ କରୁଛି।  ଏମିତିକି କଂଗ୍ରେସ, ଆପ ଓ ବିଜେପିର ଅସନ୍ତୁଷ୍ଟ ନେତାକୁ ଦଳରେ ମିଶାଇ ଚେକ୍ ଦେବାଦୁ ଉଦ୍ୟମ କରୁଛି। ଶାସକ ଆପର ବର୍ତ୍ତମାନ ବିଧାୟକ ଥିବା ଅବ୍ଦୁଲ ରହମାନଙ୍କୁ ସିଲମପୁର ବିଧାନସଭା ଆସନରୁ ଟିକେଟ୍ ଦେଇଛି। ସେହିଭଳି ପୂର୍ବତନ ବିଧାୟକ ଆଦର୍ଶ ଶାସ୍ତ୍ରୀଙ୍କୁ ଦ୍ୱାରକା ଓ ଦେବେନ୍ଦ୍ର ସହରାୱତଙ୍କୁ ବିଜୱାସନ ଆସନରୁ ଟିକେଟ ଦେଇଛି କଂଗ୍ରେସ। ଏମାନେ ସବୁ ଆପ ନେତା । କଂଗ୍ରେସର ରଣନୀତି ହେଉଛି ଆପ ଓ ବିଜେପିର ଗୋଷ୍ଠୀ କନ୍ଦଳରୁ ଫାଇଦା ଉଠାଇବା। ଏପରି ସ୍ଥିତିରେ ଆପ ପାଇଁ ଦିଲ୍ଲୀରେ କଂଗ୍ରେସ ଅଡୁଆ କରିପାରେ।

 

 

Leave A Reply

Your email address will not be published.