Latest Odisha News

BREAKING NEWS

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗ; ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ବିରୋଧୀଦଳ ନେତାଙ୍କ ଗଭୀର ଶୋକ ପ୍ରକାଶ

ଭୁବନେଶ୍ୱର: ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ ରେ ଲେଖିଛନ୍ତି ଯେ, ”ସ୍ୱର୍ଗତଃ ମନମୋହନ ସିଂହ ଦେଶର ଜଣେ ମହାନ୍ ବରପୁତ୍ର ଥିଲେ । ଅର୍ଥନୀତି କ୍ଷେତ୍ରରେ ତାଙ୍କର ଜ୍ଞାନ ଓ ଦକ୍ଷତା ପାଇଁ ସେ ସାରା ବିଶ୍ବରେ ସମ୍ମାନର ଅଧିକାରୀ ହୋଇ ପାରିଥିଲେ । ଅର୍ଥ ମନ୍ତ୍ରୀ ଭାବରେ ଦେଶର ଅର୍ଥନୀତିକୁ ସେ ଏକ ନୂଆ ଦିଗ ଦେଇଥିଲେ। ତାଙ୍କର ଉଦାର ଅର୍ଥନୈତିକ ନୀତି ଯୋଗୁ ଭାରତ ବିଶ୍ଵର ଏକ ପ୍ରମୁଖ ଅର୍ଥନୀତି ଭାବେ ଯାତ୍ରା ଆରମ୍ଭ କରିଥିଲା। ପ୍ରଧାନମନ୍ତ୍ରୀ ଭାବେ ସେ ବିଭିନ୍ନ କ୍ଷେତ୍ରରେ ଦେଶର ବିକାଶକୁ ତ୍ୱରାନ୍ୱିତ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି” ।

ତାଙ୍କର ଜ୍ଞାନ, ଭଦ୍ରତା, ସାଧୁତା ଓ ଅମାୟୀକ ସ୍ଵଭାବ ତାଙ୍କ ପାଇଁ ରାଜନୀତି କ୍ଷେତ୍ରରେ ଭିନ୍ନ ଏକ ପରିଚୟ ସୃଷ୍ଟି କରିଥଲା । ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି ।

ଅନ୍ୟପଟେ, ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼କ୍ଟର ମନମୋହନ ସିଂହଙ୍କ ବିୟୋଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ ରେ ସ୍ବର୍ଗତ ସିଂହ ଙ୍କୁ ଜଣେ ଦକ୍ଷ ପ୍ରଶାସକ, ପାର୍ଲିଆମେଣ୍ଟାରିଆନ ଓ ଯଶସ୍ବୀ ଅର୍ଥନୀତିଜ୍ଞ ଭାବରେ ବର୍ଣ୍ଣନା କରିଛନ୍ତି । ଦେଶର ଅର୍ଥନୈତିକ ସଂସ୍କାରର ସେ ଥିଲେ ସୂତ୍ରଧର ଯାହାକି ଭାରତୀୟଙ୍କ ଜୀବନରେ ବିରାଟ ପରିବର୍ତ୍ତନ ଆଣିପାରିଛନ୍ତି । ଏବଂ ଭାରତକୁ ବିଶ୍ୱ ର ଏକ ପ୍ରମୁଖ ଆର୍ଥିକ ଶକ୍ତି ଭାବରେ ଗଢି ତୋଳିଛନ୍ତି । ନମ୍ରତା ଓ ବିଦବତ୍ତା ଡ଼କ୍ଟର ସିଂହଙ୍କ ବ୍ୟକ୍ତିତ୍ୱର ଉଜ୍ଜଳ ତମ ଦିଗ ଥିଲା । ତାଙ୍କର ବିୟୋଗରେ ଦେଶ ଜଣେ ମହାନ ବିଭୁତିଙ୍କୁ ହରାଇଲା ବୋଲି ଶ୍ରୀ ପଟ୍ଟନାୟକ ବର୍ଣ୍ଣନା କରି ଡ଼କ୍ଟର ସିଂହ ଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ଶ୍ରୀ ପଟ୍ଟନାୟକ ସ୍ବର୍ଗତ ସିଂହଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

Comments are closed.