Latest Odisha News

BREAKING NEWS

କଂଗ୍ରେସ କହିଲା ମନମୋହନଙ୍କୁ ଅସମ୍ମାନ ହୋଇଛି , ମନେ ପକାଇଦେଲେ ଜେପି ନଡ୍ଡା

ନୂଆଦିଲ୍ଲୀ: ମନମୋହନଙ୍କୁ ନେଇ ଜାତୀୟ ରାଜନୀତି ଉଠୁଛି ପଡୁଛି । କିଏ କାହାର କରୁଛନ୍ତି ଅସମ୍ମାନ, କିଏ କରୁଛନ୍ତି ଅଣଦେଖା । କାହଁକି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ମୃତ୍ୟୁକୁ ନେଇ ଏତେ ରାଜନୀତି ? କାହିଁକି ବିଜେପି ଓ କଂଗ୍ରେସ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ? ଶନିବାର ଦିଲ୍ଲୀର ନିଗମବୋଧ ଘାଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଅନ୍ତେଷ୍ଟି ପରେ ସୋସିଆଲ୍ ସାଇଟ୍ Xରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଏକ ପୋଷ୍ଟ କରିଥିଲେ । ଯେଉଁଥିରେ ମନମୋହନ ସିଂହଙ୍କ ପ୍ରତି ବର୍ତ୍ତମାନର ମୋଦି ସରକାର ଅସମ୍ମାନ କରିଥିବା କହିଥିଲେ ରାହୁଲ । ଏବେ ଏହାର ଜବାବ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

ମନମୋହନଙ୍କ ଉଦ୍ଦେଶ୍ୟରେ ସ୍ମାରକ ସ୍ଥଳ ନିର୍ମାଣକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ସରକାର ପ୍ରଥମେ ଏ ବାବଦରେ କିଛି କହି ନଥିବା ବେଳେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ପତ୍ର ଲେଖିବା ସହ ଟେଲିଫୋନରେ କଥା ହୋଇଥିଲେ । ତେବେ ମୋଦି ସରକାର, ସ୍ମାରକ ସ୍ଥଳ ନିର୍ମାଣ ପାଇଁ ଅନୁମୋଦନ କରିଥିବା କହିଛନ୍ତି ଜେପି ନଡ୍ଡା । କଂଗ୍ରେସ କହୁଛି, ନିଗମବୋଧ ଘାଟରେ ଦେଶର କୌଣସି ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅନ୍ତେଷ୍ଟି ହୋଇନି । କଂଗ୍ରେସର ଏଭଳି ସ୍ମତି ଭ୍ରମକୁ ଏଇଠି ମନେ ପକାଇ ଦେଇଛି ବିଜେପି ।

ପୂର୍ବତନ ପ୍ରଧାନମନ୍ତ୍ରୀ ଦିବଂଗତ ପିଭି ନରସିଂହା ରାଓଙ୍କ ଭାଇ ମନୋହର ରାଓ ମଧ୍ୟ ସେହି ସମାନ କଥା କଂଗ୍ରେସକୁ ମନେ ପକାଇ ଦେଇଛନ୍ତି । କଂଗ୍ରେସ, ମନମୋହନ ସିଂହ ଏବଂ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ତୁଳନାତ୍ମକ ଚିତ୍ର ରଖିବା ସହ ମନମୋହନ ସିଂହଙ୍କ ପ୍ରତି ବିଜେପି ନେତାଏ କରିଥିବା ଅସମ୍ମାନ ମଧ୍ୟ ମନେ ପକାଇ ଦେଇଛି । କଂଗ୍ରେସ ସମ୍ମାନ ଓ ଅସମ୍ମାନର କଥା କହୁଥିବା ବେଳେ ସମ୍ମାନ ଓ ଅସମ୍ମାନର ଲମ୍ବା ତାଲିକା ଥୋଇଛନ୍ତି ଜେପି ନଡ୍ଡା । ରାଜନୀତିର ଅନେକ ରଙ୍ଗ ରହିଛି ସତ, କିନ୍ତୁ ଇତିହାସ ଥରେ ଲେଖି ହୋଇଗଲେ, ଯେତେ ଚେଷ୍ଟା କଲେ ବି ତାର ରଙ୍ଗ ବଦଳେ ନାହିଁ ।

Comments are closed.