Latest Odisha News

BREAKING NEWS

ଚାଷୀଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମର ‘ବେଦାମୃତ’; ମହୁମାଛି ପାଳନ…

ଭୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲା ଭୁଗ୍ରାପାଲି ଗାଁର ଚାଷଜମିରେ ଧାନ ଓ ପନିପରିବା ଚାଷ ସହ ଏବେ ମହୁମାଛି ଚାଷ ଆୟର ନୂଆ ସମ୍ଭାବନା ସୃଷ୍ଟି କରିଛି। ଚାଷୀ କ୍ଷୀରୋଦ୍ର ପଟେଲଙ୍କ ପାଇଁ ମହୁମାଛି ଏବେ ଅତିରିକ୍ତ ରୋଜଗାରର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିଛି।

ନିଜର ୬ ଏକର ଜମିରେ ଚାଷ କରିବା ସହ ସେ ମହୁମାଛି ପାଳନରୁ ବାର୍ଷିକ ପ୍ରାୟ ୨୫ ହଜାର ଟଙ୍କା ଆୟ କରୁଛନ୍ତି।ପ୍ରଥମେ ମାତ୍ର ୩ଟି ମହୁମାଛି ବାକ୍ସରୁ ଆରମ୍ଭ ହୋଇଥିବା ଏହି ଉଦ୍ୟମ ଏବେ ତାଙ୍କ ସାତ ଜଣିଆ ପରିବାରର ଆର୍ଥିକ ସୁରକ୍ଷାକୁ ମଜବୁତ କରିବାରେ ସହାୟକ ହୋଇଛି।

କ୍ଷୀରୋଦ୍ରଙ୍କ ଏହି ସଫଳତା ହେଉଛି ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମର ଜୀବିକାଭିତ୍ତିକ ପଦକ୍ଷେପ ‘ବେଦାମୃତ’ର ସଫଳ ଉଦାହରଣ।ଗ୍ରାମାଞ୍ଚଳର ଚାଷୀଙ୍କୁ ବୈଜ୍ଞାନିକ ପଦ୍ଧତିରେ ମହୁମାଛି ପାଳନ ସମ୍ପର୍କରେ ତାଲିମ ଦେଇ ଏହି କାର୍ଯ୍ୟକ୍ରମ ସେମାନଙ୍କ ଆୟର ବିକଳ୍ପ ଉତ୍ସ ସୃଷ୍ଟି କରିବା ସହ ପ୍ରାକୃତିକ ପରାଗସଙ୍ଗମ ମାଧ୍ୟମରେ କୃଷି ଉତ୍ପାଦକତା ବୃଦ୍ଧିରେ ମଧ୍ୟ ସହାୟକ ହେଉଛି।ବ୍ୟବହାରିକ ତାଲିମ, ମହୁମାଛି ବାକ୍ସ ବଣ୍ଟନ ଏବଂ ନିରନ୍ତର ବୈଷୟିକ ସହାୟତା ଜରିଆରେ ଏହି ପଦକ୍ଷେପ ଚାଷୀ ପରିବାରଗୁଡ଼ିକୁ ସ୍ଥାୟୀ ଆୟର ସୁଯୋଗ ପ୍ରଦାନ କରୁଛି।

କ୍ଷୀରୋଦ୍ର ପ୍ରଥମ ୩ଟି ମହୁମାଛି ବାକ୍ସ ପାଇବାର ମାତ୍ର ୩ ମାସ ମଧ୍ୟରେ ପ୍ରାୟ ୨୩ କିଲୋଗ୍ରାମ ମହୁ ସଂଗ୍ରହ କରିଥିଲେ। ପରବର୍ତ୍ତୀ ସମୟରେ ମହୁମାଛିଙ୍କ ସଂଖ୍ୟା ବଢ଼ିବା ସହ ସେ ମହୁମାଛି କଲୋନି ବିକ୍ରି କରିବା ମଧ୍ୟ ଆରମ୍ଭ କରିଥିଲେ। ଏହା ସହିତ ପରାଗସଙ୍ଗମରେ ଉନ୍ନତି ଯୋଗୁଁ ତାଙ୍କ ପନିପରିବା ଉତ୍ପାଦନରେ ପ୍ରାୟ ୩୦ ପ୍ରତିଶତ ବୃଦ୍ଧି ହୋଇଥିବା ଆକଳନ କରାଯାଇଛି। ଏହା ପାରମ୍ପରିକ ଚାଷ ସହ ମହୁମାଛି ପାଳନର ସମନ୍ୱୟ କିପରି ଅଧିକ ଲାଭ ଦେଇପାରେ, ତାହା ଦର୍ଶାଉଛି।ନିକଟବର୍ତ୍ତୀ ଗାଁଗୁଡ଼ିକରେ ମଧ୍ୟ ଏଭଳି ପରିବର୍ତ୍ତନ ଦେଖିବାକୁ ମିଳୁଛି।

ସେହିପରି ସାଲେପାଲି ଗାଁର ମଞ୍ଜରୀ ପ୍ରଧାନ ଘରୋଇ ଦାୟିତ୍ୱ ସହ କୃଷି କାର୍ଯ୍ୟରେ ନିୟୋଜିତ ରହିଥିବା ବେଳେ ‘ବେଦାମୃତ’ ମାଧ୍ୟମରେଏକ ନୂଆ ଜୀବିକାର ସୁଯୋଗ ପାଇଛନ୍ତି। ମାତ୍ର ଗୋଟିଏ ମହୁମାଛି ବାକ୍ସରୁ ଆରମ୍ଭ କରି ସେ ୮ ଲିଟର ମହୁ ସଂଗ୍ରହ କରିଛନ୍ତି। ଏହା ତାଙ୍କୁ ଅତିରିକ୍ତ ଆୟ ସହ ଆର୍ଥିକ ଆତ୍ମବିଶ୍ୱାସ ମଧ୍ୟ ପ୍ରଦାନ କରିଛି। ସେ କହିଛନ୍ତି, “ମହୁମାଛି ପାଳନ ଶିଖିବା ମୋତେ ଏକ ନୂଆ କାମ କରିବା ପାଇଁ ଆତ୍ମବିଶ୍ୱାସ ଦେଇଛି। ମୁଁ ମାତ୍ର ଗୋଟିଏ ବାକ୍ସରୁ ଆରମ୍ଭ କରିଥିଲି ଏବଂ ଏବେ ମହୁ ସଂଗ୍ରହ କରି ଆୟ କରିପାରୁଛି। ପରିବାରର ଆୟରେ ନିଜର ଅବଦାନ ରଖିପାରିବା ମୋ ପାଇଁ ବହୁତ ମୂଲ୍ୟବାନ।”

ବୁଚାମୁଣ୍ଡା ଗାଁର ୬୭ ବର୍ଷୀୟା ରାଜକୁମାରୀ ମହାର ମଧ୍ୟ ନିଜର ପୂର୍ବରୁ ଥିବା ଜୀବିକା ସହ ମହୁମାଛି ପାଳନକୁ ଯୋଡ଼ିଛନ୍ତି। ପ୍ରଥମ ମହୁମାଛି ବାକ୍ସରୁ ସେ ୫ ଲିଟର ମହୁ ସଂଗ୍ରହ କରିଥିଲେ। ସେହିପରି ସାଲେପାଲିର ପ୍ରତିମା ସୁନାନୀ ନିଜ ପରିବାରର ୫ ଏକର ପନିପରିବା ଚାଷ ଜମିରେ ମହୁମାଛି ପାଳନ ଆରମ୍ଭ କରି ମାତ୍ର ୩ ମାସ ମଧ୍ୟରେ ୮ କିଲୋଗ୍ରାମ ମହୁ ସଂଗ୍ରହ କରିଛନ୍ତି।

ଅପରପକ୍ଷରେ ଏହି ପଦକ୍ଷେପ ଅଧୀନରେ ୨୦ଟି ଗାଁର ୫୨୬ ଜଣ ଚାଷୀ ବୈଜ୍ଞାନିକ ପଦ୍ଧତିରେ ମହୁମାଛି ପାଳନ ଆପଣାଇଛନ୍ତି। ଆଗାମୀ ଦିନରେ ଏହି ସଂଖ୍ୟାକୁ ୧,୫୦୦ ଜଣ ମହୁମାଛି ପାଳକଙ୍କ ପର୍ଯ୍ୟନ୍ତ ବୃଦ୍ଧି କରିବା ଲକ୍ଷ୍ୟ ରହିଛି। ଗତ ଏକ ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସାମିଲ ଚାଷୀମାନେ ମିଳିତ ଭାବେ ୨,୦୦୦ ଲିଟରରୁ ଅଧିକ ଉଚ୍ଚମାନର ମହୁ ସଂଗ୍ରହ କରି ଗ୍ରାମୀଣ ପରିବାରଗୁଡ଼ିକ ପାଇଁ ଅତିରିକ୍ତ ଆୟର ସୁଯୋଗ ସୃଷ୍ଟି କରିଛନ୍ତି।

ମହୁ ଉତ୍ପାଦନରୁ ବଜାର ପର୍ଯ୍ୟନ୍ତ ସମଗ୍ର ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବା ପାଇଁ ‘ବେଦାମୃତ’ ପକ୍ଷରୁ କୋଲାବିରାଠାରେ ଏକ ଆଧୁନିକ ମହୁ ପ୍ରକ୍ରିୟାକରଣ କେନ୍ଦ୍ର ସ୍ଥାପନ କରାଯାଇଛି। ଏଠାରେ ମହୁ ନିଷ୍କାସନ, ପ୍ରକ୍ରିୟାକରଣ ଓ ପ୍ୟାକେଜିଂର ସୁବିଧା ରହିଛି। ଏହି କେନ୍ଦ୍ର ଗ୍ରାମୀଣ ଉତ୍ପାଦକମାନଙ୍କୁ ଗୁଣବତ୍ତା ମାନଦଣ୍ଡ ପୂରଣ କରିବା, ଉତ୍ପାଦର ମୂଲ୍ୟ ବୃଦ୍ଧି କରିବା ଏବଂ ଅଧିକ ମୂଲ୍ୟ ମିଳୁଥିବା ବଜାରରେ ପହଞ୍ଚିବାରେ ସହାୟତା କରିବ।

ବୈଜ୍ଞାନିକ ପଦ୍ଧତି, ଚାଷୀଙ୍କ ସାମୂହିକ ସହଭାଗିତା, ପ୍ରକ୍ରିୟାକରଣ ଭିତ୍ତିଭୂମି ଓ ବଜାର ସଂଯୋଗକୁ ଏକାଠି କରି ‘ବେଦାମୃତ’ ଗ୍ରାମୀଣ ଜୀବିକାର ଏକ ସମ୍ପ୍ରସାରଣଯୋଗ୍ୟ ମଡେଲ୍ ବିକଶିତ କରୁଛି। ଏହା କେବଳ ଚାଷୀଙ୍କ ଆୟ ବୃଦ୍ଧିରେ ସୀମିତ ନୁହେଁ; ପରାଗସଙ୍ଗମ ମାଧ୍ୟମରେ ଜୈବ ବିବିଧତାର ସୁରକ୍ଷା ଏବଂ ଉପଲବ୍ଧ କୃଷି ସମ୍ବଳର ଉତ୍ତମ ବ୍ୟବହାରକୁ ମଧ୍ୟ ପ୍ରୋତ୍ସାହିତ କରୁଛି।

 

Leave A Reply

Your email address will not be published.