Latest Odisha News

ନୀତୀଶଙ୍କୁ ବଡ଼ ଅଫର, ଜାତୀୟ ରାଜନୀତିରେ ହଟଚମଟ

ନୂଆଦିଲ୍ଲୀ : ଜାତୀୟ ରାଜନୀତିରେ ପୁଣି ନୀତୀଶ କୁମାରଙ୍କୁ ନେଇ ହଟଚମଟ । ପ୍ରଥମେ ନୀତୀଶ ସାଇଲେଣ୍ଟ ମୋଡକୁ ଯିବା ପରେ ଏବେ ବଡ଼ ଅଫର, ଯାହା ଜାତୀୟ ରାଜନୀତିରେ ଝଡ଼ ସୃଷ୍ଟି କରିଛି । ସାମାଜିକ ଗଣମାଧ୍ୟରେ ଅନେକ କହିଲେଣି ପୁଣି ଏନଡିଏକୁ ଟାଟା କରିବେ କି ନୀତୀଶ କୁମାର ? ତେବେ ଏପରି ଚର୍ଚ୍ଚା ଏମିତି ସମୟରେ ହେଉଛି ଯେତେବେଳେ କି ନୂଆ ବର୍ଷରେ ଆରଡେଜି ମୁଖ୍ୟ ଲାଲୁ ଯାଦବ , ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଇଣ୍ଡିଆ ମେଣ୍ଟକୁ ଫେରିବାକୁ ପ୍ରସ୍ତାବ ଦେଇଛନ୍ତି। ନୂଆ ବର୍ଷ ଅବସରରେ ଲାଲୁ ଯାଦବ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାଇଁ ତାଙ୍କ ଦ୍ବାର ସବୁବେଳେ ଖୋଲା। ସେ ଚାହିଁଲେ ଆସିପାରିବେ। ଏମିତିକି ଲାଲୁ କହିଛନ୍ତି ଯେ ନୀତୀଶ କୁମାର ଆମକୁ ଛାଡି ପଳାଇଥିଲେ ମଧ୍ୟ ଆମେ ତାଙ୍କୁ କ୍ଷମା କରିଛୁ।

ଲାଲୁଙ୍କ ଏତେ ବଡ଼ ଅଫର ପରେ ଚର୍ଚ୍ଚା ତ ଜୋର ହେଉଛି ହେଲେ ନୀତୀଶ କିନ୍ତୁ ଏହାକୁ ପ୍ରତ୍ୟାଖାନ କରିଛନ୍ତି । ସେ ଲାଲୁଙ୍କୁ କହିଛନ୍ତି ‘ ତୁମେ କଣ କହୁଛ … ଛାଡିଦିଅ। ଏଥି ସହିତ ଲାଲୁ ଯାଦବଙ୍କ ଅଫରରେ ବରିଷ୍ଟ ଜେଡିୟୁ ନେତା ବିଜୟ ଚୌଧୁରୀ ମଧ୍ୟ ପାଲଟା ଜବାବ ଦେଇଛନ୍ତି। ବିଜୟ ଚୌଧୁରୀ ସ୍ପଷ୍ଟ ଭାବେ କହିଛନ୍ତି ଯେ ଆମ ଦଳରେ କୌଣସି ଦ୍ୱନ୍ଦ୍ୱ ନାହିଁ, ଉଭୟ ଦଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ସ୍ପଷ୍ଟ ଯେ ଆମେ ଏନଡିଏରେ ଅଛୁ ଏବଂ ଏନଡିଏରେ ରହିବୁ।

ସେପଟେ ବିହାରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଛନ୍ତି, ମିଡ଼ିଆକୁ ଶାନ୍ତ କରିବାକୁ ଲାଲୁ ଏମିତି ବୟାନ ଦେଇଛନ୍ତି। ନୀତୀଶଙ୍କ ସମ୍ପର୍କରେ ଯଦି ଗଣମାଧ୍ୟମ ପ୍ରତିଦିନ କିଛି ନା କିଛି ପଚାରିବ ତା’ହାଲେ ଲାଲୁ କ’ଣ କହିବେ ବୋଲି ସେ ଓଲଟି ମିଡିଆକୁ ପ୍ରଶ୍ନ କରିଛନ୍ତି। ଏଥିସହ ୨୦୨୫ ନୀତୀଶଙ୍କ ପାଇଁ ବିଦାୟୀ ବର୍ଷ ପ୍ରମାଣିତ ହେବ। ବିହାରରେ ନୂଆ ସରକାର ଗଠନ ହେବ ବୋଲି ତେଜସ୍ବୀ କହିଛନ୍ତି। ସୂଚନା ଥାଉକି, ଅନେକ ସମୟରେ ଦେଖାଯାଇଛି ବର୍ଷ ଆରମ୍ଭରୁ ହିଁ ନୀତୀଶ ଦଳ ବଦଳାଇ ଦିଅନ୍ତି। ଥରେ କି ଦୁଇଥର ନହେଁ ବରଂ ବାରମ୍ବାର ଏମିତି କରୁଥିବା ନଜିର ରହିଛି। ତେଣୁ ଏମିତି ସ୍ଥିତିରେ ଆରଜେଡି ଓ କଂଗ୍ରେସ ନେତାଙ୍କ ବୟାନକୁ ତର୍ଜମା କଲେ ନୀତୀଶ ଏନଡିଏ ଛାଡିବା ଚର୍ଚ୍ଚା ବଢିଛି।

Comments are closed.