Latest Odisha News

ଠିକାଦାରଙ୍କ ମୁଖା ଖୋଲିବାରୁ ସାମ୍ବାଦିକଙ୍କୁ ହତ୍ୟା, ୨ଦିନ ପରେ ମିଳିଲା ମୃତଦେହ

ମାଲକାନଗିରି: ରହସ୍ୟ ଘେରରେ ସାମ୍ବାଦିକଙ୍କ ମୃତ୍ୟୁ। ପାଇଖାନା ଟାଙ୍କିରୁ ଉଦ୍ଧାର ହୋଇଛି ନିଖୋଜ ସାମ୍ବାଦିକଙ୍କ ମୃତଦେହ । ମୃତକ ଜଣଙ୍କ ହେଉଛନ୍ତି ଛତିଶଗଡ଼ ବିଜାପୁରର ଜଣେ ଜଣାଶୁଣା ସାମ୍ବାଦିକ ମୁକେଶ ଚନ୍ଦ୍ରାକର । ଗତ ଜାନୁଆରୀ ୧ରୁ ସେ ନିଖୋଜ ଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ତଦନ୍ତ ଆରମ୍ଭ କରିଥିଲା । ଶେଷରେ ଜଣେ ଠିକାଦାରଙ୍କ ପାଇଖାନା ଟାଙ୍କିରୁ ତାଙ୍କର ମୃତଦେହ ମିଳିଥିଲା । ଘଟଣାରେ କିଛି ସନ୍ଦିଗ୍ଧଙ୍କୁ ପଚରାଉଚରା କରାଯାଉଥିବା ନେଇ ସୂଚନା ଦେଇଛନ୍ତି ବସ୍ତର ଆଇଜି ।

ସୂଚନା ଅନୁସାରେ, ମୁକେଶ ଚନ୍ଦ୍ରାକର ବସ୍ତର ଜଙ୍କସନ ନାମକ ନିଜର ଏକ ୟୁଟ୍ୟୁବ ଚ୍ୟାନେଲ ଚଳାଉଥିବାବେଳେ ଏକ ଜାତୀୟ ଗଣମାଧ୍ୟମରେ ବି ସାମ୍ବାଦିକତା କରୁଥିଲେ । ନିକଟରେ ନିମ୍ନମାନର ରାସ୍ତା ନିର୍ମାଣ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ କରିଥିଲେ ମୁକେଶ । ସେହି କାରଣରୁ ଠିକାଦାର ତାଙ୍କୁ ହତ୍ୟା କରି ପାଇଖାନା ଟାଙ୍କିରେ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି । ପୋଲିସର କହିବା ମୁତାବକ ମୁକେଶ ଗତ ୧ ତାରିଖ ଦିନ ଅଚାନକ ନିଖୋଜ ହୋଇଯାଇଥିଲେ । ବହୁତ ଖୋଜା ଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ଖବର ପାଇନଥିଲେ ପରିବାର ଲୋକ । ଶେଷରେ ଏନେଇ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ । ମୁକେଶଙ୍କ ଭାଇ ସୁକେଶ ତାଙ୍କ ଭାଇ ଅପହରଣ ପଛରେ ଠିକାଦାର ନଚେତ ନକ୍ସଲଙ୍କ ହାତ ଥିବା ନେଇ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ମୁକେଶଙ୍କ ମୋବାଇଲ ନମ୍ବରକୁ ଟ୍ରାକ କରିବା ପରେ ଶେଷ ଥର ପାଇଁ ତାଙ୍କ ଲୋକେସନ ଜଣେ ଠିକାଦାରଙ୍କ ବାସଭବନ ପରିସର ଥିବା ନେଇ  ଜଣାପଡ଼ିଥିଲା ।

ଏହା ପରେ ପୋଲିସ ସମ୍ପୃକ୍ତ ଠିକାଦାରଙ୍କ ବାସଭବନକୁ ଯାଇ ଯାଞ୍ଚ କରିଥିଲା। ଶେଷରେ ସେଠାରେ ଥିବା ଏକ ସେପଟିକ ଟାଙ୍କିରୁ ମୁକେଶଙ୍କ ମୃତଦେହ ମିଳିଥିଲା। ପୋଲିସ ଏହି ଘଟଣାରେ କିଛି ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ମୁକେଶଙ୍କ ସାଙ୍ଗମାନଙ୍କ କହିବା ଅନୁସାରେ, କିଛି ଦିନ ତଳେ ମୁକେଶ ନିମ୍ନ ମାନର ଏକ ରାସ୍ତା ନିର୍ମାଣକୁ ନେଇ ଖବର ପ୍ରସାରଣ କରିଥିଲେ। ଏହି ଘଟଣା ପରେ ଉକ୍ତ ରାସ୍ତା ନିର୍ମାଣ କରୁଥିବା ଠିକାଦାର ଏବଂ ମୁକେଶଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ସେଥିପାଇଁ ଠିକାଦାର ଜଣଙ୍କ ଏପରି କାଣ୍ଡ କରିଥାଇପାରନ୍ତି ବୋଲି କହିଛନ୍ତି ମୁକେଶଙ୍କ ସାଙ୍ଗ ଏବଂ ପରିବାର ଲୋକ ।

 

Comments are closed.