Latest Odisha News

ଅରବିନ୍ଦ କେଜ୍ରିଓ୍ବାଲ Vs ପ୍ରବେଶ ବର୍ମା

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ହେଭିଓ୍ବେଟ୍ ଟକ୍କର । ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବିପକ୍ଷରେ ବିଜେପି ପ୍ରାର୍ଥୀ ପ୍ରବେଶ ବର୍ମା । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆସିଲା ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା । ଏଥିରେ ୨୯ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି। କେଜ୍ରିଓ୍ବାଲଙ୍କ ବିପକ୍ଷରେ ପୂର୍ବତନ ଲୋକସଭା ସାଂସଦ ପ୍ରବେଶ ବର୍ମାଙ୍କୁ ଟିକେଟ୍ ଦେଇଛି ଦଳ । ସେହିପରି ମୁଖ୍ୟମନ୍ତ୍ରୀ ଅତିସୀଙ୍କ ବିପକ୍ଷରେ ଲଢିବେ ବିଜେପିର ବରିଷ୍ଠ ନେତା ରମେଶ ବିଧୁଡି । ଆପ୍ ଛାଡି ବିଜେପିରେ ମିଶିଥିବା କୈଳାସ ଗେହଲଟଙ୍କୁ ବି ବିଜେପି ବିଜବାସନରୁ ପ୍ରାର୍ଥୀ କରିଛି।

ନୂଆଦିଲ୍ଲୀରେ ରୋଚକ ଲଢେଇ

ହାଇପ୍ରୋଫାଇଲ୍ ନୂଆଦିଲ୍ଲୀ ବିଧାନସଭା ସିଟରେ ଏଥର ରୋଚକ ଲଢେଇ ଦେଖିବାକୁ ମିଳିବ । ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବିଜୟ ବାଟ ଓଗାଳିବେ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ । କେଜ୍ରିଓ୍ବାଲଙ୍କ ବିପକ୍ଷରେ ପୂର୍ବତନ ସାଂସଦ ପ୍ରବେଶ ବର୍ମାଙ୍କୁ ପ୍ରାର୍ଥୀ କରିଛି ବିଜେପି । ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂ ବର୍ମାଙ୍କ ପୁଅ ପ୍ରବେଶ ବର୍ମା ପୂର୍ବରୁ ହିଁ ନୂଆଦିଲ୍ଲୀ ସିଟରୁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଥିଲା । ଏପରିକି ତାଙ୍କୁ ଲଗାତର ଟାର୍ଗେଟ୍ କରୁଥିଲା ଆପ୍ । ନୂଆଦିଲ୍ଲୀରେ ପ୍ରବେଶ ମହିଳାଙ୍କୁ ୧୧ଶହ ଟଙ୍କା ବାଣ୍ଟିବା ନେଇ ଅଭିଯୋଗ ଆଣିଥିଲା ଆପ୍ । ସେପଟେ ପୂର୍ବରୁ ନୂଆଦିଲ୍ଲୀ ସିଟରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କ ପୁଅ ସନ୍ଦୀପ ଦୀକ୍ଷିତଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ନିର୍ବାଚନ ମଇଦାନରେ ପ୍ରବେଶ ବର୍ମା ଓ ସନ୍ଦୀପ ଦୀକ୍ଷିତ କଡା ଟକ୍କର ଦେବେ । ନୂଆଦିଲ୍ଲୀ ସିଟରେ ତ୍ରିକୋଣୀୟ ମୁକାବିଲା ଦେଖିବାକୁ ମିଳିବ ।

କାଲକାଜିରେ ବି କଡା ଟକ୍କର

ନୂଆଦିଲ୍ଲୀ ସିଟ୍ ଭଳି କାଲକାଜିରେ କଡା ଟକ୍କର ଦେଖିବାକୁ ମିଳିବ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିସୀଙ୍କ ବିପକ୍ଷରେ ରମେଶ ବିଧୁଡିଙ୍କୁ ପ୍ରାର୍ଥୀ କରିଛି ବିଜେପି । ପୂର୍ବତନ ସାଂସଦ ରମେଶ ବିଧୁଡି ବିଜେପିର ଜଣାଶୁଣା ଚେହେରା । ପୂର୍ବରୁ ସେ ଦିଲ୍ଲୀ ବିଧାନସଭାକୁ ୩ଥର ନିର୍ବାଚିତ ହୋଇଛନ୍ତି । ଦକ୍ଷିଣ ଦିଲ୍ଲୀରୁ ପୂର୍ବରୁ ସାଂସଦ ରହିଥିବା ରମେଶ ବିଧୁଡି ବିକାଶର ପ୍ରସଙ୍ଗ ନେଇ ଭୋଟରଙ୍କ ପାଖକୁ ଯିବେ ବୋଲି କହିଛନ୍ତି । ସେପଟେ କଂଗ୍ରେସ କାଲକାଜିରୁ ଅଳକା ଲାମ୍ବାଙ୍କୁ ପ୍ରାର୍ଥୀ କରିଛି । ପୂର୍ବରୁ ଆମ ଆଦମୀ ପାର୍ଟିରେ ଥିବା ଅଳକା ଲାମ୍ବା ଏଥର ଆପକୁ ଟକ୍କର ଦେବେ । ବିଜେପିରୁ ରମେଶ ବିଧୁଡି ପ୍ରାର୍ଥୀ ହେବା ପରେ କାଲକାଜିରେ କାଣ୍ଟେ କା ଟକ୍କର ହେବ ବୋଲି କୁହାଯାଉଛି ।

ଆମଦାନୀ ନେତାଙ୍କୁ ଟିକେଟ୍

ଆମ ଆଦମୀ ପାର୍ଟି ଛାଡି ବିଜେପିରେ ମିଶିଥିବା କୈଳାସ ଗେହଲଟଙ୍କୁ ବି ପ୍ରାର୍ଥୀ କରିଛି ବିଜେପି । ତାଙ୍କୁ ବିଜବାସନ ସିଟରୁ ଟିକେଟ୍ ଦେଇଛି ଦଳ । ଆପ୍ ସରକାରରେ ପରିବହନ ମନ୍ତ୍ରୀ ରହିଥିବା ଗେହଲଟ ଗତ ନଭେମ୍ବର ମାସରେ ଆପ୍ ଛାଡି ବିଜେପିରେ ସାମିଲ ହୋଇଥିଲେ । ସେ ଏବେ ନଜଫଗଡ଼ରୁ ବିଧାୟକ ରହିଛନ୍ତି । ସେହିପରି ପଟେଲ ନଗରରୁ ପୂର୍ବତନ ମନ୍ତ୍ରୀ ରାଜକୁମାର ଆନନ୍ଦଙ୍କୁ ପ୍ରାର୍ଥୀ କରିଛି ବିଜେପି । ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ପଟେଲ ନଗର ସିଟରୁ ପୂର୍ବରୁ ବି ବିଧାୟକ ରହିଛନ୍ତି ରାଜକୁମାର ଆନନ୍ଦ । ଲୋକସଭା ନିର୍ବାଚନ ପୂର୍ବରୁ ସେ ଆପ୍ ଛାଡିଥିଲେ । ବିଏସପି ଟିକେଟରେ ଲୋକସଭା ନିର୍ବାଚନ ଲଢିବା ପରେ ସେ ବିଜେପିରେ ସାମିଲ ହୋଇଥିଲେ । ସେହିପରି ଶିଲା ଦୀକ୍ଷିତ ସରକାରରେ ମନ୍ତ୍ରୀ ରହିଥିବା ଅରବିନ୍ଦର ସିଂ ଲଭଲୀଙ୍କୁ ଗାନ୍ଧୀନଗରରୁ ପ୍ରାର୍ଥୀ କରିଛି ବିଜେପି । ଲୋକସଭା ନିର୍ବାଚନ ସମୟରେ ଲଭଲୀ କଂଗ୍ରେସ ଛାଡି ବିଜେପିରେ ମିଶିଥିଲେ । ଲଭଲୀ ପୂର୍ବରୁ ମଧ୍ୟ ଗାନ୍ଧୀନଗର ସିଟରୁ ପ୍ରତିନିଧିତ୍ବ କରିଛନ୍ତି । ଆପ୍ ଛାଡି ବିଜେପିକୁ ଆସିଥିବା କରତାର ସିଂଙ୍କୁ ଟିକେଟ୍ ଦେଇଛି ବିଜେପି । ଛତରପୁରରୁ ବିଧାୟକ ରହିଥିବା କରତାର ସିଂଙ୍କୁ ପୁଣି ସେଠାରୁ ପ୍ରାର୍ଥୀ କରିଛି ଦଳ ।

Comments are closed.