ନୂଆଦିଲ୍ଲୀ : ଭୁବନେଶ୍ୱରରେ ଖେଳାଯିବ ଅଲିମ୍ପିକ ! ଆଉ ଅଲିମ୍ପିକ ଆୟୋଜନର ମୁଖ୍ୟ ହେବ ଅହମ୍ମଦାବାଦ । କେବଳ ଭୁବନେଶ୍ୱର ନୁହେଁ ପୁଣେ, ଭୋପାଳ ଏବଂ ମୁମ୍ବାଇରେ ଅଲିମ୍ପିକ ଇଭେଣ୍ଟ ହେବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି । କୁହାଯାଉଛି ଯେ ଯଦି ଭାରତକୁ ୨୦୩୬ରେ ଅଲମ୍ପିକ ଆୟୋଜନ ପାଇଁ ଅଧିକାର ମିଳେ ତେବେ ଏହି ସବୁ ସ୍ଥାନରେ ଖେଳାଯିବ ଅଲିମ୍ପିକ । ରିପୋର୍ଟ ଅନୁସାରେ ଭୁବନେଶ୍ୱରରେ ହକିର ସବୁ ମ୍ୟାଚ୍ ଖେଳାଯାଇପାରେ । ସେହିପରି ପୁଣେରେ କାନୋଇଂ ଓ କାୟୋକିଂ, ଭୋପାଳରେ ନୌଚାଳନା ଏବଂ ମୁମ୍ବାଇରେ କ୍ରିକେଟ ଇଭେଣ୍ଟ ଆୟୋଜନ ହୋଇପାରେ।
ଅଲିମ୍ପିକ ଆୟୋଜନ ପାଇଁ ଭାରତ ପୂର୍ବରୁ ଆଗ୍ରହ ପ୍ରକାଶ କରିଆସୁଛି । କୁହାଯାଉଛି ଯେ ୨୦୩୬ ଅଲିମ୍ପିକ ଆୟୋଜନ ପାଇଁ ଭାରତ ପ୍ରସ୍ତୁତ ହେଉଛି । ଏନେଇ ମଧ୍ୟ ଦାବି ଜଣାଇ ସାରିଛି । ଏବେ ଅହମ୍ମଦାବାଦ ସହରରେ ପ୍ରାୟ ୬ ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଚାଲିଛି । ଅହମ୍ମଦାବାଦର ପ୍ରାୟ ୨୦ ଏକର ପରିମିତି ଜମିରେ ନିର୍ମାଣାଧୀନ ନାରନପୁରା ସ୍ପୋର୍ଟସ କଂପ୍ଲେକ୍ସ ପାଇଁ ଖର୍ଚ୍ଚ ହେଉଛି ୬୩୨ କୋଟି ଟଙ୍କା । ଆସନ୍ତା ମାର୍ଚ୍ଚ ମାସରେ ଏହାର ଉଦଘାଟନର ଯୋଜନା ରହିଛି । ଏଥିରେ ଅଲିମ୍ପିକ ଷ୍ଟାଣ୍ଡାର୍ଡର ସ୍ବିମିଂ ପୁଲ୍, ବାସ୍କେଟବଲ୍, ଭଲିବଲ, ବ୍ୟାଡମିଣ୍ଟନ ଓ ଜିମନାଷ୍ଟିକ ମଇଦାନ ରହିବ ।
ନରେନ୍ଦ୍ର ମୋଦି ଷ୍ଟାଡିୟମକୁ ଲାଗି ରହିଥିବା ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସ୍ପୋର୍ଟସ ଏନକ୍ଲେଭ୍ ଓ କରାଇ ସ୍ପୋର୍ଟସ ହବ୍ ଗୁଜରାଟରେ ଅଲିମ୍ପିକର ୨ଟି ପ୍ରାଥମିକ ଅଲିମ୍ପିକ୍ ହବ୍ ହେବାକୁ ଯାଉଛି। ୨୦୩୬ ଅଲିମ୍ପିକ ଆୟୋଜନ ପାଇଁ ୧୦ଟି ଦେଶ ଆଗ୍ରହ ଦେଖାଇସାରିଛନ୍ତି । ଆୟୋଜନ ଅଧିକାର ପାଇବା ପାଇଁ ଭାରତକୁ କାତାର ଓ ସାଉଦି ଆରବ ଭଳି ଦେଶ ସହ କଡ଼ା ମୁକାବିଲା କରିବାକୁ ପଡ଼ିବ। ୨୦୨୬ ସୁଦ୍ଧା ଆୟୋଜକ ଦେଶର ନାମ ଘୋଷଣା ହେବାର ସମ୍ଭାବନା ରହିଛି ।