Latest Odisha News

ତାମିଲନାଡୁ ଓ କେନ୍ଦ୍ର ସରକାର ମୁହାଁମୁହିଁ, ରେଳ ପ୍ରକଳ୍ପକୁ ନେଇ ବିବାଦ

ନୂଆଦିଲ୍ଲୀ : ତାମିଲନାଡୁ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଆହୁରି ତୀବ୍ର ହୋଇଛି । ମଦୁରାଇ-ଥୁଟିକୁଡ଼ି ରେଳ ପ୍ରକଳ୍ପକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ସରକାର । ଶୁକ୍ରବାର ଚେନ୍ନାଇ ICFରେ ଅମୃତ ବାରତ ଓ ବନ୍ଦେ ଭାରତ ଏକ୍ସପ୍ରେସର ସ୍ଲିପର୍ କୋଚ୍ ଅନୁଧ୍ୟାନ ବେଳେ ମଦୁରାଇ-ଥୁଟିକୁଡ଼ି ରେଳ ପ୍ରକଳ୍ପ ଉପରେ ମତ ରଖିଥିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏହି ପ୍ରକଳ୍ପ ବହୁଦିନ ହେବ ଥୁଆ ହୋଇଛି । କିନ୍ତୁ ତାମିଲନାଡୁ ସରକାର ଏହା ଚାହୁଁ ନଥିବା କେନ୍ଦ୍ରକୁ ଲିଖିତ ଜଣାଇ ଦେଇଥିବା କହିଥିଲେ ଅଶ୍ବିନୀ ବୈଷ୍ଣବ । ଲୋକଙ୍କ ସୁବିଧାକୁ ରାଜନୀତିଠାରୁ ଉର୍ଦ୍ଧ୍ବରେ ରଖିବାକୁ କହିଥିଲେ ରେଳମନ୍ତ୍ରୀ ।

ଅଶ୍ବିନୀ ବୈଷ୍ଣବଙ୍କ ଏଭଳି ମନ୍ତବ୍ୟ ପରେ ପ୍ରତିକ୍ରିୟାଶୀଳ ହୋଇଉଠିଛି ତାମିଲନାଡୁର ଡିଏମକେ ସରକାର । ରେଳମନ୍ତ୍ରୀ ବୈଷ୍ଣବ ଡାହା ମିଛ କହୁଥିବା କହିଛି ଡିଏମକେ ଯୁବ ଶାଖା । ମଦୁରାଇ-ଥୁଟିକୁଡ଼ି ରେଳ ପ୍ରକଳ୍ପ ପାଇଁ ଅନୁଦାନ ଦେବାକୁ ଗତବର୍ଷ ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନ କେନ୍ଦ୍ରକୁ ଲେଖିଥିବା ପତ୍ର ସାମ୍ନାକୁ ଆଣି, ରେଳମନ୍ତ୍ରୀଙ୍କୁ କାଉଣ୍ଟର କରିଛି ଡିଏମକେ ।

୨୦୧୧-୧୨ରେ କେନ୍ଦ୍ରରେ ୟୁପିଏ-ଟୁ ସରକାର ଥିବା ବେଳେ ଏହି ପ୍ରକଳ୍ପ ଘୋଷଣା ହୋଇଥିଲା । କିନ୍ତୁ ୨୦୧୬ରେ ମୋଦି ସରକାର ଅମଳରେ କାମ ଆରମ୍ଭ ହୋଇଛି । ୨୦୨୨ ସୁଦ୍ଧା ମିଲାଭିଟନରୁ ମେଲମାରଦୂର ମଧ୍ୟରେ ମାତ୍ର ୧୮ କିଲୋମିଟର କାମ ସରିଛି । ବାକି ୧୪୩.୫ କିଲୋମିଟର କାମ ଏଯାଏଁ ଆଗେଇ ପାରୁନି । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଏଭଳି ଡାହା ମିଛକୁ ବାଚଳାମି କହିଛନ୍ତି ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନ ।

Leave A Reply

Your email address will not be published.