ନୂଆଦିଲ୍ଲୀ: ପାର୍ବଣ କିମ୍ବା ଛୁଟିଦିନରେ ବିମାନ ଭଡ଼ା ଅହେତୁକ ବୃଦ୍ଧିକୁ ନେଇ ଆଗତ ଏକ ଜନସ୍ୱାର୍ଥ ମାମଲାରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ବିମାନ ଭଡ଼ା ପ୍ରାୟ ୭୦୦ ପ୍ରତିଶତ ବୃଦ୍ଧି ପାଇଥିବା ନେଇ ଦାଖଲ ହୋଇଥିବା ପିଟିସନର ଜରୁରୀ ଶୁଣାଣି କରିବାକୁ କୋର୍ଟ ମନା କରିଦେଇଛନ୍ତି। ଶୁଣାଣି ବେଳେ ଜଷ୍ଟିସ ବିକ୍ରମ ନାଥଙ୍କ ନେତୃତ୍ୱାଧୀନ ବେଞ୍ଚ ଆବେଦନକାରୀଙ୍କ ଓକିଲଙ୍କୁ କଡ଼ା ଭାଷାରେ କହିଛନ୍ତି ଯେ, “ଯଦି ଭଡ଼ା ଅଧିକ ତେବେ ବିମାନରେ ଯାତ୍ରା କରନ୍ତୁ ନାହିଁ।”
ଅଦାଲତରେ ଯୁକ୍ତି ଦର୍ଶାଇ କୁହାଯାଇଥିଲା ଯେ ପାର୍ବଣ ଋତୁରେ ବିମାନ କମ୍ପାନୀଗୁଡ଼ିକ ଏକପ୍ରକାର ମନମୁଖୀ ଭଡ଼ା ବୃଦ୍ଧି କରୁଛନ୍ତି, ଯାହା ସାଧାରଣ ଲୋକଙ୍କ ଏକ ପ୍ରକାର ବୋଝ । ଏହା ସମ୍ବିଧାନର ୧୪ ନମ୍ବର ଧାରା ଅର୍ଥାତ ସମାନତା ଅଧିକାରର ଉଲ୍ଲଂଘନ କରୁଛି ବୋଲି ଯୁକ୍ତି ହୋଇଥିଲା। ତେବେ କୋର୍ଟ ଏହି ମାମଲାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ସ୍ପଷ୍ଟ ଭାବେ ମନା କରିଦେଇଛନ୍ତି।
ବିମାନ କମ୍ପାନୀଗୁଡ଼ିକର ଏଭଳି ଅତ୍ୟାଧିକ ମୂଲ୍ୟ ବୃଦ୍ଧି ଯୋଗୁଁ ସାଧାରଣ ଯାତ୍ରୀମାନେ ଅନେକ ସମୟରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଦୀପାବଳି, ଦୁର୍ଗାପୂଜା ଓ ଛଠ୍ ପୂଜା ଭଳି ବଡ଼ ବଡ଼ ପର୍ବପର୍ବାଣି ସମୟରେ ବିମାନ ଟିକେଟର ମୂଲ୍ୟ ବୃଦ୍ଧି ପାଉଛି । ଏନେଇ ପୂର୍ବରୁ ମଧ୍ୟ ବିଭିନ୍ନ ସ୍ଥାନରେ ଦାବି ହୋଇଆସୁଛି ଯେ ସରକାର ଏହି ଭଡ଼ା ବୃଦ୍ଧିକୁ ନିୟନ୍ତ୍ରଣ କରିବା ଉଚିତ୍। ସୁପ୍ରିମକୋର୍ଟଙ୍କ ଏଭଳି କଠୋର ମନ୍ତବ୍ୟ ପରେ ଏବେ ସବୁଆଡ଼େ ଚର୍ଚ୍ଚା ଜୋର ଧରିଛି ଏବଂ ଆଗାମୀ ଦିନରେ ଏହି ବିବାଦ ଆହୁରି ବଢ଼ିବାର ସମ୍ଭାବନା ରହିଛି।
