Latest Odisha News

କଂଗ୍ରେସର ବଡ ଘୋଷଣା: ଶିକ୍ଷିତ ବେକାରୀଙ୍କୁ ମାସକୁ ମିଳିବ ୮୫୦୦ ଟଙ୍କା

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ରାଜନୀତି ସରଗରମ ହେଉଛି। ରାଜନୈତିକ ଦଳମାନେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଲାଗି ପଡିଥିବା ବେଳେ, ଦୁଇ ମୁଖ୍ୟ ଦଳ ବିଜେପି ଏବଂ ଆପ ମଧ୍ୟରେ କଥା କଟାକଟି ଚାଲିଛି। ଏହାର ଫାଇଦା ନେଉଛି କଂଗ୍ରେସ। କଂଗ୍ରେସ ନେତାମାନେ ଦିଲ୍ଲୀରେ ଛୋଟ-ବଡ଼ ସଭା କରି ନିର୍ବାଚନୀ ମାହୋଲ ତିଆରି କରୁଛନ୍ତି।

ସୂଚନା ଅନୁଯାୟୀ, ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଏକ ନୂଆ ଘୋଷଣା କରିଛନ୍ତି। ସେ କହିଛନ୍ତି ଯଦି ଆମେ ସରକାର ଗଢିବୁ ତେବେ ଶିକ୍ଷିତ ବେକାରୀଙ୍କୁ ପ୍ରୋତ୍ସାହନ ଦେବା ପାଇଁ ବର୍ଷେ ପର୍ଯ୍ୟନ୍ତ, ପ୍ରତି ମାସରେ ୮୫୦୦ ଟଙ୍କାର ଆର୍ଥିକ ସହାୟତା ଦିଆଯିବ। ଯୁବକମାନଙ୍କୁ ଏହି ସହାୟତା ରାଶି ‘ଯୁବା ଉଡ଼ାଣ ଯୋଜନା’ ଅନୁଯାୟୀ ମିଳିବ।

ଏହି ଘୋଷଣା ସମୟରେ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଦେବେନ୍ଦ୍ର ଯାଦବ, ପ୍ରଭାରୀ କାଜୀ ନିଜାମୁଦ୍ଦୀନ, ଏନଏସୟୁଆଇ ଅଧ୍ୟକ୍ଷ ବରୁଣ ଚୌଧୁରୀଙ୍କ ସହ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ପାଇଲଟ ଆହୁରି କହିଛନ୍ତି, ୫ ତାରିଖରେ ଦିଲ୍ଲୀରେ ନୂଆ ସରକାର ଗଠନ ହେବ। ଏଥିପାଇଁ କଂଗ୍ରେସ ପୂରା ଦମ୍‌ରେ ନିର୍ବାଚନ ଲଢ଼ୁଛି। ପୂର୍ବରୁ ଯେତେବେଳେ ରାଜ୍ୟରେ କଂଗ୍ରେସ ସରକାର ଥିଲା, ଅନେକ ବିକାଶମୂଳକ କାର୍ଯ୍ୟ ହୋଇଛି। ହେଲେ ଗତ କିଛି ବର୍ଷ ହେବ ଏଠାରେ କେବଳ ଲୋକ ଦେଖାଣିଆ କାମ ହେଉଛି। ଦିଲ୍ଲୀର ଆମ ଆଦମୀ ପାର୍ଟି(ଆପ) ସରକାର ଏବଂ ବିଜେପିର ସାତ ଜଣ ସାସଂଦ ରାଜ୍ୟବାସୀଙ୍କ ପାଇଁ କିଛି କରିନାହାନ୍ତି। କଂଗ୍ରେସ ସରକାର ସମୟରେ ଦେଶରେ ସବୁ ମେଟ୍ରୋ ତୁଳନାରେ ଦିଲ୍ଲୀ ଅଧିକ ବିକଶିତ ଥିଲା।

ସେହିପରି ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଦେବେନ୍ଦ୍ର ଯାଦବ କହିଛନ୍ତି ରାଜମହଲ ଏବଂ ଶୀଶ ମହଲ ଅପେକ୍ଷା ଯୁବକଙ୍କୁ ରୋଜଗାର ଦେବାକୁ ଆମେ ଗୁରୁତ୍ବ ଦେବୁ । ଅନ୍ୟପଟେ ଦଳ ପକ୍ଷରୁ  ‘ପ୍ୟାରି ଦିଦି ଯୋଜନା’ ରେ ପ୍ରତିମାସରେ ୨୫୦୦ ଟଙ୍କା  ଏବଂ ୨୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ଯୋଜନାର ଗ୍ୟାରେଣ୍ଟି ମଧ୍ୟ ଦିଆଯାଇଛି।

 

Comments are closed.