ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ପାଇଁ ପ୍ରଥମ ରାଲି କରି କଂଗ୍ରେସର ଆଭିମୁଖ୍ୟ ସ୍ପଷ୍ଟ କରିଦେଲେ ରାହୁଲ ଗାନ୍ଧି । ଆପ୍ ଏବଂ ବିଜେପି ବିରୋଧରେ ପ୍ରବଳ ବର୍ଷିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଗୋଟିଏ ପଲାରେ ତଉଲିଛନ୍ତି ରାହୁଲ। ଏବେ ରାହୁଲଙ୍କ ଏ ମନ୍ତବ୍ୟକୁ ନେଇ କେଜ୍ରିୱାଲ୍ କରିଥିବା ଟ୍ବିଟ୍ ଉପରେ କଂଗ୍ରେସ ନୁହେଁ ବରଂ ବିଜେପି ଦେଇଛି ପ୍ରତିକ୍ରିୟା । ଯାହାକୁ ବିଜେପି ଓ କଂଗ୍ରେସର ଯୁଗଳବନ୍ଦୀ ବୋଲି କହିଛନ୍ତି କେଜ୍ରିୱାଲ୍ । ଏଭଳି ସ୍ଥିତିରେ ଦିଲ୍ଲୀ ନିର୍ବାଚନରେ କିଏ କାହାକୁ ଦେଇଛି ଦିଲ୍… ତାକୁ ନେଇ ଏବେ ବି ଦୂର ହେଉନି ସନ୍ଦେହ ।
ରାହୁଲଙ୍କ ବୟାନ ଉପରେ କଂଗ୍ରେସ ପ୍ରତିକ୍ରିୟା ଦେବା ଯାଏ ଅପେକ୍ଷା କରିନି ବିଜେପି । ବରଂ କେଜ୍ରିୱାଲଙ୍କ ଟ୍ବିଟ୍ ଉପରେ ରି-ଟ୍ବିଟ୍ କରିଛନ୍ତି ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ । ଅମିତ ମାଲବ୍ୟଙ୍କ ରି-ଟ୍ବିଟ୍ ଉପରେ ସଙ୍ଗେ ସଙ୍ଗେ ପ୍ରତିକ୍ରିୟା ରଖିଛନ୍ତି କେଜ୍ରିୱାଲ । ସେ କଣ ଲେଖିଛନ୍ତି… ‘ମୁଁ ରାହୁଲ ଗାନ୍ଧିଙ୍କ ଉପରେ ମାତ୍ର ଗୋଟିଏ ବାକ୍ୟ କହିଛି, କିନ୍ତୁ ପ୍ରତିକ୍ରିୟା ବିଜେପିରୁ ଆସିଛି । ମୋର ମନ୍ତବ୍ୟ, କଂଗ୍ରେସ ପାଇଁ ଅସୁବିଧା ସୃଷ୍ଟି କରିବା ବଦଳରେ ବିଜେପିକୁ ଅଡୁଆରେ ପକାଉଛି । ଏହା ହିଁ ବିଜେପି ଓ କଂଗ୍ରେସ ମଧ୍ୟରେ ଥିବା ଯୁଗଳବନ୍ଦୀକୁ ପ୍ରମାଣିତ କରୁଛି ବୋଲି କହିଛନ୍ତି କେଜ୍ରିୱାଲ
ଅଦାନୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଗୋଟିଏ ପଲାରେ ତଉଲିଛନ୍ତି ରାହୁଲ ଗାନ୍ଧି । ଯାହାର ଜବାବ ଦେଇଛି ଆପ୍ । ଅବକାରୀ ଦୁର୍ନୀତି ନେଇ CAG ରିପୋର୍ଟ ସାମ୍ନାକୁ ଆସିବା ପରେ ପ୍ରେମମିଟ୍ କରି କେଜ୍ରିୱାଲ ଓ ତାଙ୍କ ଆମ୍ ଆଦମୀ ପାର୍ଟିକୁ ଘେରିଥିଲା ବିଜେପି ।