ନୂଆଦିଲ୍ଲୀ : ଘନ କୁହୁଡ଼ି ଯୋଗୁ ତିନି ଶହରୁ ଅଧିକ ବିମାନ ଯାତ୍ରା ବିଳମ୍ୱ ହୋଇଥିବା ବେଳେ ରେଲୱେ ସେବା ବାଧାପ୍ରାପ୍ତ ହୋଇଛି। ବୁଧବାର ସକାଳେ ଦିଲ୍ଲୀର ତାପମାତ୍ରା 6 ଡିଗ୍ରୀ ତଳକୁ ଖସିଛି। ଏହାସହ ଘନ କୁହୁଡ଼ି ଦେଶର ରାଜଧାରୀରେ ବିମାନ ଓ ରେଲୱେ ସେବାକୁ ଠପ୍ କରିଦେଇଛି। ଦିଲ୍ଲୀ-ଏନସିଆରର କିଛି ଅଞ୍ଚଳରେ ଶୂନ୍ୟ ଦୃଶ୍ୟତା ଏବଂ ଉତ୍ତର ଭାରତର କିଛି ଅଞ୍ଚଳରେ ଘନ କୁହୁଡ଼ି ଯୋଗୁ ଆଜି 26 ଟି ଟ୍ରେନ ବିଳମ୍ୱରେ ଚାଲିଛି। ସେହିଭଳି 329 ବିମାନ ପହଞ୍ଚିବାରେ ବିଳମ୍ୱ ହୋଇଥିବା ବେଳେ 13 ବିମାନ ଘନ କୁହୁଡ଼ି ଯୋଗୁ ବାତିଲ ହୋଇଥିବା ଜଣାପଡ଼ିଛି। ଏମିତିକି ସକାଳୁ ଘନ କୁହୁଡ଼ି ଯୋଗୁ ବିମାନବନ୍ଦର ପହଞ୍ଚିବା ପାଇଁ ଯାତ୍ରୀଙ୍କୁ ସମସ୍ୟା ହୋଇଥିଲା।
ଭାରତୀୟ ପାଣିପାଗ ବିଭାଗ ଦିଲ୍ଲୀରେ ଘନ କୁହୁଡ଼ି ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି। ଏହା ସହ ଆକଶ ମେଘୁଆ ରହିବ ଏବଂ ସ୍ଥାନେ ସ୍ଥାନେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ଦିଲ୍ଲୀର ଇନ୍ଦିରା ଗାନ୍ଧି ଇଣ୍ଟରନେସନଲା ଏୟାରପୋର୍ଟରେ ବୁଧବାର ସକାଳ 6ଟାରେ ଦୃଶ୍ୟତା 100 ମିଟର ରେକର୍ଡ କରାଯାଇଛି। ଏପରି ଖରାପ ପାଗ ଯୋଗୁ ବିମାନ ସେବା ବାଧାପ୍ରାପ୍ତ ହୋଇଛି। ଏନେଇ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ବିମାନ ସେବା ବିଳମ୍ୱ ହେବା ନେଇ ମଧ୍ୟ ସୂଚନା ଦିଆଯାଇଥିଲା। ଇଣ୍ଡିଗୋ ପକ୍ଷରୁ କୁହାଯାଇଥିଲା ଯେ ଏୟାରପୋର୍ଟକୁ ଆସିବା ପୂର୍ବରୁ ଫ୍ଲାଇଟ ଷ୍ଟାଟସ ଚେକ କରନ୍ତୁ ।
ସୂଚନା ଥାଉକି, ବୁଧବାର ସକାଳ 8ଟା ବେଳକୁ ଦିଲ୍ଲୀ ବାୟୁ ଗୁଣବତ୍ତା (ଏକ୍ୟୁଆଇ) 332 ରହିଥଇଲା। ଯାହା ଖୁବ ଖରାପ ଶ୍ରେଣୀରେ ରହିଥିଲା ଏକ୍ୟୁଆଇ। ପାଣିପାଗ ବିଭାଗ ଏନେଇ ପୂର୍ବରୁ ୟେଲୋ ଆଲର୍ଟ ଜାରି କରିଥିଲେ। ଯେଉଁଥିରେ କୁହାଯାଇଥିଲା ଯେ ବୁଧବାର ଯାଏ ଦିଲ୍ଲୀରେ ଘନ କୁହୁଡି ଲାଗି ରହିବ।