ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ରେ ଯୁବ ବାମହାତୀ ବ୍ୟାଟର ବୈଭବ ସୂର୍ୟ୍ୟବଂଶୀଙ୍କୁ ସୁଯୋଗ ନ ମିଳିବା ନେଇ ଭାରତୀୟ ଦଳର ପୂର୍ବତନ ଭାରତୀୟ ଅଧିନାୟକ ତଥା ମୁଖ୍ୟ ଚୟନକର୍ତ୍ତା କୃଷ୍ଣମାଚାରୀ ଶ୍ରୀକାନ୍ତ ମ୍ୟାନେଜମେଣ୍ଟ ଉପରେ ବର୍ଷିଛନ୍ତି । ସିରିଜର ଫଳାଫଳ ପୂର୍ବରୁ ସ୍ଥିର ହୋଇସାରିଥିଲେ ମଧ୍ୟ, ଶେଷ ମ୍ୟାଚ୍ରେ ବୈଭବଙ୍କୁ ପୁଣିଥରେ ବେଞ୍ଚରେ ବସାଇ ରଖାଯିବା କଥାକୁ ସେ ବିରୋଧ କରିଛନ୍ତି । ଇଶାନ କିଶନ ଆହତ ହେବା ପରେ ବୈଭବଙ୍କୁ ସିରିଜରେ ମାତ୍ର ଦୁଇଟି ମ୍ୟାଚ୍ ଖେଳିବାର ସୁଯୋଗ ମିଳିଥିଲା । ଦଳ ପକ୍ଷରୁ ଓପନର୍ମାନଙ୍କୁ ସ୍ପଷ୍ଟ ସୂଚନା ଦିଆଯାଉ ନାହିଁ, ଯାହାଫଳରେ ଏହି ମାତ୍ର ୧୫ ବର୍ଷୀୟ ପ୍ରତିଭାବାନ ଖେଳାଳିଙ୍କ ଆତ୍ମବିଶ୍ୱାସ କମିଯାଇପାରେ । ପୂର୍ବରୁ ଆୟର୍ଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ଏବଂ ୱେଷ୍ଟଇଣ୍ଡିଜ୍ ଗସ୍ତରେ ସାମିଲ ଥିଲେ ମଧ୍ୟ ବୈଭବଙ୍କୁ ପ୍ଲେଇଙ୍ଗ୍ ଇଲେଭେନ୍ରେ ସୁଯୋଗ ଦିଆଯାଇ ନଥିଲା ।
ଶ୍ରୀକାନ୍ତ କହିଛନ୍ତି ଯେ ଘରୋଇ କ୍ରିକେଟ୍ ଏବଂ ଆଇପିଏଲରେ କ୍ରମାଗତ ଭାବେ ରନ୍ କରିବା ସତ୍ତ୍ୱେ ବୈଭବଙ୍କ ପ୍ରତି ଏପରି ଅବହେଳା ଦୁର୍ଭାଗ୍ୟଜନକ । ଚଳିତ ଆଇପିଏଲ୍ ସିରିଜ୍ରେ ସର୍ବାଧିକ ରନ୍ ସଂଗ୍ରହକାରୀ ହୋଇ ସେ ବିଶ୍ୱର ଭଲ ବୋଲିଂ ଆକ୍ରମଣର ମୁକାବିଲା କରିଛନ୍ତି । ମାତ୍ର ୧୫ ବର୍ଷ ବୟସରେ ସେ ସମସ୍ତ ଫର୍ମାଟରେ ନିଜର ଦକ୍ଷତା ପ୍ରମାଣିତ କରିସାରିଛନ୍ତି । କେ. ଶ୍ରୀକାନ୍ତ କେବଳ ଟି-୨୦ ନୁହେଁ, ବରଂ ବୈଭବଙ୍କୁ ଭାରତୀୟ ଦିନିକିଆ ଦଳରେ ମଧ୍ୟ ସାମିଲ କରିବା ପାଇଁ ଦାବି କରିଛନ୍ତି । ତାଙ୍କ ମତରେ ଏଭଳି ପ୍ରତିଭାବାନ ଯୁବ ଖେଳାଳିଙ୍କୁ ସଠିକ୍ ଭାବେ ବ୍ୟବହାର ନ କଲେ ଭାରତୀୟ କ୍ରିକେଟ୍ ଏକ ବଡ଼ କ୍ଷତିର ସମ୍ମୁଖୀନ ହୋଇପାରେ ।
